ଚିଲାଖଣ୍ଡି ପୋଲ ଉପରେ ଟ୍ରକ ଦୁର୍ଘଟଣା; ୬ଘଣ୍ଟା ରାସ୍ତା ଜାମ୍‍

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଉପରେ ରହିଥିବା ପୂରୁଣା ଚିଲାଖଣ୍ଡି ପୋଲରେ ବାରମ୍ବାର ଦୁର୍ଘଟଣା ଘଟୁଛି। ବୁଧୁବାର ବିଳମ୍ବିତ ରାତ୍ରିରେ ଏକ କୋଇଲା ଗୁଣ୍ଡ ବୋଝେଇ ଟ୍ରକ୍ ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୀର୍ଘ ୬ଘଣ୍ଟା ଧରି ରାସ୍ତା ଜାମ୍‍ ହୋଇଥିଲା। ଫଳରେ ପୋଲର ଉଭୟ ପାର୍ଶ୍ବରେ ରାତ୍ରିକାଳୀନ ବହୁ ଯାତ୍ରୀବାହୀ ବସ୍ ଅଟକି ରହିବା ଫଳରେ ଯାତ୍ରୀମାନଙ୍କୁ ଅକଥନୀୟ ଦୁର୍ଦ୍ଦଶା ଭୋଗିବାକୁ ପଡିଥିଲା।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତ୍ରିରେ ବିଶାଖପାଟଣା ଅଞ୍ଚଳରୁ ଏକ କୋଇଲା ଗୁଣ୍ଡ ବୋଝେଇ ଟ୍ରକ ନଂ-ଏପି-୨୭ଟିଜେଡ୍‍-୩୭୭୭ ଗାଡି ଉକ୍ତ ରାସ୍ତା ଦେଇ ସମ୍ବଲପୁର ଅଭିମୁଖେ ଯାଉଥିଲା। ପୋଲ ଉପରେ ଟ୍ରକଟି ଭାରସାମ୍ୟ ହରାଇ ବାଡକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସଂକୀର୍ଣ୍ଣ ପୋଲ ଉପରେ ଏଭଳି ଏକ ମାଲବାହୀ ଟ୍ରକ ଦୁର୍ଘଟଣା ଫଳରେ ଯାତାୟତ ଠପ୍‍ ହୋଇଯାଇଥିଲା। ସକାଳୁ ଟ୍ରକକୁ ରାସ୍ତାରୁ ହଟାଇବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା। ଦୁର୍ଘଟଣାରେ ଡ୍ରାଇଭର ଏବଂ ଖଲାସୀ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି।ଉଲ୍ଲେଖ ଯୋଗ୍ୟ, ପ୍ରତ୍ୟେକ ମାସରେ ଏହି ପୋଲ ଉପରେ ଆଠରୁ ଦଶଟି ଛୋଟ ବଡ ଦୁର୍ଘଟଣା ଘଟୁଥିବା ଜଣାପଡିଛି। ଏହାସତ୍ୱେ ପ୍ରଶାସନିକ ଅଧିକାରୀ ଏବଂ ବିଭାଗୀୟ କତୃପକ୍ଷଙ୍କ କୁମ୍ଭକର୍ଣ୍ଣ ନିଦ୍ରା ପରୋକ୍ଷରେ ଦୁର୍ଘଟଣା ବୃଦ୍ଧିର ଅନ୍ୟ ଏକ କାରଣ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏଥିପ୍ରତି ଜାତୀୟ ରାଜପଥ କତୃପକ୍ଷ ଦୃଷ୍ଟି ଦେବା ସହ ନୂଆ ପୋଲ ନିର୍ମାଣ କାର୍ଯ୍ୟ ୪ବର୍ଷ ହେଲା ଅଧପନ୍ତରିଆ ଦିଗରେ ସଂପୃକ୍ତ ଠିକାସଂସ୍ଥା ଏବଂ ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।

Comments are closed.