MEllora 950×100

ମିଳିଲା ପ୍ରତିଶ୍ରୁତି, ହେଲେ ପୂରଣ ହେଲାନି ନିର୍ମାଣ କାର୍ଯ୍ୟ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଆଦର୍ଶ ଶ୍ମଶାନ ଘାଟର  ଶିଳାନ୍ୟାସ ସମୟରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ବସ୍ତି ବାସିନ୍ଦାଙ୍କ ଦାବିକୁ ଦୃଷ୍ଟିରେ ରଖି ଦମଦମା ଗାଧୁଆ ଘାଟ ଓ ରାସ୍ତାର ଉନ୍ନତି କରଣ ପାଇଁ ଏହା ଉପରେ ନିର୍ଭର କରୁଥିବା ବସ୍ତି ବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତି ମୁତାବକ ଏନଏସି ପକ୍ଷରୁ ଅନୁଦାନ ଯୋଗାଇ ଦିଆଯାଇ କାମ ହୋଇଛି । ସୂଚନାଫଳକ ଅନୁଯାୟୀ ଅନୁନ୍ୟ ୧୦ ଲକ୍ଷ  ୧୨ ହଜାର ୮୪୦ଟଙ୍କା ବ୍ୟୟ ଅଟକଳରେ ଗେସ ଗୋଦାମରୁ ଦମଦମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଓ ନଳିଆରେ କଲଭଟ ନିର୍ମାଣ ଉଲ୍ଲେଖ ରହିଛି । ହେଲେ ମହିଳାମାନେ ଦାବି କରୁଥିବା ଗାଧୁଆ ଘାଟ ହୋଇ ପାରିନାହିଁ ।
ଅପରପକ୍ଷରେ ଛୁଟିଆ ପାଇପରେ କଲଭଟ ତିଆରି ହୋଇଛି ଓ ଜାତୀୟ ରାଜପଥରୁ ନଳିଆକୁ ଆସିଥିବା ରାସ୍ତାଟି ବିପଦ ସଂକୁଳ ହୋଇରହିଛି । ଏହା ସହିତ କଲଭଟରୁ ଗେସ ଗୋଦାମ ରାସ୍ତା ଶୋଚନୀୟ ହୋଇ ରହିଛି । ଯାହାକୁ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏହାକୁ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି । ସୂଚନାଯୋଗ୍ୟ ଯେ ସ୍ଥାନୀୟ ବସ୍ତି ବାସିନ୍ଦା ତଥା ଆଖପାଖ ଅଞ୍ଚଳର ଯାତାୟାତ ଯାତ୍ରୀଙ୍କ ଗାଧୁଆ ଓ ମୌଳିକ ସୁବିଧା ପାଇବା ପାଇଁ ଦମଦମା ଦେଇ ଯାଇଥିବା ନଳିଆ ଓ ନଳିଆର ଘାଟ ଉପରେ ନିର୍ଭର କରିଥାନ୍ତି । ହେଲେ ଜାତୀୟ ରାଜପଥ ପ୍ରଶସ୍ତି କରଣ ହେବା ଦିନ ଠାରୁ ଏହି ରାସ୍ତାଘାଟଟି ସମସ୍ୟା ଘେରରେ ରହିଛି । ଯାହା ଫଳରେ ନିର୍ଭର କରୁଥିବା ସ୍ଥାନୀୟ ମହିଳା ଓ ଛାତ୍ରଛାତ୍ରୀ ନାହିଁ ନଥିବାର ହଇରାଣ ହେଉଛନ୍ତି । ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବିଧାୟିକାଙ୍କୁ ଦାବି କରିଥିଲେ । ପ୍ରତ୍ୟହ ଗାଧୁଆ ପାଧୁଆ ପାଇଁ ମହିଳା ଓ ଛୋଟ ଛୋଟ ପିଲାଙ୍କ ଭିଡ ପରିଲକ୍ଷିତ ହେଉଛି ।
କାର୍ତ୍ତିକ, ବୈଶାଖ ଭଳି ପୁଣ୍ୟ ମାସରେ ମହିଳା ମାନେ ପ୍ରାତଃ ସ୍ନାନ କରି ବାଲୁକା ପୂଜା ପାଠ କରିଥାନ୍ତି ଓ ବିଭିନ୍ନ ପର୍ବ ପର୍ବାଣିରେ ସାମୁହିକ ପୂଜାପାଠ ପାଇଁ କଳସ ଆବାହନ କରିଥାନ୍ତି । ଏହା ସହିତ ନଳିଆର ଅପର ପାର୍ଶ୍ୱରେ ଥିବା ୱାର୍ଡ ନଂ ୪ର ଏକ ବସ୍ତି ରହିଛି । ଯେଉଁ ବସ୍ତିର ଛାତ୍ରଛାତ୍ରୀ ତଥା ଜନତା ଶିକ୍ଷା ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ପାଇବା ପାଇଁ ନଳିଆର ପାଣିରେ ପାର ହୋଇ ଅତାବିରା ଜାତୀୟ ରାଜପଥକୁ ଆସିଥାନ୍ତି । ତେଣୁ ରାସ୍ତା ସହ ଗାଧୁଆ ତୁଠ ନିର୍ମାଣ ପାଇଁ ବିଧାୟିକା ଅନୁଦାନ ମଞ୍ଜୁରି କରିଥିଲେ ।ଅନୁଦାନ ଆସିଲା କିନ୍ତୂ ପୂରଣ ହୋଇପାରିଲା ନାହିଁ ଜନସାଧାରଣଙ୍କ ଅସୁବିଧାର ସମାଧାନର ରାସ୍ତା । ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ଇଷ୍ଟିମେଟ ନହୋଇ କାମ ହୋଇଛି ବୋଲି ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି ।

Comments are closed.