ରିୟାଙ୍କୁ ଜେରା କରୁଥିବା ଦୁଇ ଆଇପିଏସ୍‍

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ ଏବେ ସାରା ଦେଶର ଦୃଷ୍ଟି ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଅନ୍ତରଙ୍ଗ ବାନ୍ଧବୀ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀଙ୍କ ଉପରେ। ସିବିଆଇ ଏହି ଘଟଣାର ତଦନ୍ତ ଦାୟିତ୍ୱ ନେବା ପରେ ରିୟା, ତାଙ୍କ ପରିବାର ସଦସ୍ୟ ଏବଂ ଅନ୍ୟ ସନ୍ଦିଗ୍ଧମାନଙ୍କୁ ପଚରାଉଚରା ଚାଲିଛି। ତେବେ ମୁଖ୍ୟ ଅଭିଯୁକ୍ତ ଭାବେ ଚର୍ଚ୍ଚିତ ରିୟାଙ୍କୁ ଜେରା କରୁଛନ୍ତି ସିବିଆଇର ଦୁଇ ଦକ୍ଷ ମହିଳା ଅଧିକାରୀ ଗଗନଦୀପ ଗମ୍ଭୀର ଏବଂ ନୂପୁର ପ୍ରସାଦ।

୪୫ବର୍ଷୀୟା ଗଗନଦୀପ ବିହାରର ମୁଜାଫରପୁର ବାସିନ୍ଦା। ସେ ଗୁଜରାଟ କ୍ୟାଡରର ୨୦୦୪ ବ୍ୟାଚ୍‍ର ଆଇପିଏସ୍‍। ରାଜକୋଟ ସମେତ ଭାରତର ପଶ୍ଚିମାଞ୍ଚଳରେ ଥିବା ଏକାଧିକ ଜିଲାରେ ଏସ୍‍ଏସ୍‍ପି ଭାବେ କାର୍ଯ୍ୟ କରିସାରିଛନ୍ତି। ଗତ ଦେଢବର୍ଷ ହେବ ସିବିଆଇରେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ଏକାଧିକ ହାଇପ୍ରୋଫାଇଲ ମାମଲାର ଯାଞ୍ଚ କରୁଥିବା ଟିମ୍‍ରେ ରହିଛନ୍ତି ଗଗନଦୀପ। ବେଆଇନ୍‍ ଖଣି କାରବାରରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମ୍ପୃକ୍ତି ଅଭିଯୋଗ ସହ ବିଜୟ ମାଲ୍ୟା, ଅଗସ୍ତା ୱେଷ୍ଟଲ୍ୟାଣ୍ଡ, କୋଇଲା ଦୁର୍ନୀତି ପରି ମାମଲାର ତଦନ୍ତକାରୀ ଟିମ୍‍ର ସଦସ୍ୟ ଥିଲେ ସେ। ଗଗନଦୀପ ନିଜ ଛାତ୍ରାବସ୍ଥାରେ ପଞ୍ଜାବ ବିଶ୍ୱବିଦ୍ୟାଳୟ ଟପର ରହିଥିଲେ।

ଅନ୍ୟତମ ଅଧିକାରୀ ନୂପୁର ପ୍ରସାଦ ୨୦୦୭ ବ୍ୟାଚ୍‍ର ଏଜିଏମ୍‍ୟୁଟି କ୍ୟାଡର ଆଇପିଏସ୍‍। ସେ ଦିଲ୍ଲୀର ଶାହଦରା ଡିସିପି ଭାବେ କାର୍ଯ୍ୟ କରିସାରିଛନ୍ତି। ଗତବର୍ଷ ସିବିଆଇରେ ଏସ୍‍ପି ଭାବେ ନିଯୁକ୍ତ ହେବା ପରେ ସେଠାରେ ବି ନିଜ ଦକ୍ଷତା ପ୍ରମାଣିତ କରିସାରିଲେଣି ନୂପୁର। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁସାରେ ନୂପୁରଙ୍କ ପ୍ରଶ୍ନ ପଚାରିବାର ପ୍ରକ୍ରିୟା ଭିନ୍ନ। ସେ ନିଜ ପ୍ରଶ୍ନ ଜାଲରେ ଅଭିଯୁକ୍ତଙ୍କୁ ଏପରି ଛନ୍ଦିଦେବେ ଯେ ସେ ଜାଣିପାରିବେନି କେତେବେଳେ ସତ କହିସାରିଲେଣି।

Comments are closed.