ଜୁନରେ ଖୁଚୁରା ମୁଦ୍ରାସ୍ଫୀତି ୬.୨୬%

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନ୍‍ ମାସରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ସାମାନ୍ୟ ହ୍ରାସପାଇ ୬.୨୬% ହୋଇଛି। ତେବେ ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଆକଳନ କରାଯାଇଥିବା ସ୍ତର ୨ରୁ ୬% ଉପରେ ରହିଥିବା ଜଣାଯାଇଛି। ସରକାରଙ୍କ ପକ୍ଷରୁ ସୋମବାର ପ୍ରକାଶିତ ତଥ୍ୟ ଅନୁଯାୟୀ କ୍ରମାଗତ ଦ୍ୱିତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ୬%ରୁ ଅଧିକ ରହୁଛି। ଗତ ମଇ ମାସରେ ଏହା ୬.୩% ରହିଥିଲା। ଏଥିସହିତ ସେହି ସ୍ତର ଛଅମାସ ମଧ୍ୟରେ ସର୍ବୋଚ୍ଚ ରହିଥିଲା।

ଜଣାଯାଇଛି ଯେ ସମୁଦାୟ ଆଇଆଇପିରେ ୪୦% ଅଂଶ ରଖୁଥିବା ଆଠଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ମଧ୍ୟରୁ ଛଅଟିରେ ଗତ ମଇ ମାସରେ ସକାରାତ୍ମକ ଅଭିବୃଦ୍ଧି ଘଟିଥିଲା। ଏହି ମୂଳ କ୍ଷେତ୍ରଗୁଡିକର ଉତ୍ପାଦନ ମଇ ମାସରେ ୧୬.୮% ବୃଦ୍ଧିପାଇଥିଲା। ପରିସଂଖ୍ୟାନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଜୁନ୍‍ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ସାମାନ୍ୟ ବୃଦ୍ଧିପାଇ ୫.୧୫% ହୋଇଥିଲା। ଏହି ମାସରେ ମୁଖ୍ୟତଃ ଅଣ୍ଡା, ଖାଇବା ତେଲ, ଫଳ, ଡାଲି ଆଦିର ମୂଲ୍ୟବୃଦ୍ଧି ଦୁଇଅଙ୍କ ବିଶିଷ୍ଟ ହୋଇଥିଲା। ସେହିଭଳି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କାରଣରୁ ଇନ୍ଧନ ମୂଲ୍ୟସ୍ଫୀତି ୧୨.୭% ହୋଇଛି। ଅନୁରୂପ ଭାବରେ ପରିବହନ ବାବଦ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି।

Comments are closed.