ଓଡ଼ିଶାକୁ ଫେରିବ ସୋହାନି

ନୂଆଦିଲ୍ଲୀ: ଦୁଇବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଉତ୍ତରପ୍ରଦେଶ ନୋଇଡ଼ାର ଏକ ଏନଜିଓ ଅନାଥଶ୍ରମରେ ରହୁଥିବା ଓଡ଼ିଆ ଝିଅ ସୋହାନି ଜେନା ପାଇଁ ଓଡ଼ିଶା ଫେରିବା ବାଟ ଖୋଲିଛି। ଆଠ ବର୍ଷୀୟ ବାଳିକା ସୋହାନିର ହିତଦୃଷ୍ଟିରୁ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲାକୁ ସ୍ଥାନାନ୍ତର ଲାଗି ଗୌତମବୁଦ୍ଧ ନଗର ଜିଲା ବାଳ କଲ୍ୟାଣ ସମିତ ଅଧ୍ୟକ୍ଷ ଆଦେଶ ଜାରି କରିଛନ୍ତି। ଗତ ଡିସେମ୍ବର ୨୩ରେ ଜାରି ଆଦେଶନାମା ଅନୁଯାୟୀ ଜିଲା ପ୍ରୋବେସନ ଅଧିକାରୀ ଅଥବା ବାଳ ସଂରକ୍ଷଣ ଅଧିକାରୀ ଏକ ଟିମ ଗଠନ କରି ବାଳିକାର ସ୍ଥାନାନ୍ତର ସୁନିଶ୍ଚିତ କରିବେ। ‘ମାଇ ହୋମ ଇଣ୍ଡିଆ’ ନାମକ ସଂସ୍ଥା ମାଧ୍ୟମରେ ନୋଇଡ଼ାରୁ କେନ୍ଦ୍ରାପଡ଼ାକୁ ପହଞ୍ଚାଇବା ଲାଗି ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡ଼ିଛି।

ଗତ ୨୦୧୯ ଅକ୍ଟୋବରରେ ନୋଇଡାସ୍ଥିତ ସାଇକୃପା ହୋମରେ ଜଣେ ସାତବର୍ଷର ଓଡ଼ିଆ ଝିଅ ରହିଥିବା ନେଇ କେହି ଜଣେ ଓଡ଼ିଆ ମହାମଞ୍ଚର ନିର୍ଦେଶକ ଗୋବର୍ଦ୍ଧନ ଧଳଙ୍କୁ ହ୍ୱାଟସଆପରେ ସୂଚନା ଦେଇଥିଲେ। ସାଇକୃପାରେ ଶ୍ରୀ ଧଳ ପହଞ୍ଚି କୁନିଝିଅର ପରିଚୟ ଏବଂ ଠିକଣା ବିଷୟରେ ପଚାରି ବୁଝିଥିଲେ। ଝିଅଟି କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ଦେଉଳିତରା ଗ୍ରାମରୁ ଆସି ଦିଲୀରେ ପହଞ୍ଚିଥିବା ବିଷୟରେ ଜାଣିବା ପରେ ତାକୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ଓଡ଼ିଆ ମହାମଞ୍ଚ ତରଫରୁ ଓଡ଼ିଶା ସରକାରଙ୍କ ଦିଲୀସ୍ଥିତ ଆବାସିକ ଆୟୁକ୍ତ ଓ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ନଭେମ୍ବର ୨୦୧୯ରେ ଅନୁରୋଧ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ତରଫରୁ ସାମାଜିକ ତଦନ୍ତ ମାଧ୍ୟମରେ କୁନିଝିଅଟି ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ ହୋଇଥିଲା। ସାମାଜିକ ତଦନ୍ତ ରିପୋର୍ଟ ଅନୁଯାୟୀ କୁନି ଝିଅର ବାପା ସନ୍ତୋଷ ଜେନା ଅଥବା ମା’ଙ୍କର କୌଣସି ପତ୍ତା ମିଳି ନଥିଲା। ଗ୍ରାମରେ କେବଳ ଜେଜେ ବାପା ଓ ଜେଜେମାଆ ରହୁଥିଲେ। ମଧୁବାବୁ ପେନସନ ଅର୍ଥ ଓ ରାସନକାର୍ଡ ଚାଉଳରୁ ଉଭୟ ଜେଜେ ବାପା ଓ ଜେଜେ ମାଆ ନିଜର ଗୁଜୁରାଣ ମେଣ୍ଟଉଥିଲେ। ଆର୍ଥିକ ଅଭାବରୁ ଛୋଟ ଝିଅଟିକୁ ପାଖରେ ରଖିବାକୁ ତାର ଜେଜେ ବାପା ଓ ମାଆ ଅରାଜି ହୋଇଥିଲେ। ସାମାଜିକ ଓ ଆର୍ଥିକସ୍ଥିତିକୁ ଆକଳନ କରିବା ପରେ ପ୍ରଶାସନ ତରଫରୁ ଜେଜେବାପା ନଟବର ଓ ଜେଜେ ମାଆ ଇନ୍ଦୁମତୀ ଲାଳନପାଳନ କରିବାରେ ଅସମର୍ଥ ଦର୍ଶାଇ କୁନିଝିଅ ସୋହାନିର ଇନ୍‍ଷ୍ଟିଚ୍ୟୁସନାଲ କେଆର ଆବଶ୍ୟକ ବୋଲି ସୁପାରିଶ କରିଥିଲେ।

ଓଡ଼ିଆ ମହାମଞ୍ଚ ନିର୍ଦେଶକ ଶ୍ରୀ ଧଳଙ୍କ ସୂଚନା ଅନୁଯାୟୀ କୁନିଝିଅ ସୋହାନି ଜେନା ନିଜ ପିଉସୀଙ୍କ ସହ ନୋଇଡା ଆସିଥିଲା। ଖାଇବା ପିଇବା ଓ ଲାଳନପାଳନରେ ଅବହେଳା କାରଣରୁ ପିଲାଟି ଘର ଛାଡ଼ି ପଳାଇ ଯାଇଥିଲା। ନୋଇଡାର ଏକ ଏନଜିଓ ସାଇକୃପା ତାକୁ ଉଦ୍ଧାର କରି ଦୁଇ ବର୍ଷକାଳ ପାଖରେ ରଖିଛନ୍ତି। ସାଇକୃପାରେ ପ୍ରଥମେ ନିଜର ପରିଚୟ ଓ ଠିକଣା ସଠିକ୍‍ ଭାବେ କହି ପାରି ନଥିଲା ସୋହାନି। ଓଡ଼ିଆ ଭାଷାରେ ତାହା ସହ କଥା ହେବା ପରେ ସେ ନିଜ ବିଷୟରେ ତଥା ତାଙ୍କ ପୈତୃକ ଘର ଠିକଣା ଏବଂ କେଉଁ ପରିସ୍ଥିତିରେ ଏନଜିଓରେ ଆସି ପହଞ୍ଚିଥିଲା ସେବିଷୟରେ ଖୋଲି କହିଥିଲା। ସେହାନି ଜେନାଙ୍କ ଓଡ଼ିଶା ଲିଙ୍କ୍‍ ଜାଣିବା ପରେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ତରଫରୁ ଗତ ଫେବୃଆରୀରେ ଓଡ଼ିଶା ଫେରାଇ ନେବାକୁ ଉଦ୍ୟମ ହୋଇଥିଲା। ଲକ୍‌ଡାଉନ କାରଣରୁ ସ୍ଥାନାନ୍ତର ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା। ଏବେ ଗୌତମବୁଦ୍ଧ ନଗର ଜିଲା ବାଳ କଲ୍ୟାଣ ସମିତଙ୍କ ନିର୍ଦେଶ ପରେ ସୋହାନିର ଓଡ଼ିଶା ଫେରିବା ବାଟ ଖୋଲିଛି। କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ମଧ୍ୟ ନିୟମିତ ସମ୍ପର୍କରେ ଅଛନ୍ତି ବୋଲି ଶ୍ରୀ ଧଳ ସୂଚନା ଦେଇଛନ୍ତି।

Comments are closed.