ଦେଶରେ ବଢୁଛି ବାଇକ୍‌ ଦୁର୍ଘଟଣାଜନିତ ମୃତ୍ୟୁ; ପ୍ରତି ଘଣ୍ଟାରେ ଯାଉଛି ୬ ଜୀବନ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବଢୁଛି ସଡ଼କ ଦୁର୍ଘଟଣା। ଲକ୍ଷ ଲକ୍ଷ ସଂଖ୍ୟାରେ ଯାଉଛି ଜୀବନ। ଏହି ଦୁର୍ଘଟଣା ଭିତରେ ସର୍ବାଧିକ ହେଉଛି ବାଇକ୍‌ ତଥା ଦୁଇଚକିଆ ଯାନଜନିତ ଦୁର୍ଘଟଣା। ପ୍ରତିବର୍ଷ ହେଉଥିବା ସଡ଼କ ଦୁର୍ଘଟଣା ମଧ୍ୟରୁ ବାଇକ ବା ଦୁଇ ଚକିଆ ଯାନ ଦୁର୍ଘଟଣାର ଏକ ବଡ଼ ଭାଗ ରହିଛି। ପ୍ରତି ଘଣ୍ଟାରେ ବାଇକ୍‌ ଦୁର୍ଘଟଣା ଯୋଗୁଁ ଦେଶରେ ୬ଜଣଙ୍କ ଜୀବନ ଯାଉଛି।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୧୯ରେ ଭାରତରେ ସଡ଼କ ଦୁର୍ଘଟଣାରେ ଯେତିକି ଲୋକ ମୃତ୍ୟୁବରଣ କରିଥିଲେ, ତାହାର ପ୍ରାୟ ୩୭ ପ୍ରତିଶତ ଥିଲେ ବାଇକ ଚାଳକ। ଭାରତରେ ପ୍ରତି ଘଣ୍ଟାରେ ପ୍ରାୟ ୬ ଜଣ ବାଇକ ଚାଳକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ।
ବିଶେଷଜ୍ଞଙ୍କ ମତରେ ଭାରତରେ ତ୍ରୁଟିପୂର୍ଣ୍ଣ ଲାଇସେନ୍ସ ବ୍ୟବସ୍ଥା, ଉପଯୁକ୍ତ ତାଲିମର ଅଭାବ, ହେଲମେଟ୍ ନ ପିନ୍ଧିବା ଆଦି ଯୋଗୁଁ ଦୁଇଚକିଆ ଚାଳକମାନେ ଅଧିକ ଦୁର୍ଘଟଣା ଘଟାଉଛନ୍ତି ଓ ମୃତାହତ ହେଉଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ଏକ ରିପୋର୍ଟ ଅନୁସାରେ ଠିକ୍‌ ରୂପେ ହେଲମେଟ୍‌ ପିନ୍ଧିବା ଦ୍ବାରା ବାଇକ ଦୁର୍ଘଟଣାରେ ହେଉଥିବା ମୃତ୍ୟୁସଂଖ୍ୟା ୪୨ ପ୍ରତିଶତ ଓ ମସ୍ତିଷ୍କାଘାତ ସଂଖ୍ୟା ୬୯ ପ୍ରତିଶତ କମାଇହେବ।
ଗବେଷଣା ଅନୁଯାୟୀ, ଭାରତରେ ଆର୍ଥିକ ଅଭିବୃଦ୍ଧି ଓ ଲୋକମାନଙ୍କର ମୁଣ୍ଡପିଛା ଆୟ ବୃଦ୍ଧି ଘଟିବା ଫଳରେ ଲୋକେ ଅଧିକ ଗାଡ଼ି କିଣୁଛନ୍ତି । ବିଶେଷକରି ଦୁଇଚକିଆ ଯାନ ବିକ୍ରି ମଧ୍ୟ ବେଶ୍‌ ବଢିଚାଲିଛି। ଏହା ଦ୍ବାରା ଦୁର୍ଘଟଣା ସଂଖ୍ୟା ମଧ୍ୟ ପ୍ରତିବର୍ଷ ବୃଦ୍ଧି ପାଇ ଚାଲିଛି। ବାଇକ୍‌ ଚାଳକ କେବଳ ଦୁର୍ଘଟଣାରେ ଶିକାର ହେଉନାହାନ୍ତି; ବରଂ ସେମାନେ ପଥଚାରୀଙ୍କ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛନ୍ତି।

Comments are closed.