ଦୁର୍ଘଟଣାରେ ବାପା, ସାନପୁଅ ମୃତ; ବଡପୁଅ ଗୁରୁତର

ଉତ୍ତ୍ୟକ୍ତ ଲୋକଙ୍କ ରାଜପଥ ଅବରୋଧ

ବୌଦ୍ଧ/ଜହ୍ନାପଙ୍କ : ଶୁକ୍ରବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପ ସହ ଜଣେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ବଡପୁଅ ଗୁରୁତର ଅବସ୍ଥାରେ ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛି।
ମିଳିଥିବା ସୂଚନା ମୁତାବକ, ବୌଦ୍ଧ ବ୍ଲକ ବହିରା ପଞ୍ଚାୟତ ଅନ୍ତର୍ଗତ ଜୁରାମୁଣ୍ଡା ଗ୍ରାମର ସୁଧୀର ଦାଶ ଜାତୀୟ ରାଜପଥ ଦେଇ ବାଇକ୍‌ ଯୋଗେ ଦୁଇପୁଅଙ୍କୁ ସାଙ୍ଗରେ ନେଇ କୌଣସି କାର୍ୟ୍ୟରେ ବୌଦ୍ଧକୁ ଯାଉଥିବାବେଳେ ସିଙ୍ଗାରୀ ଢାବା ସମ୍ମୁଖରେ ସୁବର୍ଣ୍ଣପୁର ପଟରୁ ଆସୁଥିବା ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। କିନ୍ତୁ ଦୁର୍ଘଟଣା ଘଟାଇ ଟ୍ରକଟି ବେଶି ରାସ୍ତା ଯାଇନପାରି ତାଳସରଡା ଛକ ନିକଟରେ ଏକ କାରକୁ ଧକ୍କା ଦେବା ସହ ରାସ୍ତା ଉପରେ ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲା। ଏହି ଦୁର୍ଘଟଣାରେ ସୁଧୀର ଓ ତାଙ୍କର ୫ ବର୍ଷର ସାନପୁଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ବଡପୁଅକୁ ତୁରନ୍ତ ବାଉଁଶୁଣୀ ଚିକିତ୍ସାଳୟ ଓ ସେଠାରୁ ସୁବର୍ଣ୍ଣପୁର ଜିଲା ଚିିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଜାତୀୟରାଜପଥ ଅବରୋଧ କରିବା ସହିତ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ। ବାଉଁଶୁଣୀ ଥାନା ଅଧିକାରୀ ରାମ ସୁବ୍ରମଣ୍ୟମ ପ୍ରଧାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବୌଦ୍ଧରୁ ଏସ୍‌ଡିପିଓ ସାଲେଷ୍ଟିନ ଟିଗା ଓ ତହସିଲଦାର ସନତ କୁମାର ନାଏକ ଘଟଣାସ୍ଥଳରେ ପହଞ୍ଚି ଜାତୀୟ ରାଜପଥ ଅବରୋଧ କରିଥିବା ଗ୍ରାମବାସୀଙ୍କ ସହିତ ଆଲୋଚନା କରି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

Comments are closed.