ଜିନପିଙ୍ଗ ୩ୟ ଥର ରାଷ୍ଟ୍ରପତି ହେବା ପଥ ପରିଷ୍କାର: ଚୀନ କମ୍ୟୁନିଷ୍ଟ ପାର୍ଟିରେ ଐତିହାସିକ ପ୍ରସ୍ତାବ ଗୃହୀତ

ବେଜିଂ: ଚୀନ କମ୍ୟୁନିଷ୍ଟ ପାର୍ଟିରେ ସି ଜିନପିଙ୍ଗର ନେତୃତ୍ୱ ତଥା ଦଳର ମୁଖ୍ୟ ଭାବରେ ତାଙ୍କର ସ୍ଥିତିକୁ ଅଧିକ ସୁଦୃଢ କରିବାକୁ ଦଳ ପକ୍ଷରୁ ପ୍ରସ୍ତାବ ଗୃହୀତ ହୋଇଛି । ଏହାଦ୍ୱାରା ଜିନପିଙ୍ଗ ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହେବା ପଥ ପରିଷ୍କାର ହୋଇଯାଇଛି । ଗୁରୁବାର ଚୀନ କମ୍ୟୁନିଷ୍ଟ ପାର୍ଟିର ଅନୁଷ୍ଠିତ ସମ୍ମିଳନୀରେ ଦଳର ମୁଖ୍ୟ ଭାବରେ ଜିନିପଙ୍ଗଙ୍କ ସ୍ଥିତି ସୁଦୃଢ କରିବା ପ୍ରସ୍ତାବ ଗୃହୀତ ହୋଇଥିଲା । ଏହାଦ୍ୱାରା ସି ଜିନପିଙ୍ଗ ଦେଶର ରାଷ୍ଟ୍ରପତି ଭାବରେ ତୃତୀୟ ଥର ପାଇଁ ଏବଂ ସମ୍ଭବତଃ ତାହା ପରବର୍ତ୍ତୀ ସମୟରେ ମଧ୍ୟ ଅଧିଷ୍ଠିତ ହେବାରେ ଆଉ କୌଣସି ସମସ୍ୟା ରହିବ ନାହିଁ । ଦଳର ୧୦୦ ବର୍ଷର ଇତିହାସରେ ଏଭଳି ଏକ ପ୍ରସ୍ତାବ ତୃତୀୟ ଥର ପାଇଁ ଗୃହୀତ ହୋଇଥିବା ଜଣାଯାଇଛି । ଦଳର ପ୍ରତିଷ୍ଠାତା ମାଓ ସେ ଦୋଙ୍ଗ ଏବଂ ତାଙ୍କର ଉତ୍ତରାଧିକାରୀ ଡେଙ୍ଗ ଜିଆଓପିଙ୍ଗଙ୍କ ସମୟରେ ଦଳ ପକ୍ଷରୁ ଏଭଳି ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଜିନପିଙ୍ଗର ଚଳିତ ତଥା ଦ୍ୱିତୀୟ ରାଷ୍ଟ୍ରପତିତ୍ୱ କାର୍ଯ୍ୟାବଧି ଆସନ୍ତା ବର୍ଷ ଶେଷ ହେବାକୁ ଯାଉଛି । ତାହା ପରେ ସେ ପୁନର୍ବାର ରାଷ୍ଟ୍ରପତି ଭାବରେ ଅଧିଷ୍ଠିତ ହେବେ । ଏପରିକି ସେ ଅବସର ନନେଇ ଉକ୍ତ ପଦବୀରେ ଅନିର୍ଦ୍ଦଷ୍ଟ କାଳ ପର୍ଯ୍ୟନ୍ତ ରହିପାରିବେ । ଏହାଦ୍ୱାରା ସି ଜିନପିଙ୍ଗ ଦେଶର ରାଜନୈତିକ ଜଗତରେ ନୂଆ ଇତିହାସ ସୃଷ୍ଟି କରିଛନ୍ତି ।

Comments are closed.