ରିଚାର୍ଡସନ୍‌ଙ୍କ କାନ୍ଧରେ ଅସ୍ତ୍ରୋପଚାର

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଝାଏ ରିଚାର୍ଡସନ୍‌ଙ୍କ ଡାହାଣ କାନ୍ଧରେ ପୁନର୍ବାର ଅସ୍ତ୍ରୋପଚାର କରିଛନ୍ତି ଡାକ୍ତରୀ ଦଳ। ସୂଚନାଥାଉକି ଗତବର୍ଷ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳୁଥିବା ବେଳେ ରିଚାର୍ଡସନ୍‌ଙ୍କ ଡାହାଣ କାନ୍ଧର ହାଡ଼ରେ ଗୁରୁତର ଆଘାତ ଲାଗିଥିଲା। ତେଣୁ ତାଙ୍କର କାନ୍ଧର ଅସ୍ତ୍ରୋପଚାର ହୋଇଥିଲା। ତେବେ ଏହି ଅସ୍ତ୍ରୋପଚାରରୁ ଅଧିକ ସୁଫଳ ନ ମିଳିବାରୁ ପୁନର୍ବାର ଡାକ୍ତରମାନେ ତାଙ୍କ କାନ୍ଧରେ ଅସ୍ତ୍ରୋପଚାର କରିଛନ୍ତି।

କରୋନା ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନ କ୍ରିକେଟ୍ ବନ୍ଦ ରହିଥିବାରୁ ଏହା ରିଚାର୍ଡସନ୍‌ଙ୍କ ସୁସ୍ଥତା ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହେବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ଆଶାବ୍ୟକ୍ତ କରାଯାଇଛି। କାନ୍ଧରେ ଆଘାତଜନିତ କାରଣରୁ ୨୩ ବର୍ଷୀୟ ରିଚାର୍ଡସନ୍‌ ଅଷ୍ଟ୍ରେଲିଆ ତରଫରୁ ଦିନିକିଆ ବିଶ୍ବକପ୍‌ ଓ ଆସସ୍‌ ସିରିଜ୍‌ ଖେଳି ପାରିନଥିଲେ। କାନ୍ଧରେ ଦ୍ବିତୀୟବାର ଅସ୍ତ୍ରୋପଚାର ହୋଇଥିବାରୁ ରିଚାର୍ଡସନ୍‌ ଚଳିତବର୍ଷ ମ୍ୟାଚ୍‌ ଖେଳିବା ଆଶା କମ୍‌ ଥିବା ଆଲୋଚନା ହେଉଛି। ରିଚାର୍ଡସନ୍‌ ଅଷ୍ଟ୍ରେଲିଆ ତରଫରୁ ୧୩ଟି ଦିନିକିଆ ମ୍ୟାଚ୍‌ ଖେଳି ୨୪ଟି ଉଇକେଟ‌ ହାସଲ କରିଛନ୍ତି।

Comments are closed.