MEllora 950×100

ଅତାବିରାରେ ଗୃହିଣୀଙ୍କ ପାଇଁ ସ୍ବତନ୍ତ୍ର ଜଣା ଅଜଣା କାର୍ଯ୍ୟକ୍ରମ ‘ଗୃହଲକ୍ଷ୍ମୀ‘

ରେଙ୍ଗାଲିକ୍ୟାମ୍ପ : ପବିତ୍ର ମାର୍ଗଶୀର ମାସର ପୂର୍ଣ୍ଣିମା ତଥା ଶେଷ ଗୁରୁବାର ଅବସରରେ ଅତାବିରା ଏନଏସି ଅଧୀନରେ ଥିବା ଶାସ୍ତ୍ରୀନଗର ଭଗବାନ କଲୋନୀରେ ଗୃହିଣୀମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ଏକ ଜଣା ଅଜଣା କାର୍ଯ୍ୟକ୍ରମ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷୟିତ୍ରୀ ଆନୁସୁୟା ଦେବତାଙ୍କ ଦ୍ଵାରା ପରିକଳ୍ପିତ ତଥା ଆୟୋଜିତ ଏହି ଜଣା ଅଜଣା କାର୍ଯ୍ୟକ୍ରମରେ କଲୋନୀର ମୁଖ୍ୟ ମନୋରଞ୍ଜନ ପ୍ରଧାନ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିବା ବେଳେ ସାମ୍ବାଦିକ ନବୀନ ଦାଶ ଓ ଜନକରାମ ଦାଶ ସ୍ବତନ୍ତ୍ର ଅତିଥି ରୂପେ ଯୋଗ ଦେଇଥିଲେ । ଅତିଥିମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ ଓ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ସାଧାରଣତଃ ଗୃହିଣୀମାନେ ନିଜ ପରିବାର ପାଇଁ ଚିନ୍ତା କରୁ କରୁ ନିଜ ବିଷୟରେ କିଛି ଚିନ୍ତା କରିବାକୁ ସୁଯୋଗ ପାଇ ନଥାନ୍ତି । ତେଣୁ ସେମାନଙ୍କ ଭିତରେ ରହିଥିବା ପ୍ରତିଭାକୁ ପ୍ରଦର୍ଶନ କରିପାରନ୍ତି ନାହିଁ । ତେଣୁ ଗୃହିଣୀମାନେ ତାଙ୍କର କର୍ମମୟ ଜୀବନରୁ କିଛି ସମୟ ନିବୃତ୍ତ ରହି ପ୍ରତିଭାକୁ ପ୍ରଦର୍ଶନ କରିବାର ଏକ ସୁଅବସର ପ୍ରଦାନ କରିବା ପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ବଳରାମ ଦାସଙ୍କ ବିରଚିତ ଲକ୍ଷ୍ମୀ ପୁରାଣର ବିଷୟ ବସ୍ତୁ ଉପରେ ପ୍ରଶ୍ନ ଆଧାରିତ ରହିଥିଲା। କଲୋନୀର ସମସ୍ତ ଗୃହିଣୀ ଏହି ଜଣା ଅଜଣା କାର୍ଯ୍ୟକ୍ରମରେ ଭାଗ ନେଇ ଥିବା ବେଳେ ସୁବର୍ଣ୍ଣ ରଣା ପ୍ରଥମ ସ୍ଥାନ, ସୁଚରିତା ହୋତା ଦ୍ଵିତୀୟ ସ୍ଥାନ ଏବଂ ନଳିନୀ ପଧାନ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଓ ଧନବତୀ ମେହେର ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ଅତିଥିମାନଙ୍କ ଦ୍ଵାରା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ଆକାଶ ମିଶ୍ର, ସୁବାସ ରଣା, ଅବନ୍ତି ମେହେର, ଅମିତା ମହାକୁର, ସସ୍ମିତା ସାହୁ, ମନୋଜ ମହାକୁର, ଆଶୁତୋଷ ହୋତା, ଭରତ ପ୍ରଧାନ, ସାଗର ମେହେର ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କଲୋନୀର ବୟୋଜ୍ୟେଷ୍ଠ ତଥା ସମସ୍ତଙ୍କର ‘ବଡମା’ ଭାବରେ ପରିଚିତ ସୁଶୀଳା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଗୃହିଣୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଗବାନ କଲୋନୀ ଝୁମି ଉଠିଥିଲା ।

Comments are closed.