ଅନ୍ନକୁ ସମ୍ମାନ ; ବିଶ୍ବଶାନ୍ତି ପାଇଁ ସମ୍ମିଳିତ ପ୍ରୟାସ ଆବଶ୍ୟକ

 

ବୁଭୁକ୍ଷିତଃ କିଂ ନକରୋତି ପାପମ୍‌। ଅର୍ଥାତ୍‌ କ୍ଷୁଧାର୍ତ୍ତ ବା ଭୋକିଲା ପ୍ରାଣୀ ନ୍ୟାୟ-ଅନ୍ୟାୟ ବିଚାର କରିପାରେ ନାହିଁ। ଭୋକର ଜ୍ବାଳା ତାକୁ ହିତାହିତ ଜ୍ଞାନଶୂନ୍ୟ କରିଦିଏ। ଯଦି କୌଣସି ଜନପଦରେ ଭୋକିଲାଙ୍କ ସଂଖ୍ୟା ବୃଦ୍ଧିପାଏ, ତେବେ ସେଠାରେ ସାମାଜିକ ଶାନ୍ତି ଓ ପରିବେଶ ସନ୍ତୁଳନ ବ୍ୟାହତ ହୁଏ। ଯେଉଁ ସମାଜ ବା ଅଞ୍ଚଳରେ ଖାଦ୍ୟ ସମସ୍ୟା ଯେତେ ସମାହିତ, ଖାଦ୍ୟ ଶୃଙ୍ଖଳ ଯେତେ ବ୍ୟବସ୍ଥିତ, ସେହି ଅଞ୍ଚଳ ସେତେ ଅଧିକ ଶାନ୍ତ, ସୁନ୍ଦର ଓ ବିକଶିତ। ବିଡ଼ମ୍ବନାର ବିଷୟ ହେଉଛି, ଆଧୁନିକ ବିଶ୍ବ ଯେତେ ବିକାଶ ପଥରେ ଗତି କରୁଛି ବୁଭୁକ୍ଷୁ ତାଲିକା ସେତେ ଦୀର୍ଘ ହୋଇଯାଉଛି। ଏହା ବିଶ୍ବଶାନ୍ତି ସହାବସ୍ଥାନ ପାଇଁ ଆଦୌ ଗ୍ରହଣୀୟ ନୁହେଁ। ବିଶ୍ବ ବିକାଶ ପଥରେ ଥିବା ଏହି ଅସଙ୍ଗତି ଦୂର କରିବା ପାଇଁ ଜାତିସଂଘ ଅଧୀନ ବିଶ୍ବଖାଦ୍ୟ ଯୋଜନା (ଡବ୍ଲ୍ୟୁଏଫପି) ନିରନ୍ତର ପ୍ରୟାସ ଜାରି ରଖିଛି। ଏହି ପ୍ରୟାସକୁ ଯଥୋଚିତ ସମ୍ମାନ ଓ ସମର୍ଥନ ଜଣାଇ ନୋବେଲ କମିଟି ଚଳିତବର୍ଷର ସର୍ବଶ୍ରେଷ୍ଠ ଶାନ୍ତି ପୁରସ୍କାର ପାଇଁ ଡବ୍ଲ୍ୟୁଏଫପିକୁ ମନୋନୀତ କରିଛି। ତେଣୁ ଏହା କେବଳ ବିଶ୍ବହିତରେ ଉଦ୍ୟମରତ କୌଣସି ସଂସ୍ଥାକୁ ସ୍ବୀକୃତି ନୁହେଁ, ବରଂ ଶାନ୍ତି ସହାବସ୍ଥାନରେ ଅନ୍ନ (ଖାଦ୍ୟ)କୁ ସମ୍ମାନ ବୋଲି କୁହାଯାଇପାରେ। ଚଳିତବର୍ଷ ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ୨୧୧ ବ୍ୟକ୍ତିବିଶେଷ ଓ ୧୦୭ଟି ଅନୁଷ୍ଠାନ ଥିବାବେଳେ କୌଣସି ଏକ ଯୋଜନାକୁ ଯୋଗ୍ୟ ବିବେଚିତ କରାଯିବା ଅନନ୍ୟ ପଦବାଚ୍ୟ।
ଇଟାଲୀର ରାଜଧାନୀ ରୋମ୍‌ରେ ଅବସ୍ଥାପିତ ଡବ୍ଲ୍ୟୁଏଫ୍‌ପି ୧୯୬୧ରେ ପ୍ରତିଷ୍ଠା ହେବା ପରଠାରୁ ବିଶ୍ୱରେ ଖାଦ୍ୟସଂକଟ ଦୂରୀକରଣ ଓ ଖାଦ୍ୟ ସୁରକ୍ଷା ପ୍ରଦାନ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଛି। ଗତବର୍ଷ ଏହି ଯୋଜନା ୮୮ଟି ଦେଶର ୧୦କୋଟି ବୁଭୁକ୍ଷୁଙ୍କୁ ଖାଦ୍ୟ ସହାୟତା ଯୋଗାଇଥିଲା। ବିଶ୍ବ ଖାଦ୍ୟ ସଂକଟ ପାଇଁ ମୁଖ୍ୟତଃ ଯୁଦ୍ଧ ବିଭୀଷିକା ଓ ଜଳବାୟୁ ପରିବର୍ତ୍ତନକୁ ଡବ୍ଲ୍ୟୁଏଫପି ଦାୟୀ କରିଛି। ପରିତାପର ବିଷୟ ଯେ ପରିବେଶ ପ୍ରଦୂଷଣ ଓ ଅସ୍ବାଭାବିକ ଜଳବାୟୁ ପରିବର୍ତ୍ତନ ପରି ସମସ୍ୟା ସମାଧାନ ଦିଗରେ ଜାତିସଂଘର ସମ୍ପୃକ୍ତ ଅନ୍ୟ ବିଭାଗଗୁଡ଼ିକ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କୁହାଯାଇପାରେ। ସିରିଆ, ନାଇଜେରିଆ, ୟେମେନ ଆଦି ଦେଶଗୁଡ଼ିକର ଅଧିବାସୀ ଯୁଦ୍ଧ ବିଭୀଷିକାର କଳାବାଦଲ ତଳେ ଏକ ଅସୁରକ୍ଷିତ ଜୀବନ ଜିଉଁଥିବାବେଳେ ଏହାର ସ୍ଥାୟୀ ସମାଧାନରେ ଜାତିସଂଘର ସୁରକ୍ଷା ପରିଷଦ ବିଫଳ ହୋଇଛି। ସେହିପରି ତଥାକଥିତ ବିକାଶର ଦ୍ବାହିଦେଇ ବଢ଼ି ଚାଲୁଥିବା ବିଶ୍ବତାପନ ଓ ତଦ୍‌ଜନିତ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଯେଉଁ ସହମତି ଆବଶ୍ୟକ ତାହାର ନେତୃତ୍ବ ନେବାରେ ୟୁଏନଏପିର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏକପକ୍ଷରେ ଅଶାନ୍ତ ବାତାବରଣ ଓ ଅସ୍ବସ୍ତିକର ପରିବେଶ ସୁଧାର ଆଣିବାରେ ପ୍ରତ୍ୟକ୍ଷ ବିଫଳତା ଏବଂ ଅପରପକ୍ଷରେ ଏହାର ପ୍ରଭାବକୁ ପ୍ରତିହତ କରିବାରେ ପରୋକ୍ଷ ସଫଳତାକୁ ତଉଲିବା ପରେ ଦ୍ବିତୀୟ ପ୍ରସଙ୍ଗକୁ ନୋବେଲ କମିଟି ଯଥାଯଥ ସମ୍ମାନ ଦେଇଛି। ଏହା ସହିତ ଯୁଦ୍ଧ ଘନଘଟାର ଅବସାନ ଓ ପରିବେଶ ସନ୍ତୁଳନ ଦିଗରେ ଜାତିସଂଘର ଆହ୍ବାନ ଓ ଦାୟିତ୍ବ ଆହୁରି ବଢ଼ିଯାଉଛି।
ବର୍ତ୍ତମାନ ସମଗ୍ର ବିଶ୍ବ ଏକ ଘଡ଼ିସନ୍ଧି ସମୟ ଦେଇ ଗତି କରୁଛି। କରୋନା ମହାମାରୀ ଏହି ସମସ୍ୟାକୁ ଆହୁରି ଉତ୍କଟ କରିଛି। ଲୋକଙ୍କ ଜୀବନ ସହିତ ଜୀବିକା ଗୁରୁତର ପ୍ରଭାବିତ ହୋଇଛି। ବୁଭୁକ୍ଷୁଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। ଯଦି ବର୍ତ୍ତମାନର ଧାରାରେ କୌଣସି ପରିବର୍ତ୍ତନ ନ ଆସେ ତେବେ ୨୦୩୦ ସୁଦ୍ଧା ବିଶ୍ୱ ଜନସଂଖ୍ୟାର ୩୦ ପ୍ରତିଶତ ଭୋକିଲା ତାଲିକାରେ ସାମିଲ ହୋଇଯିବେ ବୋଲି ଜାତିସଂଘ ଆକଳନ କରିଛି। ଏଭଳି ସମୟରେ ବିଶ୍ବତାପନ ଯୋଗୁଁ ଆଣ୍ଟାର୍କଟିକା ଓ ଗ୍ରୀନଲାଣ୍ଡ ସମେତ ସମଗ୍ର ବିଶ୍ବର ହିମସ୍ତର ତରଳିବାରେ ଲାଗିଛି। ଏହାର ପ୍ରଭାବରେ ସମୁଦ୍ର ଜଳସ୍ତର ବୃଦ୍ଧି ପାଇ କୃଷି ଓ ଜନବସତି ପ୍ରତି ବିପଦ ଆଣିବ ବୋଲି ପରିବେଶ ବିଜ୍ଞାନୀମାନେ ଚେତାବନୀ ଦେଇସାରିଛନ୍ତି। ଅପରପକ୍ଷରେ ଚୀନ ଓ ଉତ୍ତରକୋରିଆ ପରି ଦେଶର ବିସ୍ତାରବାଦୀ ଆଭିମୁଖ୍ୟ ବିଶ୍ବଯୁଦ୍ଧର ଆଶଙ୍କାକୁ ଘନୀଭୂତ କରିଛି। କୃଷି ଅର୍ଥନୀତି ସଂକଟ ସହିତ ଯୁଦ୍ଧ ବିଧ୍ବସ୍ତ ପରିସ୍ଥିତି ବୁଭୁକ୍ଷୁ ବିଶ୍ବର ଚିତ୍ରକୁ ଆହୁରି କରାଳ କରିବ, ଯାହା ବିଶ୍ବଶାନ୍ତି ପାଇଁ ଶୁଭଙ୍କର ନୁହେଁ।
ବିଶ୍ବବାସୀଙ୍କୁ ଶାନ୍ତି ଓ ସହାବସ୍ଥାନର ରାସ୍ତା ଦେଖାଇବାକୁ ହେଲେ ଜାତିସଂଘର ସବୁ ବିଭାଗ ସମ୍ମିଳିତ ଓ ସମନ୍ବିତ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ବିଶ୍ବ କଲ୍ୟାଣ ଦିଗରେ ସମର୍ପିତ ଭାବନା ରହିଲେ ହୁଏତ ସମ୍ମିଳିତ ପ୍ରୟାସକୁ ନୋବେଲ କମିଟି ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିପାରେ। ଅନ୍ନ ସହିତ ଧନ (ପରିବେଶ ଅନୁକୂଳ ବିକାଶ) ଓ ମନ (ଯୁଦ୍ଧ ମାନସିକତାର ପରିହାର)କୁ ସମ୍ମାନ ପାଇଁ ପ୍ରୟାସ ଜାରି ରହିଲେ ବିଶ୍ବଶାନ୍ତିର ପଥ ପ୍ରଶସ୍ତ ହେବ। ନୋବେଲ ଶାନ୍ତି ପୁରସ୍କାର ଏଥିପାଇଁ ଏକ ସତର୍କ ଘଣ୍ଟି ଓ ମାର୍ଗଦର୍ଶକ ରୂପେ କାର୍ଯ୍ୟ କରୁ।

Comments are closed.