MEllora 950×100

କୋଟିଏ ଟଙ୍କାର ଗୋଦାମ ପାଲଟିଛି ଭୂତ କୋଠି

ରେଙ୍ଗାଲିକ୍ୟାମ୍ପ: ‘ସରକାର କା ମାଲ ଦରିଆମେ ଡାଲ’ର ଏକ ଉଦାହରଣ ଦେଖିବାକୁ ମିଳିଛି ଅତାବିରା ବ୍ଲକ ଅନ୍ତର୍ଗତ ହିର୍ଲପାଲି ପଞ୍ଚାୟତ କାଠଡେରା ଗ୍ରାମରେ। ରାସ୍ତା ନଥାଇ ଗୋଦାମ ଗୃହ ନିର୍ମାଣ କରାଯାଇଥିବାରୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟିର ଅଭାବ ଓ ମନମୁଖି କାରବାର ଯୋଗୁ ରାସ୍ତା ନଥିବା ଜମିରେ ଏପରି କାର୍ଯ୍ୟ କରାଯାଇଛି। ଫଳରେ ଚାଷୀ ତାହାର ସୁଫଳ ପାରି ପାରୁନାହାନ୍ତି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ୨୦୧୬-୧୭ ମସିହାରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାରେ ନାବାର୍ଡ଼ ପକ୍ଷରୁ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ଦ୍ୱାରା ଚାଷୀଙ୍କ ପାଇଁ ଦୁଇଟି ଗୋଦାମ ନିର୍ମାଣ ଆରମ୍ଭ କରାଯାଇଥିଲା। ଏଥି ପାଇଁ ଅତାବିରା ସମବାୟ ସମିତି ପକ୍ଷରୁ ୭୫ ଡେସିମିଲ ଜମି ଦିଆଯାଇଛି। ଉକ୍ତ ଜମିରେ ୧୦୦୦ ଟନ ଓ ୫୦୦ ଟନ କ୍ଷମତା ବିଶିଷ୍ଟ ଦୁଇଟି ଗୋଦାମ ଓ କାର୍ଯ୍ୟାଳୟ ନିର୍ମାଣ କରାଯାଇଛି। ୨୦୨୦ ମସିହାରେ ପରିଷଦ ଅତାବିର ସେବା ସମବାୟ ସମିତିକୁ ଗୋଦାମ ହସ୍ତାନ୍ତର କରାଯାଇଥିଲା। ଏଠାରେ ପାନୀୟ ଜଳ ସହ ବିଦ୍ୟୁତ ସଂଯୋଗ କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ଚାଷୀଙ୍କ କୌଣସି କାର୍ଯ୍ୟରେ ଲାଗି ନାହିଁ। ଗୋଦାମ ପରିତ୍ୟକ୍ତ ଭାବେ ପଡ଼ି ରହିଛି। ବର୍ତ୍ତମାନ ଏଠାରେ ନାନା ଅନାବନା ଗଛ ଉଠି ବୁଦୁବୁଦୁକିଆ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ବର, ଅଶ୍ବତ୍ଥ ଗଛ ଉଠି ଗୋଦାମର କ୍ଷତିଗ୍ରସ୍ତ କରୁଛି। ଗୋଦାମର ଅନେକ ସ୍ଥାନରେ ଫାଟ ଦେଖାଦେଇଥିବାବେଳେ ସ୍କାଇଲାଇଟରେ ଲାଗିଥିବା ଅନେକ କାଚ ଭାଙ୍ଗି ଗଲାଣି। ବୋରୱେଲରେ ଲାଗିଥିବା ସମରସିବଲ ପମ୍ପ ଚୋରି ହୋଇଗଲାଣି। ଅନ୍ୟାନ୍ୟ ଅନେକ ବୈଦ୍ୟୁତିକ ସାମଗ୍ରୀ ମଧ୍ୟ ଚୋରି ହୋଇଯାଇଛି। କାର୍ଯ୍ୟାଳୟ ତାଲା ଭାଙ୍ଗି ଯାଇଛି। ଏଠାରେ ଅସାମାଜିକ କାର୍ଯ୍ୟକଳାପ ହେଉଥିବା ଅଭିଯୋଗ ହେଉଛି।

ଏ ସମ୍ପର୍କରେ ଅତାବିରା ସେବା ସମବାୟ ସମିତିର ସମ୍ପାଦକ କ୍ଷୀରୋଦ ସାହୁଙ୍କୁ ପଚାରିବାରୁ ସେ କହିଲେ ଯେ ସମିତିର କାଠଡେରା ଗ୍ରାମରେ ଥିବା ୭୫ ଡେସିମିଲ ଜମି ଗୋଦାମ ନିର୍ମାଣ ପାଇଁ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ସେଠାରେ ଗୋଦାମ ରହିଛି ବୋଲି କେବଳ ମୁଁ ଜାଣିଛି। ରାସ୍ତା ନଥିବାରୁ ତାହା କାର୍ଯ୍ୟକ୍ଷମ କରାଯାଇ ପାରି ନାହିଁ ବୋଲି ସେ କହିଥିଲେ। ବରଗଡ଼଼ ଏଆରସିଏସ ଅଶୋକ ସାହୁଙ୍କୁ ପଚାରିବାରୁ ଏ ବିଷୟରେ ମୁଁ ଜାଣି ନଥିଲି। ତହସିଲଦାର, ରାଜସ୍ୱ ନିରୀକ୍ଷକଙ୍କୁ ନେଇ ଘଟଣାସ୍ଥଳକୁ ଯାଇ ରାସ୍ତା କିପରି କରାଯାଇ ପାରିବ ସେ ନେଇ ଉଦ୍ୟମ କରିବି। ଆସନ୍ତା ଧାନ ସଂଗ୍ରହ ଋତୁରେ ତାହା ଯେପରି କାର୍ଯ୍ୟକାରୀ ହୋଇ ପାରିବ ସେଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ଗୋଦାମ ସକାଶେ କେତେ ଟଙ୍କା ବ୍ୟୟରେ କରାଯାଇଛି ବୋଲି ପଚାରିବାରୁ ଏ ବିଷୟରେ ମୁଁ ଜାଣି ନାହିଁ ଓ ନିର୍ମାଣ କରିଥିବା ସଂସ୍ଥା କର୍ତ୍ତୃପକ୍ଷଙ୍କୁ ପଚାରି ବୁଝିବି ବୋଲି ଶ୍ରୀ ସାହୁ କହିଥିଲେ।

ଅଞ୍ଚଳରେ ଧାନ ସଂଗ୍ରହ ସମୟରେ ଅନେକ ସମୟରେ ଲଘୁଚାପ ଓ ସାମୁଦ୍ରିକ ଝଡ଼ ଯୋଗୁଁ ଅଦିନିଆ ବର୍ଷା ହୋଇଥାଏ। ଫଳରେ ଚାଷୀମାନଙ୍କ କ୍ଷେତ, ମାର୍କେଟୟାଡ଼ରେ ଥିବା ଧାନ ଫସଲ ଭିିଜି କ୍ଷତିଗ୍ରସ୍ତ ହୋଇଥାଏ। ଏହି ସ୍ଥିତିରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ କରାଯାଇ ଚାଷୀଙ୍କ ପାଇଁ ଗୋଦାମ ନିର୍ମାଣ କରାଯାଇଛି। ନିର୍ମାଣର ଅନେକ ବର୍ଷ ପରେ ବି ତାହା ଚାଷୀଙ୍କ କାମରେ ଆସୁନି। ଏହାକୁ ନେଇ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲାପାଳ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି।

Comments are closed.