ଅତାବିରା ଦୂର୍ଗା ମନ୍ଦିର ଚୋରି ଘଟଣା: ଥାନା ଘେରିଲେ ଅଞ୍ଚଳବାସୀ

ରେଙ୍ଗାଲିକେମ୍ପ: ଅତାବିରାରେ ଚୋରୀ, ଡକାୟତି, ଜୁଆ, ସଟ୍ଟା, ଘୁଡୁ ଘୁଡୁ ପଟ୍ଟି ସହ ବେନିୟମ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଯୁବ ଗୋଷ୍ଠୀଙ୍କୁ ଲାଳାୟିତ କରୁଛି। ଯାହା ସେମାନଙ୍କ ଭବିଷ୍ୟତ ନଷ୍ଟ କରୁଛି ଓ ପରିବାର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଜଣ ସାଧାରଣ ଯିବା ଆସିବାରେ ମଧ୍ୟ ସୁରକ୍ଷିତ ମଣୁ ନାହାନ୍ତି। ଅଞ୍ଚଳରେ ଘଟଣା କ୍ରମେ ଚୋରୀ, ଡକାୟତି, ଲୁଟ ସହ ଲୋମହର୍ଷଣକାରୀ ବୋମା ବିସ୍ପୋରଣ ଘଟଣା ଘଟି ଲୋକଙ୍କ ଜୀବନକୁ ଥରାଇ ଦେଇଛି।

ଏବେ ପୁଣି ରାଜରାସ୍ତା କଡରେ ଥିବା ଥାନା ସମ୍ମୁଖ ଦୂର୍ଗା ମନ୍ଦିରରୁ ଚୋରି ହେବା ଘଟଣା ପୁଲିସ ପାଇଁ ଆହ୍ୱାନ ହୋଇଛି। ଗତ ସେପ୍ଟେମ୍ବର ୯ତାରିଖ ବିଳମ୍ବିତ ରାତ୍ରିରେ ମା’ଙ୍କ ମୁକୁଟ, ମଥାମଣି, ଛତର ଓ ହୁଣ୍ଡି ଭାଙ୍ଗି ଅତି ସହଜରେ ସିସି କ୍ୟାମେରା, ରାଜରାସ୍ତା କଡ଼ ତଥା ପୁଲିସ ପ୍ରଶାସନ ଆଖିରେ ଧୂଳି ଦେଇ ଲକ୍ଷାଧିକ ଟଙ୍କାର ଅଳଙ୍କାର ଦୁବୃର୍ତ୍ତମାନେ ଚୋରୀ କରି ଚମ୍ପଟ ମାରିଥିଲେ ତାହା ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଚୋରୀ ଘଟଣାକୁ ନେଇ ଦୂର୍ଗା ମନ୍ଦିର ପରିସରରେ କମିଟି ପକ୍ଷରୁ ସର୍ବସାଧାରଣଙ୍କୁ ଅନେକ ଥର ସଭା ସମିତି ହୋଇ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ମା’ ଦୁର୍ଗା ଙ୍କ ଚୋରୀ ସାମଗ୍ରୀ ସହ ଦୁର୍ବୃତ୍ତମାନଙ୍କୁ ଗିରଫ କରି ନଥିବାରୁ ଉତ୍ୟକ୍ତ ଜନତା ଥାନା ସମ୍ବୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ। ଦୀର୍ଘ ୬ଘଣ୍ଟା ଧରି ଦୋକାନ ବଜାର ବନ୍ଦ କରିବା ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଏସଡିପିଓ ଦୀପକ୍ ଗୋଚ୍ଛାୟତ ଧାରଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରିଥିଲେ ହେଁ ଉତ୍ୟକ୍ତ ଜନତା ମାନି ନଥିଲେ ଓ ଯେଭଳି ଭାବରେ ପୋଲିସ ପ୍ରଶାସନ ଏବେ ପର୍ଯ୍ୟନ୍ତ ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି ତାହା ବିଶ୍ୱାସ ଯୋଗ୍ୟ ନୁହେଁ ଓ ଉପରିସ୍ଥ ଅଧିକାରୀ ନ ଆସିବେ ତେବେ ପର୍ଯ୍ୟନ୍ତ ଧାରଣାରେ ଅଡି ରହିବେ କହିଥିଲେ।

ଯାହାକୁ ନେଇ ଆସନ୍ତା ୧୫ତାରିଖ ଉପରିସ୍ଥ ଅଧିକାରୀ ଜନତାଙ୍କ ଧାରଣାସ୍ଥଳକୁ ପହଞ୍ଚିବେ ବୋଲି ଏସଡିପିଓ ଗୋଚ୍ଛାୟତ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ଆଜି ସନ୍ଧ୍ୟାରେ ସର୍ବ ଦଳୀୟ ବୈଠକ ହୋଇ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଧାରଣାରେ ଲୋକେ ବସି ରହିବେ ଓ ଯେବେ ପର୍ଯ୍ୟନ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ନ ଆସିବେ ତେବେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।

Comments are closed.