ଯୋଜନାରେ ସୀମିତ କଟକଣା, ବଢ଼ିଚାଲିଛି ଦୁର୍ଘଟଣା; ୬ବର୍ଷରେ ଦୁର୍ଘଟଣା ମୃତ୍ୟୁ ବଢ଼ିଛି ୩୬ ପ୍ରତିଶତ

ଭୁବନେଶ୍ବର : ରାଜ୍ୟରେ ସଡ଼କ ଦୁର୍ଘଟଣା ମାତ୍ରାଧିକ ବୃଦ୍ଧି ପାଇଥିବାରୁ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସୁପ୍ରିମକୋର୍ଟ କମିଟିଠାରୁ ଆରମ୍ଭ କରି ରାଜ୍ୟ ପରିବହନ ବିଭଗ ପର୍ଯ୍ୟନ୍ତ ସବୁ ସ୍ତରରେ ରଣକୌଳ ନିର୍ଦ୍ଧାରଣ ସତ୍ତ୍ବେ ପରିସ୍ଥିତିରେ ସୁଧାର ଆସୁନି। ସୁପ୍ରିମକୋର୍ଟ କମିଟି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟ ୫୦ ପ୍ରତିଶତ କମାଇବା ପାଇଁ କଡ଼ାକଡ଼ି ନିର୍ଦେଶ ଜାରି କରିବା ପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ପୁନର୍ବାର ଏ ସଂକ୍ରାନ୍ତରେ ସମସ୍ତ ଜିଲାପାଳ, ଏସପି, କମିଶନରେଟ ପୁଲିସ ଟିସିପି(ଟ୍ରାଫିକ), ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।
ପରିସଂଖ୍ୟାନ ଆଧାରରେ ସେ ଦର୍ଶାଇଛନ୍ତି ଯେ ୨୦୧୪ରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଥିଲା ୩୯୩୧। ତେବେ ୨୦୧୯ ମସିହା ସୁଦ୍ଧା ଦୁର୍ଘଟଣା ହାର ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ୩୬ ପ୍ରତିଶତ ବଢ଼ି ୫୩୩୩ରେ ପହଞ୍ଚିଛି। ସେହିପରି ୨୦୧୫ରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ଓଡ଼ିଶା ରାଜ୍ୟଗୁଡ଼ିକ ଭିତରେ ୧୪ ସ୍ଥାନରେ ଥିବାବେଳେ ୨୦୧୯ ସୁଦ୍ଧା ୧୨ ସ୍ଥାନରେ ପହଞ୍ଚିଛି। ତେବେ ୨୦୧୪କୁ ମୂଳ ବର୍ଷ ଭାବେ ଧରି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ୨୦୨୦ ସୁଦ୍ଧା ୫୦ପ୍ରତିଶତ କମାଇବା ପାଇଁ ସୁପ୍ରିମକୋର୍ଟ କମିଟି ରାଜ୍ୟଗୁଡ଼ିକୁ ନିର୍ଦେଶ ଦେଇଛନ୍ତି।
ସିଆଇଡ଼ି ଏବଂ କ୍ରାଇମବ୍ରାଞ୍ଚ ରିପୋର୍ଟ ଦେଇଛି ଯେ ୨୦୨୦ ସେପ୍ଟେମ୍ବର ଏବଂ ଅକ୍ଟୋବର ମଧ୍ୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହାର ଗତ ବର୍ଷର ଏହି ସମୟ ତୁଳନାରେ ପ୍ରାୟ ୨୭.୫ ପ୍ରତିଶତ ବଢ଼ିଛି।
୯ଟି ଜିଲାକୁ ଛାଡ଼ିଦେଲେ ଅନ୍ୟ ସବୁ ଜିଲାରେ ଦୁର୍ଘଟଣା ଓ ମୃତ୍ୟୁ ହାର ବଢ଼ିଛି। ବୌଦ୍ଧ, ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଅାଦି ୪ଟି ଜିଲାରେ ମୃତ୍ୟୁହାର ୧୦୦ ପ୍ରତିଶତ ବଢ଼ିଛି। କଟକ, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ଦୁର୍ଘଟଣାଜନିତ ମୃତ୍ୟୁ ୫୦ପ୍ରତିଶତ ବଢ଼ିଛି।
ସଡ଼କ ଦୁର୍ଘଟଣା କମାଇବାରେ ଏନଫୋର୍ସମେଣ୍ଟର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆରଟିଓୱାରୀ ୨୦୨୦ ଜାନୁଆରୀରୁ ସେପ୍ଟେମ୍ବର ଭିତରେ) ମିଳିଥିବା ସୂଚନା ଅନୁସାରେ ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ୪.୩୨, ଅଧିକ ବେଗ ପାଇଁ ୩୧.୫୯, ମୋବାଇଲ ବ୍ୟବହାର ପାଇଁ ୬.୮୬, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ ଲାଗି ୦.୯୬, ଓଭରଲୋଡ଼ିଂ ପାଇଁ ୯.୭୦, ହେଲମେଟ ନପିନ୍ଧିବା ଲାଗି ୩୯.୩୪, ସିଟ ବେଲ୍ଟ ଉଲ୍ଲଘଂନ କ୍ଷେତ୍ରରେ ୫୩.୪୯ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ସମୟ ଭିତରେ ୭.୨୧ପ୍ରତିଶତଙ୍କ ଡିଏଲ ସସ୍ପେଣ୍ଡ କରାଯାଇଛି।
ସେହିପରି ପୁଲିସ ଥାନା ୱାରୀ( ୨୦୨୦ ଜାନୁଆରୀରୁ ଅଗଷ୍ଟ ଭିତରେ) ଯାଞ୍ଚ ଦ୍ବାରା ଓଭରସ୍ପିଡ଼ିଂ ପାଇଁ ୨୫.୧୨, ନିଶାସକ୍ତ ଚାଳନା ପାଇଁ ୭୩.୩୩, ମୋବାଇଲ ଫୋନ ବ୍ୟବହାର ପାଇଁ ୧୮.୫୧ ଏବଂ ହେଲମେଟ ଆଇନ ଉଲ୍ଲଘଂନ ପାଇଁ ୨୧.୩୯ ପ୍ରତିଶତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଏଥିରୁ ଜଣାପଡ଼ିଛି ଯେ ଅଧିକାଂଶ ଜିଲାରେ ଏନଫୋର୍ସମେଣ୍ଟ ବ୍ୟବସ୍ଥାର ସ୍ଥିତି ଅତ୍ୟନ୍ତ ଦୟନୀୟ। ରାଜ୍ୟ ସରକାର ଦୁର୍ଘଟଣାରେ ଜନଜୀବନ ରକ୍ଷା ପାଇଁ ଏନଫୋର୍ସମେଣ୍ଟ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଇଣ୍ଟରସେପ୍ଟର, ବ୍ରିଦ ଆନାଲାଇଜର, ବ୍ୟାରିକେଡ଼ସ ବାବଦରେ ପ୍ରଚୁର ଅର୍ଥ ଖର୍ଚ୍ଚ କରିଛନ୍ତି। ଏସବୁ ଉପକରଣ ଚଳାଇବା ପାଇଁ ନିୟୋଜିତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାରିଶ୍ରମିକ ବାବଦରେ ସରକାର ବହୁତ ଅର୍ଥ ଖର୍ଚ୍ଚ ହୋଇଛି। ଏନ​‌େ​‌ଫାର୍ସମେଣ୍ଟ ତଥ୍ୟରୁ ସ୍ପଷ୍ଟ ଜଣାପଡ଼ିଛି ଯେ ଏସବୁ ଉପକରଣ ଠିକଣା ଭାବେ କାମରେ ଲଗାଯାଇ ନାହିଁ।
ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସୁପ୍ରିମକୋର୍ଟ କମିଟି ତାଙ୍କର ସମୀକ୍ଷା କାଳରେ ଦୁର୍ଘଟଣାଜନିତ ମୃତ୍ୟୁହାର ବୃଦ୍ଧି ନେଇ ଉଦବେଗ ପ୍ରକାଶ କରିବା ସହିତ ଏହା ହ୍ରାସ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନି।
ଦୁର୍ଘଟଣାରେ ମୃତାହତ ସଂଖ୍ୟା କମାଇବା ସହିତ ଅଧିକ ବେଗରେ ଗାଡ଼ି ଚଳାଇବା, ନିଶାସକ୍ତ ଅବସ୍ଥାରେ ଗାଡ଼ିଚାଳନା, ହେଲମେଟ ଆଇନ ଲାଗୁ କରିବା ଏବଂ ଗାଡ଼ି ଚାଳନା ସମୟରେ ମୋବାଇଲ ଫୋନ ବ୍ୟବହାର କରୁଥିବା ଚାଳକଙ୍କ ବିରୋଧରେ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ପୁନର୍ବାର ଚିଠି ଲେଖିଛନ୍ତି। ରାସ୍ତା ଉପରେ ଗାଡ଼ି ପାର୍କିଂ ଶୀତ ଋତୁରେ ଦୁର୍ଘଟଣାର ପ୍ରମୁଖ କାରଣ ହୋଇଥିବାରୁ ଗାଡ଼ି ପାର୍କିଂ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ହେଲମେଟ ଆଇନ ଉଲ୍ଲଘଂନ କ୍ଷେତ୍ରରେ ଡ଼୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ କରିବାକୁ ନିଶ୍ଚିତ କରିବାକୁ ନିର୍ଦେଶ ଦିଆଯାଇଛି। ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ପ୍ରତିଦିନ ଜିଲାଗୁଡ଼ିକର ଏନଫୋର୍ସମେଣ୍ଟ ବ୍ୟବସ୍ଥାର ସମୀକ୍ଷା ପାଇଁ ନିଷ୍ପତ୍ତି ହୋଇଛି।
ଜିଲାଗୁଡ଼ିକରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କାହିଁକି ବଢ଼ୁଛି ସେ ସମ୍ପର୍କରେ ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ପରିବହନ ବିଭାଗ ପ୍ରମୁଖ ସଚିବ ଜିଲାପାଳମାନଙ୍କୁ ‌ଅନୁରୋଧ କରିବା ସହିତ ଏହା କମାଇବା ଦିଗରେ କୌଣସି ପ୍ରକାର ସହଯୋଗର ଆବଶ୍ୟକତା ଥିଲେ ତାହା ତୁରନ୍ତ ଜଣାଇବାକୁ କହିଛନ୍ତି।

Comments are closed.