ବ୍ଲକ ସ୍ତରୀୟ ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷମାନଙ୍କ ସମୀକ୍ଷା ବୈଠକ

ରେଙ୍ଗାଲିକେମ୍ପ: ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଅତାବିରା ତଥା ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆଜି ବ୍ଲକ ସ୍ତରୀୟ ପ୍ରଧାନଶିକ୍ଷକ ତଥା ଅଧ୍ୟକ୍ଷମାନଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଶାରୀରିକ ତଥା ଖେଳ ନିରୀକ୍ଷକ ଆଶୁତୋଷ ଦେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଅତାବିରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରା, ଲଦେରପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ, ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁପ୍ରଭା ସାହୁ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ମଂଚାସୀନ ଥିଲେ।

ସିଆରସିସି ମନୋରଞ୍ଜନ ମିଶ୍ର ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ। ଏହି ବୈଠକରେ ପ୍ରାଥମିକ ବିଦ୍ୟାଳୟରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶୈକ୍ଷିକ ଓ ଭିତ୍ତିଭୂମିର ବିକାଶ ତଥା ଅନ୍ୟ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରାଯାଇଥିଲା। ବ୍ଲକ ସ୍ତରରେ ରକ୍ତଦାନ ଶିବିର କରାଯାଇ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମିଳିତ ଭାବରେ ସଫଳ କରିବା ପାଇଁ ପୂର୍ଣ୍ଣ ପ୍ରୟାସ କରିବେ ବୋଲି ମୁଖ୍ୟ ଅତିଥି ଆହ୍ବାନ ଜଣାଇଥିଲେ। ଏହା ସହ ଚଳିତ ବର୍ଷ ସ୍କାଉଟ୍ ଓ ଗାଇଡମାନଙ୍କ ରାଜ୍ୟ ପୁରସ୍କାର ଟେଷ୍ଟରେ ଯେମିତି ଅଧିକରୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ସାମିଲ ହୋଇ ଉପକୃତ ହୋଇ ପାରିବେ, ସେଥିପାଇଁ ସମସ୍ତ ଷ୍କାଉଟମାଷ୍ଟର ଓ ଗାଇଡ କ୍ୟାପଟେନମାନେ ଯତ୍ନବାନ ହେବେ ବୋଲି ତାଙ୍କର ଅଭିଭାଷଣରେ ମତ ରଖିଥିଲେ। ଏହି ବୈଠକରେ ଅତାବିରା ବ୍ଲକର ଲରମ୍ଭା, କାଦୋବାହାଲ୍, ଅତାବିରା, ଗୋଡଭଗା ଓ ପାହାରଶ୍ରୀଗିଡ଼ା ଆଦି ୫ଟି ମହାବିଦ୍ୟାଳୟର ଅଧ୍ୟକ୍ଷା, ୩୨ଟି ଉଚ୍ଚ ବିଦ୍ୟାଳୟ ଓ ୧୩୧ଟି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ। ଶେଷରେ ଖେଳ ଶିକ୍ଷକ ଲବ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Comments are closed.