ଆଧୁନିକତାର ସ୍ପର୍ଶରେ ଦୋହଲୁଛି ‘ମନୋହରୀ ପସରା’ର ଅସ୍ତିତ୍ବ…

ରେଙ୍ଗାଲିକେମ୍ପ: ସମୟର ସ୍ରୋତରେ ସବୁକିଛି ବଦଳି ଯାଏ। ପୁରୁଣା ତାର ଅସ୍ତିତ୍ବ ହରାଏ ଆଉ କିଛି ନୂତନତା ତାର କାୟା ବିସ୍ତାର କରିଚାଲେ। ସମୟ ସହ ଯିଏ ତାଳ ଦେଇପାରେ ସେ ଆଗକୁ ବଢିଯାଏ, ଆଉ ଯିଏ ତାଳ ଦେଇ ଚାଲିପାରେ ନାହିଁ ସେ ପଛରେ ରହିଯାଏ। ଏମିତିକି ବେଳେ ବେଳେ ନିଜର ସତ୍ତାବି ହରାଏ। ସମୟ କାଳକ୍ରମେ ଯେଉଁ ନୁତନତା ଆସେ, ଯେଉଁ ପରିବର୍ତ୍ତନ ଆସେ ସେଥିରେ ମଣିଷର ରୁଚି ସହ ଆବଶ୍ୟକତା ବି ବଦଳିଯାଏ। ଆଜି ମଣିଷ ଆଧୁନିକତାର ଶୀର୍ଷରେ ପହଞ୍ଚିଯାଇଛି। ଆଉ ଆଧୁନିକତା ମଣିଷର ସବୁ ଢଙ୍ଗକୁ ବଦଳାଇ ଦେଇଛି। ବିଶେଷ କରି ମଣିଷର ପୋଷାକ ଓ ଶୃଙ୍ଗାରରେ ବହୁବିଧ ପରିବର୍ତ୍ତନ ଘଟିଛି। ବିଗତ ଦୁଇ ଦଶନ୍ଧି ପୂର୍ବରୁ ମଣିଷର ଶୃଙ୍ଗାର ଶୈଳୀ ଓ ଆଜିକାଲିର ଶୃଙ୍ଗାର ଶୈଳୀରେ ବହୁକିଛି ପରିବର୍ତ୍ତନ ଓ ପାର୍ଥକ୍ୟ ଦେଖିବାକୁ ମିଳୁଛି। ଯାହାର ମୁକ ସାକ୍ଷୀ ହୋଇ ରହିଛି ମନୋହରୀ ପସରା।

“ମନୋହରୀ ପସରା” ପ୍ରକୃତରେ ଏଇ ନାମର ଯଥାର୍ଥତା ରହିଥିଲା। ଝିଅମାନଙ୍କର କୁମ୍ କୁମ୍ ଠାରୁ ଆରମ୍ଭ କରି ସିଲେଇ କରିବା ଛୁଞ୍ଚି ପର୍ଯ୍ୟନ୍ତ ସବୁକିଛି ମିଳେ ଏହି ମନୋହରୀ ପସରାରେ। ଆଗରୁ ଝିଅ ବୋହୂମାନେ କରୁଥିବା ବେଣୀ, ବୟସ୍କ ମହିଳାଙ୍କ ଖୋଷା ପାଇଁ ଆବଶ୍ୟକ ସାମଗ୍ରୀର ଚାହିଦା ରହିଥିଲା। ସପ୍ତାହକ ଥରେ ଗାଆଁମାନଙ୍କରେ ମନୋହରୀ ପସରା ଆସିଲେ ଛୋଟ ପିଲାଠାରୁ ବୃଦ୍ଧା ପର୍ଯ୍ୟନ୍ତ ରୁଣ୍ଡ ହୋଇ ଯାଉଥିଲେ, ଲାଗୁଥିଲା ଗାଆଁରେ ଏକ ଛୋଟ ମୋଟ ମେଳା ଲାଗିଛି। ମୁହଁରେ ଲଗାଇବା ବାଦଲ କ୍ରିମ, ନଖପଲିସି, ମୁଣ୍ଡରେ ଲଗାଇବା ଟାଇସିଲ, ଖିରିପିନି, ମଟର କଣ୍ଟା, ଫିତା ଆଦିର ବେଶ୍ ଚାହିଦା ରହିଥିଲା। ମନୋହରୀ ପସରାକୁ ବୃତ୍ତି ଭାବରେ ଗ୍ରହଣ କରିଥିବା ବ୍ୟକ୍ତି ମଧ୍ୟ ଭଲ ଦିପଇସl ରୋଜଗାର କରିପାରୁଥିଲେ। କିନ୍ତୁ କାଳକ୍ରମେ ସବୁ କିଛି ବଦଳି ଗଲା। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ବଡ଼ ବଡ଼ ଆକର୍ଷଣୀୟ ଫେନ୍ସୀ ଦୋକାନ ଖୋଲିଲା। ଲୋକଙ୍କ ରୁଚି ବଦଳି ଗଲା। ଯେଉଁ ମନୋହରୀ ପସରାରେ ଦିନେ ଲୋକଙ୍କ ଭିଡ଼ ଜମି ରହୁଥିଲା ଆଜି ସେଇ ମନୋହରୀ ପସରାରେ କିଛି କିଣିବାକୁ ଲୋକ ନିଜକୁ ନିଚ ମନେ କରୁଛନ୍ତି। ସେଇ ଜିନିଷ ବଡ ବଡ ଦୋକାନରେ କାଚ ଭିତରେ ରହି ନାଆଁ ସାଙ୍ଗକୁ ଦାମ୍ ବି ବଢ଼ି ଚାଲିଛି। ଚକଚାକିଆ ରଙ୍ଗ ବେରଙ୍ଗର ମନଲୋଭା ଡିଜାଇନର ବାକ୍ସ ଭିତରେ ରହୁଥିବା ଜିନିଷ ତୁଳନାରେ ରାସ୍ତା କଡ଼ରେ ଖୋଲା ସ୍ଥାନରେ ଥିବା ଜିନିଷକୁ ତୁଳନା ବି କରାଯାଇ ନପାରେ।

ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଲୋକଙ୍କ ରୁଚି ଜିନିଷର ଗୁଣରେ ନୁହେଁ ତାର ସୌନ୍ଦର୍ଯ୍ୟରେ ରହିଛି। ଯାହା ଫଳରେ ଚିରl ଚରିତ ଭାବରେ ଯିଏ ଏହି ମନୋହରୀ ପସରାକୁ ନିଜର କୌଳିକ ବୃତ୍ତି ଭାବରେ ଗ୍ରହଣ କରି ନେଇଛନ୍ତି, ସେମାନଙ୍କ ରୋଜଗାର କିଛି ନାହି କହିଲେ ଚଲେ। ତଥାପି କମ ଆୟକାରୀ ବ୍ୟକ୍ତିଙ୍କ ପାଇଁ ମନୋହରୀ ପସରା ଆଜି ବି ଚାଲିଛି। କିନ୍ତୁ ଏବେ ଯେଉଁ ଦୁଇବର୍ଷ ଧରି କରୋନା ମହାମାରୀ ଯୋଗୁ ସବୁ କିଛି ବନ୍ଦ ରହିଛି ଏହି ପ୍ରତିକୂଳ ପରିସ୍ଥିତି ଏଇ ମନୋହରୀ ପସରା କରି ବଞ୍ଚୁଥିବା ବ୍ୟକ୍ତିଙ୍କ ପାଇଁ ଅଭିଶାପ ସାଜିଛି। ଆଜି ଏମିତି କିଛି ବ୍ୟକ୍ତି ଯିଏ ଏହି ବ୍ୟବସାୟ ଦୀର୍ଘ ଦିନରୁ କରି ଆସୁଛନ୍ତି ସେମାନେ ତାଙ୍କର ପରିସ୍ଥିତି ବିଷୟରେ କହନ୍ତି:

ନୟା ମଲ୍ଲିକ(୬୨): ଘର ଅତାବିରା ବ୍ଲକ କଟକିଆ ପଡ଼ା, ଦୀର୍ଘ ୨୦ ବର୍ଷ ହେଲା ଏହି ମନୋହରୀ ପସରା ମୋର ମୁଖ୍ୟ ଜୀବିକା, ୨୦ ହଜାର ଟଙ୍କା ପୁଞ୍ଜି ଲଗେଇ ଏହି ଧନ୍ଦା ଆରମ୍ଭ କରିଥିଲି। ସେତେବେଳେ ଆମେ ବିକୁଥିବl ସlମଗ୍ରିଗୁଡ଼ିକର ଚାହିଦା ଥିଲା।କି ନ୍ତୁ ସମୟ କ୍ରମେ ବଡ ବଡ଼ ଚକମକିଆ ଦୋକାନ ଗୁଡ଼ିକ ଖୋଲିଗଲା। ଆମର ଏହି ଛୋଟ ଓ ଖୋଲା ପସରାକୁ କିଏ ପସନ୍ଦ କରିବ? ସେତେବେଳେ ଦିନକୁ ୩୦୦ଟଙ୍କା ପର୍ଯ୍ୟନ୍ତ ଲାଭ ହେଉଥିଲା। ପରିବାର ଚଳାଇବାରେ କୌଣସି ଅସୁବିଧା ହେଉ ନଥିଲା। ଏବେ ଦିନକୁ ୫୦ ଟଙ୍କା ବି ଲାଭ ମିଳୁନି। ଅନ୍ୟ ପଟେ ଜିନିଷର ଦରଦାମ ବୃଦ୍ଧି ଯୋଗୁଁ ଚଳିବା ମୁସ୍କିଲ ହୋଇପଡିଛି। ଏବେ ପୁଣି କରୋନା ସମୟରେ ସବୁ କିଛି ବନ୍ଦ ପଡ଼ିଥିଲା। ପ୍ରାୟ ଦୁଇବର୍ଷ ଧରି ଘରେ ବସି ରହିଲୁ। ପଇସାଟିଏ ବି ଆୟ ହେଲା ନାହିଁ। ସେଇ ପରିସ୍ଥିତିରେ କରୋନା ଠାରୁ ବି ବଡ ଭୟଙ୍କର ପରିସ୍ଥିତି ଆମ ପାଇଁ ଆସିଥିଲା। ପେଟର ଭୋକ ତୁଳନାରେ ସବୁ ଦୁଃଖ ଫିକା ପଡ଼ିଯାଏ। ଏବେ କିଛି ଦିନ ହେଲା କଟକଣାରେ କୋହଳ ହେବାରୁ ସ୍ତ୍ରୀ ଗାଆଁ ଗାଆଁ ବୁଲି ବିକ୍ରି କରୁଛନ୍ତି। କିନ୍ତୁ ଗାଆଁର ବିଭିନ୍ନ ଦୋକାନରେ ବି ଆଜିକାଲି ଶୃଙ୍ଗାର ସାମଗ୍ରୀ ରଖୁଛନ୍ତି, ତେଣୁ ବିକ୍ରି ହେଉନି କି ଲାଭ ବି ମିଳୁନି। ବୟସର ଅପରାହ୍ନରେ ଶାରୀରିକ ପରିଶ୍ରମ ସାଙ୍ଗକୁ ଆର୍ଥିକ ଚିନ୍ତା ଦେହ ସହି ପାରୁନି।

ସୁକାନ୍ତି ମଲ୍ଲିକ (୬୦): ପନ୍ଦର ହଜାର ଟଙ୍କା ଲଗାଇ ଏହି ପୁଞ୍ଜି କରିଥିଲୁ। ଧୀରେ ଧୀରେ ବେପାର ବନ୍ଦ ହୋଇ ଯାଉଛି। ଲୋକଙ୍କ ରୁଚି ବଦଳି ଯାଇଛି। ସେମାନେ ବଡ ବଡ଼ ଦୋକାନ ପ୍ରତି ଆକର୍ଷିତ ହେଉଛନ୍ତି। ତାଙ୍କ ସହ ପ୍ରତିଯୋଗିତା କରିବା ପରି ସାମର୍ଥ୍ୟ ବା ପୁଞ୍ଜି ଆମ ପାଖରେ ନାହିଁ। ପରିବାରରେ ଅଛନ୍ତି ଦୁଇ ପୁଅ, ଦୂଇବୋହୁ ନାତି ନାତୁଣୀ ସହ ଶାଶୁ ଶ୍ୱଶୁର।ସରକାରଙ୍କ ଠାରୁ ଗୋଟିଏ ଇନ୍ଦିରା ଆବାସ ମିଳିଛି। କିନ୍ତୁ ଏବେ ଯେଉଁ କରୋନl ମହାମାରୀ ଆସିଲା ଆମ ପାଇଁ ଅଧିକ କାଳ ସାଜିଲା। ଦୀର୍ଘ ଦିନ ଧରି ଘରେ ବସିରହିଲୁ।କିଛି ଆୟ ବି ହେଲା ନାହିଁ। ତେଲ ଡାଲିର ମହଙ୍ଗା ଦର ସାଙ୍ଗକୁ ପେଟର ଜ୍ଵାଳା ତୁଳନାରେ କରୋନାର ଭୟାବହତା କମ ପଡ଼ିଥିଲା ଆମ ପାଇଁ। ସେଇ ଦିନ କଥା ଆଜି ନାହିଁ, ଯେତେବେଳେ ନିର୍ଦ୍ଧାରିତ ଦିନ ଆସିଗଲେ ଲୋକେ ମନୋହରୀ ପସରା ପାଇଁ ବାଟ ଦେଖୁଥିଲେ। ଆଜି ସବୁ ବଦଳି ଦିନକୁ ୧୦୦ ଟଙ୍କା ବି ଲାଭ ହେଉନି। ପୁଣି ବର୍ଷକୁ ବର୍ଷ ଖରାର ପ୍ରକୋପ ବଢ଼ି ଚାଲିଛି ଆଉ ବୟସ ବି। ପରିଶ୍ରମ ପାଇଁ ଦେହରେ ବଳ ଆସୁନି। ପରିବାର କଥା ଭାବିଲେ ନିଜକୁ ଅସମର୍ଥ ପରି ମନେହୁଏ। ତଥାପି ମଣିଷ ବଞ୍ଚିବାର ଇଚ୍ଛା ଛାଡ଼ିପାରେ ନାହିଁ। ଆଜି ସେଇ ଅବସ୍ଥାରେ ଆମର ଜୀବନ ପ୍ରତି ମୁହୂର୍ତ୍ତରେ ଅର୍ଥର ଅନାଟନ ମେରୁଦଣ୍ଡ ଭାଙ୍ଗି ଦେଉଛି। ଆମ ପ୍ରତି ସରକାର ଟିକେ ଦୟା କଲେ ଆମେ କିଛି ଉପକୃତ ହେବୁ।

ପ୍ରକୃତରେ ଆଜି ଏମାନେ ଦୁର୍ଦ୍ଦିନ ଅବସ୍ଥାରେ ରହିଛନ୍ତି, ଏମାନଙ୍କ ମନୋହରୀ ପସରାଟି ଆଜି ଲୋକଙ୍କ ମନ ହରି ପାରୁନାହିଁ, ସମୟର ପରିବର୍ତ୍ତନ ସହ ନିଜକୁ ପରିବର୍ତ୍ତନ କରିପାରୁନାହାନ୍ତି ଆର୍ଥିକ ଅସୁବିଧା ଯୋଗୁଁ। ଏହି ମନୋହରୀ ପସରା ପରି ଏକ ପୁରୁଣା ବ୍ୟବସାୟ ଲୁପ୍ତ ହୋଇଯିବାର ସମ୍ଭାବନା ରହୁଛି। ତେଣୁ ସରକାରଙ୍କ ସହାୟତାର ହାତକୁ ଚାହିଁ ରହି, ଅତୀତର ବୃତ୍ତିକୁ ବଞ୍ଚାଇ ରଖିବାର ପ୍ରୟାସ କରୁଛନ୍ତି ଏହି ବୃତ୍ତିଜିବିମାନେ।

Comments are closed.