’ମତଦାନ ହାର ବୃଦ୍ଧି ପାଇବା ଗଣତନ୍ତ୍ର ପାଇଁ ଶୁଭ ସଂକେତ’ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ବକ୍ତବ୍ୟ ରଖିଛନ୍ତି । ଆଲୋଚନାରେ ଯୋଗଦାନ କରିଥିବାରୁ ଉଚ୍ଚ ସଦନର ସଦସ୍ୟମାନଙ୍କୁ ସେ ଧନ୍ୟବାଦ ପ୍ରଦାନ କରିଥିଲେ । ରାଜ୍ୟସଭା ସାଂସଦ ଶ୍ରୀ ମଦନଲାଲ ସାଇନିଙ୍କ ବିୟୋଗରେ ସେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ସୂଚାଉଛି ଯେ ନାଗରିକମାନେ ସ୍ଥାୟୀତ୍ୱ ଚାହୁଁଛନ୍ତି । ସେ କହିଲେ ଯେ ଏବେ ବିଭିନ୍ନ ରାଜ୍ୟରେ ସ୍ଥାୟୀ ସରକାରଙ୍କୁ ନିର୍ବାଚିତ କରିବାର ପ୍ରବୃତି ମଧ୍ୟ ଦେଖାଯାଉଛି ।
ଏଇ ନିକଟରେ ସମାପ୍ତ ହୋଇଥିବା ଲୋକସଭା ନିର୍ବାଚନରେ ନିର୍ବାଚନୀ ପ୍ରକ୍ରିୟାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ ସମଗ୍ର ପ୍ରକ୍ରିୟା ବିଶାଳ ଥିଲା । ଗଣତନ୍ତ୍ର ହଜିଯାଇଛି ବୋଲି କେତେକ ନେତା ଯେଉଁ ମନ୍ତବ୍ୟ ଦେଇଥିଲେ ପ୍ରଧାନମନ୍ତ୍ରୀ ତାହାକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ମତଦାତାଙ୍କର ବିଜ୍ଞତାକୁ ନେଇ ପ୍ରଶ୍ନ ନଉଠାଇବା ପାଇଁ ସେ ସଦସ୍ୟମାନଙ୍କୁ କହିଥିଲେ । “ଆମ ନିର୍ବାଚନୀ ପ୍ରକ୍ରିୟା ଏବଂ ଗଣତନ୍ତ୍ରକୁ ସମ୍ମାନ ଦେବା ଜରୁରୀ” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।
ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)କୁ ନେଇ ଉଠାଯାଇଥିବା ପ୍ରଶ୍ନକୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଥିଲେ । ସେ କହିଲେ ଯେ ଇଭିଏମ ଦ୍ୱାରା ବୁଥ ଦଖଲ ଓ ହିଂସା ଘଟଣାରେ ହ୍ରାସ ଘଟିଛି । “ଏବେ ମତଦାନ ବଢ଼ୁଥିବାର ଖବର ଆସୁଛି । ଏହା ଗଣତନ୍ତ୍ର ପାଇଁ ଶୁଭ ସଂକେତ,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ପ୍ରକାଶ କରିଥିଲେ ଯେ ଭିଭିପାଟ ଦ୍ୱାରା ଇଲେକ୍ଟ୍ରୋନିକ ଭୋଟିଂ ମେସିନର ବିଶ୍ୱସନୀୟତା ବୃଦ୍ଧି ପାଇଛି ।
ନିର୍ବାଚନୀ ସଂସ୍କାର ସମ୍ବନ୍ଧରେ ମତପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତରେ ନିର୍ବାଚନୀ ପ୍ରକ୍ରିୟାକୁ ସୁଦୃଢ଼ କରିବା ପାଇଁ ସଂସ୍କାର ପ୍ରକ୍ରିୟା ନିହାତି ଆବଶ୍ୟକ । ଏହି ପ୍ରସଙ୍ଗରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ନିର୍ବାଚନୀ ସଂସ୍କାର ପ୍ରସ୍ତାବ ଉପରେ ଆଲୋଚନା କରି ମତଦାନ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରକ୍ରିୟାଗୁଡ଼ିକୁ ସରଳ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରିଛନ୍ତି ଯାହାଦ୍ୱାରା ଭାରତର ଜନସାଧାରଣ ଲାଭବାନ ହେବେ । ସେ କହିଲେ ଯେ ସରକାର ସାଧାରଣ ଲୋକଙ୍କ ସଶକ୍ତୀକରଣରେ ବିଶ୍ୱାସ କରନ୍ତି । ଦେଶର ନାଗରିକ ମାନଙ୍କ ପାଇଁ ଗୃହ, ବିଦ୍ୟୁତ, ଗ୍ୟାସ ସଂଯୋଗ, ଶୌଚାଳୟ ଆଦି ସୁବିଧା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ କାର୍ୟ୍ୟ ଉପରେ ସେ ଆଲୋକପାତ କରିଥିଲେ । ଭାରତକୁ ଏକ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରାଇବା ନେଇ କାର୍ୟ୍ୟ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଏକ ସକାରାତ୍ମକ ଚିନ୍ତାଧାରାରେ କାର୍ୟ୍ୟ କରିବା ସହ ପ୍ରସ୍ତାବ ଏବଂ ଉପାୟ ପ୍ରଦାନ କରିବା ଲାଗି ସେ ସମସ୍ତ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ ଏଇ ନିକଟରେ ଝାଡଖଣ୍ଡରେ ଘଟିଥିବା ଦୁର୍ଘଟଣାକୁ ନେଇ ସେ ଗଭୀର ଭାବେ ମର୍ମାହତ । ଦେଶର ଆଇନ ଅନୁଯାୟୀ ଦୋଷୀକୁ ଦଣ୍ଡ ମିଳିବା ଉଚିତ ବୋଲି ସେ କହିଥିଲେ । ଗୋଟିଏ ଘଟଣା ପାଇଁ ସମଗ୍ର ଦେଶକୁ ବଦନାମ କରିବା ଠିକ ନୁହେଁ ବୋଲି ସେ କହିଥିଲେ । ସେ କହିଲେ ଯେ ହିଂସା ସୃଷ୍ଟିକାରୀମାନଙ୍କର ଦୃଢ଼ତାର ସହ ମୁକାବିଲା କରାଯିବା ଉଚିତ ଏବଂ ସମସ୍ତ ରାଜ୍ୟ ନିର୍ବିଶେଷରେ ଏପରି ଘଟଣା ମାନଙ୍କୁ ଆଇନ ଅନୁସାରେ ମୁକାବିଲା କରାଯିବା ଉଚିତ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆୟୁଷ୍ମାନ ଭାରତକୁ ସୁଦୃଢ଼ କରିବା ବର୍ତ୍ତମାନ ସମୟର ଆବଶ୍ୟକତା । “ ଆମେ ଚାହୁଁ କି ଆମ ଗରିବ ଜନସାଧାରଣ ଶସ୍ତାରେ ଉଚ୍ଚ ଗୁଣାତ୍ମକ ଚିକିତ୍ସା ପାଆନ୍ତୁ,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ
ଉତ୍ତରପୂର୍ବାଂଚଳ ଏବଂ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ବିକାଶ ପାଇଁ ସମ୍ପୂର୍ଣ୍ଣ ରୂପେ ଧ୍ୟାନ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ । ସହଯୋଗୀ ସଂଘୀୟ ବ୍ୟବସ୍ଥା ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାତୀୟ ଅଭିଳାଷା ସହିତ ଆଞ୍ଚଳିକ ଆକାଂକ୍ଷା ରହିବା ଗୁରୁତ୍ୱପୂର୍ଣ୍ଣ । ଦେଶକୁ ଉନ୍ନତ ଓ ଶକ୍ତିଶାଳୀ କରିବା ପାଇଁ ନାଗରିକମାନେ ଯାହା କରିପାରିବେ ତାହା କରିବା ଆବଶ୍ୟକ ବୋଲି ସେ ଆହ୍ୱାନ କରିଥିଲେ । ଭାରତକୁ ଏକ ନୂତନ ଉଚ୍ଚତାକୁ ନେଇଯିବା ପାଇଁ ଏବଂ ଏକ ନୂତନ ଭାରତ ନିର୍ମାଣ ଲାଗି ଏକାଠି କାମ କରିବା ଲାଗି ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

Comments are closed.