୭.୩୫%ରେ ପହଞ୍ଚିଲା ପାଇକାରୀ ମୁଦ୍ରାସ୍ଫୀତି, ୪ବର୍ଷର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ: ଡିସେମ୍ବର ମାସରେ ପିଆଜ, ଟମାଟୋ ସହିତ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥର ଦରଦାମ ବୃଦ୍ଧି ଯୋଗୁ ପାଇକାରୀ ମୁଦ୍ରାସ୍ଫୀତି(ରିଟେଲ ଇନଫ୍ଲେସନ) ଗତ ୪ବର୍ଷର ରେକର୍ଡ ଭାଙ୍ଗିଛି। ଡିସେମ୍ବର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କରିଥିବା ଆକଳନ(୨%ରୁ ୬%) ଠାରୁ ମଧ୍ୟ ପାଇକାରୀ ମୁଦ୍ରାସ୍ଫୀତି ହାର ଊର୍ଦ୍ଧ୍ଵକୁ ଉଠି ୭.୩୫%ରେ ପହଞ୍ଚିଛି। ତେବେ କୋର୍‌ ଇନଫ୍ଲେସନ ହାର ବର୍ତ୍ତମାନ ୩.୭% ରହିଛି, ଯାହା ଗତବର୍ଷ ତୁଳନାରେ ସାମାନ୍ୟ ଅଧିକ।

୨୦୧୯ ଅକ୍ଟୋବରରେ ପାଇକାରୀ ମୁଦ୍ରାସ୍ଫୀତି ୪.୬୨% ରହିଥିଲାବେଳେ ନଭେମ୍ବରରେ ଏହା ବୃଦ୍ଧି ପାଇ ୫.୫୪%​‌ରେ ପହଞ୍ଚିଥିଲା। ମାତ୍ର ଗତ ୨ମାସ ଧରି ପିଆଜ ଦରରେ ଅହେତୁକ ବୃଦ୍ଧି ଘଟି କିଲୋ ପ୍ରତି ୫୦ ଟଙ୍କାରୁ ୧୬୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଇଥିଲା, ଯେଉଁଥିପାଇଁ ପାଇକାରୀ ମୁଦ୍ରାସ୍ଫୀତି ପ୍ରଭାବିତ ହୋଇଥିଲା।

କେଉଁ କ୍ଷେତ୍ରରେ ମୁଦ୍ରାସ୍ଫୀତି କେତେ ?

ଖାଦ୍ୟ ମୁଦ୍ରାସ୍ଫୀତି ହାର ଡିସେମ୍ବରରେ ୧୪.୧୯% ଥିଲାବେଳେ ପନିପରିବା ମୁଦ୍ରାସ୍ଫୀତି ହାର ୬୦.୫% ଥିଲା। ଘରୋଇ ସେବାଗୁଡ଼ିକର ମୁଦ୍ରାସ୍ଫୀତି ହଜାର ୧.୭୫%ରୁ ବୃଦ୍ଧି ପାଇ ୨.୨%ରେ ପହଞ୍ଚିଛି। ସେହିପରି ସ୍ବାସ୍ଥ୍ୟ କ୍ଷେତ୍ରରେ ମୁଦ୍ରାସ୍ଫୀତି ୫.୫%ରୁ ହ୍ରାସ ପାଇ ୩.୮% ରହିଛି। ଘରୋଇ ମୁଦ୍ରାସ୍ଫୀତି ୪.୫%ରୁ ଖସି ୪.୩%ରେ ପହଞ୍ଚିଛି। ଇନ୍ଧନ ମୁଦ୍ରାସ୍ଫୀତି ହାର ୧.୯%ରୁ ହ୍ରାସ ପାଇ ୦.୭%ରେ ରହିଛି।

Comments are closed.