ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ କଟକ ସାଂସଦ

ଆଠଗଡ :  ଆଠଗଡ ଓ ତିଗିରିଆ ବ୍ଲକରେ ମହାନଦୀ ବନ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଆଠଗଡ ବ୍ଲକ ସଭା ଗୃହରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ସାଂସଦ ଶ୍ରୀ ମହତାବ ଆଠଗଡ ଓ ତିଗିରିଆ ବ୍ଲକରେ ମହାନଦୀ ବନ୍ୟାଦ୍ୱାରା ହୋଇଥିବା କ୍ଷୟକ୍ଷତିର ବିବରଣୀ ଶୁଣିବା ପରେ ବନ୍ୟା ପରବର୍ତ୍ତୀ କାଳରେ କ’ଣ କ’ଣ ପଦକ୍ଷେପ ନେବା ଜରୁରୀ ସେ ସଂପର୍କରେ ଆଲୋଚନା କରିଥିଲେ । ଆଠଗଡ ବ୍ଲକରେ ଚଳିତ ମହାନଦୀ ବନ୍ୟାରେ ୩୪ଟି ପଞ୍ଚାୟତ ମଧ୍ୟରୁ ୧୮ଟି ପଞ୍ଚାୟତର ୬୮ଟି ଗ୍ରାମ ପ୍ରଭାବିତ ହୋଇଛି । ଏଥିରେ ପ୍ରଭାବିତ ହୋଇଥିବା ପ୍ରାୟ ୭୫୦୦ଲୋକଙ୍କ ମଧ୍ୟରୁ ୪୮୩୮ଜଣଙ୍କୁ ସ୍ଥାନାନ୍ତରିତ କରାଯାଇ ୮ଟି ସ୍ଥାନରେ ଥଇଥାନ କରାଯିବା ସହ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ ପ୍ରକାଶ କରିଥିଲେ। ସେହିପରି ଏହି ୧୮ଟି ପଞ୍ଚାୟତରେ ମୋଟ ୫୦୬୨ଟି ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ପକ୍ଷରୁ ମିଳିଥିବା ୨୪୭ ପ୍ୟାକେଟ ଗୋଖାଦ୍ୟ ବଣ୍ଟନ ଆରମ୍ଭ ହୋଇଛି। ସେହିପରି ଏହି ବନ୍ୟାରେ ୧୪ଟି ଗ୍ରାମ୍ୟ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବାରୁ ସରକାରଙ୍କ ଘୋଷଣା ଅନୁଯାୟୀ ସେମାନଙ୍କୁ ପ୍ରଥମେ ୩ଦିନର ରିଲିଫ ଯୋଗାଇ ଦିଆଯାଇଥିବାବେଳେ ଆଉ ୧୫ଦିନର ରିଲିଫ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ଚୟନୀ ସୂଚନା ଦେଇଥିଲେ । ଏଥି ସହିତ ତିଗିରିଆ ବ୍ଲକରେ ମୋଟ ୧୪ଟି ପଞ୍ଚାୟତ ମଧ୍ୟରୁ ୧୦ଟି ପଞ୍ଚାୟତର ୩୦ଟି ଗ୍ରାମର ମୋଟ ୧୫୭୭୫ଲୋକ ପ୍ରଭାବିତ ହୋଇଥିବାବେଳେ ସେମାନଙ୍କୁ ସ୍ଥାନାନ୍ତରିତ କରାଯାଇ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଥିବା ତିଗିରିଆର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ବେହେରା ସୂଚନା ଦେଇଥିଲେ। ତିଗିରିଆ ନଦୀକୂଳ ଅଞ୍ଚଳର ନନ୍ଦପୁର, ବଉଳାଙ୍ଗ ଓ ଖଣ୍ଡହତାଠାରେ ମହାନଦୀର ବନ୍ଧରେ ଘଳିଆ ସୃଷ୍ଟି ହୋଇଥିବାରୁ ସେଗୁଡିକୁ ସ୍ଥାୟୀ ଭାବେ ମରାମତି କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। ବନ୍ୟା ପରିସ୍ଥିତର ସଂପୂର୍ଣ୍ଣ ବିବରଣୀ ଶୁଣିବା ପରେ ପରବର୍ତ୍ତୀ ସମୟରେ ପ୍ରଭାବିତ ଲୋକଙ୍କୁ ଥଇଥାନ କରିବା ସହିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା, ଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ସ୍ୱଚ୍ଛତା ଓ ପରିମଳ ଉପରେ ସର୍ବାଧିକ ଗୁରୁତ୍ୱ ଦେବା ପାଇଁ ସାଂସଦ ଶ୍ରୀ ମହତାବ ପରାମର୍ଶ ଦେଇଥିଲେ। ଏଥି ସହିତ ଆସନ୍ତା ୭ଦିନ ମଧ୍ୟରେ ଭାଙ୍ଗିଥିବା ଘର, କୃଷି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତି ଏବଂ ଅନ୍ୟାନ୍ୟ କ୍ଷୟକ୍ଷତିର ଆକଳନ କରି ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ ପାଇଁ ସାଂସଦ କହିଥିଲେ । ଏହି ବୈଠକରେ ବନ୍ୟା ବେଳର ଏବଂ ପରବର୍ତ୍ତୀସ୍ଥିତ ସଂପର୍କରେ ଯୋଗଦେଇଥିବା ବିଭିନ୍ନ ବିଭାଗୀୟ ଅଧିକାରୀ ସଂପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିଲେ । ଏହି ବୈଠକରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ଡିଏଫଓ ସୁଦର୍ଶନ ଗୋପିନାଥ ଯାଧବ, ଆଠଗଡ ତହସିଲଦାର ପ୍ରିୟବ୍ରତ ଦାସ, ତିଗିରିଆ ତହସିଲଦାର ପ୍ରମୋଦ କୁମାର ବାସ୍କେ, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ, ଆଠଗଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ବ୍ରହ୍ମପୁର ସିଏଚସିର ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ କାଳୁଚରଣ ବେହେରା ଓ ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀ ଇଂ ପବିତ୍ର କୁମାର ସାହୁଙ୍କ ସମେତ ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.