ମହିଳା ସଶକ୍ତିକରଣ: ମହିଳାଙ୍କ ଉଦ୍ୟମରେ ହେଲା ପୋଖରୀ ପରିଷ୍କାର

ରେଙ୍ଗାଲିକେମ୍ପ: ବର୍ତ୍ତମାନ ନାରୀ ସଶକ୍ତିକରଣ ପାଇଁ ଚାରିଆଡେ ସଭା ସମିତି କରାଯାଉଛି, ନାରୀମାନଙ୍କୁ ନିଜ ଶକ୍ତିକୁ ନିଜେ ଚିହ୍ନିବା ପାଇଁ ଆହ୍ବାନ ଦିଆଯାଉଛି। କିନ୍ତୁ ଝିଲିମିଣ୍ଡାର ଏହି ମହିଳାମାନଙ୍କୁ ଦେଖି ଜଣାପଡୁଛି, ଏମାନଙ୍କ ପାଇଁ କୌଣସି ନାରା, ସ୍ଲୋଗାନ କିମ୍ବା ଉଦବୋଧନର ଆବଶ୍ୟକତା ନାହିଁ, କାରଣ ଏମାନେ ନାରୀ ଶକ୍ତିର ସ୍ୱାଭିମାନ, ନାରୀର ଆତ୍ମ ବିଶ୍ୱାସ ଆଉ ନାରୀ ଶକ୍ତିର ମର୍ଯ୍ୟାଦାକୁ ବେଶ୍ ଭଲ ଭାବରେ ବୁଝି ସାରିଛନ୍ତି।

ମହିଳାମାନେ ଯେଉଁଠି ଅଣ୍ଟା ଭିଡ଼ି ଠିଆ ହୁଅନ୍ତି, ଯେଉଁ କାମ କରନ୍ତି, ସେଥିରେ ସଫଳତା ମିଳିବା ସୁନିଶ୍ଚିତ ଏହା ପ୍ରମାଣ କରି ଦେଖାଇଛନ୍ତି ଅତାବିରା ବ୍ଲକ ଝିଲିମିଣ୍ଡା ଗ୍ରାମ ବାବୁପଡ଼ାର ମହିଳାମାନେ। ଗ୍ରାମରେ ରହିଛି ପ୍ରାୟ ଦୁଇ ଏକର ବିଶିଷ୍ଟ ଏକ ବଡ଼ ପୋଖରୀ ଯାହା ଗୁହୁରି ବନ୍ଧ ବା (ଯୁହ୍ନା ବନ୍ଦ) ନାମରେ ପରିଚିତ। ଏହି ପୋଖରୀରେ ଗ୍ରାମର ଅଧିକାଂଶ ଲୋକ ସ୍ନାନ କରନ୍ତି। କିନ୍ତୁ ଏହି ପୋଖରୀଟି ଧୀରେ ଧୀରେ ବିଭିନ୍ନ ଜଳଜ ଉଦ୍ଭିଦରେ ପୂର୍ଣ୍ଣ ହୋଇ ସାରା ପୋଖରୀଟି ଢାଙ୍କି ହୋଇ ଯାଇ ଆଉ ବ୍ୟବହାର ଉପଯୋଗୀ ହୋଇ ପାରୁ ନଥିଲା। ଦୁଇ ବର୍ଷ ତଳେ ଗ୍ରାମର କିଛି ଲୋକ ନିଜସ୍ଵ ୩ ହଜାର ଟଙ୍କା ଖର୍ଚ୍ଚ କରି ଏହି ପୋଖରୀକୁ ସଫା କରେଇଥିଲେ। କିନ୍ତୁ ପୁଣି ସବୁ ଲତା,ଦଳ ଘେରିଯାଇ ପୋଖରୀରେ ଆଉ ଗାଧୋଇବା ସମ୍ଭବ ହେଲା ନାହିଁ।

ଏମିତି ଭାବରେ ଦୁଇ ବର୍ଷ ପଡ଼ିରହିବା ପରେ ମଧ୍ୟ ପଞ୍ଚାୟତ କିମ୍ବା କୌଣସି ସ୍ତରରୁ ଏହାର ସଫେଇ କରାଗଲା ନାହିଁ। ତେଣୁ ପଡ଼ାର ରୁକୁଣୀ ସାହୁ ଓ ତିଳୋତ୍ତମା ସାହୁଙ୍କ ନେତୃତ୍ୱରେ ପଡ଼ାର ମହିଳାମାନେ ତାକୁ ସଫା କରିବା ପାଇଁ ପରସ୍ପର ମଧ୍ୟରେ ବିଚାର ବିମର୍ଷ କରି ଅଣ୍ଟା ଭିଡ଼ି ବାହାରିପଡ଼ିଥିଲେ। ଏହି ପଡ଼ାର ସୁପ୍ରିୟା ଭୁଏ, ତପ ରଣା, ତପସ୍ଵିନୀ ଭୋଇ, ପୁଷ୍ପା କୁଡ଼େଇ, ସିକ ଭୁଏ, ଅଞ୍ଜୁ ଭୁଏ, ରେବତୀ ପଟେଲ, ମେନକା ଭୁଏ, ସତ୍ୟ ଗହିର, ଜୟନ୍ତୀ ଗହିର, ନିଦ୍ରାବତି ସାହୁ, ଶକୁନ୍ତଳା ପ୍ରଧାନ, ପୂର୍ଣ୍ଣମୀ ପ୍ରଧାନ, ସୁଶୀଳା ସାହୁ, ବୀଣାପାଣି ସାହୁ, ପଦ୍ମିନୀ ପ୍ରଧାନ, ସସ୍ମିତା ରଣା, ରୁକୁଣି ସାହୁ ଆଦି ୧୭/୧୮ଜଣ ମହିଳା ଏହି ପୋଖରୀକୁ ପରିଷ୍କାର କରିଛନ୍ତି। ପୋଖରୀରେ ମାଡ଼ିଥିବା ମିରୀମିରା, ଚିଙ୍ଗୁଡ଼ିଆ ଦଳ, ଘାସ ଆଦି ସବୁକୁ ପୋଖରୀ ଭିତରୁ ବାହାର କରି ସଫା କରିଛନ୍ତି। ଏହା ଦେଖି ଗ୍ରାମର ଲୋକେ ଖୁସି ହେବା ସହ ଏହି ମହିଳା ମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ମହିଳାମାନେ ଆଜି ଏହି କାମ ପାଇଁ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ଉତ୍ସ ହୋଇଛନ୍ତି।

Comments are closed.