‘ବିକ୍ରି ପାଇଁ ଦେଉଛୁ ଟ୍ୟାକ୍ସ, ଅଥଚ ଅସୁବିଧା ଶୁଣିବା ପାଇଁ କେହି ନାହିଁ’

ରେଙ୍ଗାଲିକ୍ୟାମ୍ପ: ଅତାବିରା ୫୩ ନମ୍ୱର ଜାତୀୟ ରାଜପଥ କଡ଼ ପାଲଟିଛି ପରିବା ଦୋକାନୀଙ୍କ ବିକ୍ରିୟ କେନ୍ଦ୍ରସ୍ଥଳ ।  ଏହି ରାଜପଥର  ସମ୍ବଲପୁର -ବରଗଡ଼ ରାସ୍ତାର  ବାମ ପାର୍ଶ୍ଵରେ  ରହିଥିବା ଡିଭାଇଡର ଏବେ ପରିବା ଦୋକାନୀଙ୍କ ପାଇଁ ମୁଖ୍ୟ ବିକ୍ରୟ ସ୍ଥଳ ପାଲଟିଛି । ଏମାନଙ୍କ ପାଇଁ  କୌଣସି ସ୍ଥାୟୀ ବ୍ୟବସ୍ଥା ଆଜି ଯାଏ ହୋଇ ପାରିନାହିଁ । ଶୀତ, ବର୍ଷା, ଖରା ଆଦି ସମୟରେ କେତେବେଳେ ବାତ୍ୟା, ଆଉ କେତେବେଳେ ବର୍ଷା  ଭଳି ପ୍ରତିକୂଳ ପରିସ୍ଥିତିରେ ଏମାନଙ୍କ ସମସ୍ତ ପରିଶ୍ରମ  ଧୋଇଯାଏ ।  କ୍ଷତି ଉପରେ କ୍ଷତି ସହିବାକୁ ପଡ଼ିଥାଏ । ତଥାପି ମଧ୍ୟ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଏମାନେ ବାଧ୍ୟ ହୁଅନ୍ତି  ଏହି  ବ୍ୟବସାୟ କରିବାକୁ । ଏଥିପାଇଁ  ଏମାନେ ଏନ୍.ଏ.ସିକୁ ଟ୍ୟାକ୍ସ ଦେଇଥାନ୍ତି ଦିନକୁ ଦଶ ଟଙ୍କା । ଏମିତି ଭାବରେ  ମାସକୁ ୩୦୦ ଟଙ୍କା  , ପଚା ସଢ଼ା ପନିପରିବା ଫିଙ୍ଗିବାକୁ ମାସକୁ ୫୦ ଟଙ୍କା  ଏହା ବ୍ୟତୀତ ମାସକୁ  ପୁଣି ୫୦ ଟଙ୍କା ଟ୍ୟାକ୍ସ ଆକାରରେ ଦେଉଛନ୍ତି । ଏହି ରାସ୍ତା କଡ଼ରେ  ପ୍ରାୟ ୨୦ଟି ପରିବା  ଦୋକାନ ରହିଛି  ।

ଏହି  ଦୋକାନୀ ମାନଙ୍କ ଠାରୁ ମାସକୁ ମୋଟ ୮ ହଜାରରୁ ୧୦ ହଜାର ଟଙ୍କା ଏନ୍.ଏ.ସି ପାଉଛି । ଏମିତି ବର୍ଷକୁ ଲକ୍ଷେ ଟଙ୍କା ମିଳୁଛି । ଅନ୍ୟ ଦୋକାନ ଗୁଡ଼ିକ ସମ୍ମୁଖରେ  ତଥା ରାସ୍ତାକଡ଼ରେ ପଡ଼ିଥିବା ଅଳିଆ ଆବର୍ଜନା ଉଠେଇବା ପାଇଁ ଏନ୍.ଏ.ସି କିଛି ପଇସା  ନେଉ ନଥିବା ବେଳେ ଏମାନଙ୍କ ଠାରୁ ସେହି  ଫିଙ୍ଗିଥିବା  ଆବର୍ଜନା ଉଠେଇବା ପାଇଁ ମଧ୍ୟ  ପଇସା ନିଆଯାଉଛି  ବୋଲି ଏହି ପରିବା ଦୋକାନୀ ମାନେ  ପ୍ରକାଶ କରିଛନ୍ତି । ଦିନକୁ ଦିନ ଜବର୍ ଦଖଲ ବଢ଼ି ବଢ଼ି ଚାଲିଛି । ବଡ ବଡ ଦୋକାନୀ ମାନେ ସରକାରୀ  ଜାଗାରେ ଦୋକାନ ତିଆରି କରି ଭଡା ଖାଉଛନ୍ତି । କିନ୍ତୁ ବଡ ବଡ଼ ବାଡିଆଙ୍କ ପାଇଁ ସବୁ ମାଫ୍ । ଯାହାର ଅଧିକ ଆୟ ତା ଉପରେ କିଛି ଟ୍ୟାକ୍ସ ଲାଗେ ନାହିଁ କିନ୍ତୁ  ଆମପରି ଛୋଟ ଲୋକଙ୍କ ଠାରୁ  ଟ୍ୟାକ୍ସ ଉପରେ ଟ୍ୟାକ୍ସ ନିଆଯାଉଛି ବୋଲି  ଏହି ପରିବା ଦୋକାନୀ ମାନେ ଦୁଃଖ ପ୍ରକାଶ କରିଛନ୍ତି ।

ରାସ୍ତା କଡ଼ରେ  ଅସୁରକ୍ଷିତ ଅବସ୍ଥାରେ ଏମାନେ  ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ  ଏମାନଙ୍କ ଉପରେ ଏନ୍.ଏ.ସି ର ଏପରି ଅବିଚାର ଆଶ୍ଚର୍ଯ୍ୟର କଥା । ଗତ ଖରା  ଋତୁରେ  ପବନ ଯୋଗୁ ଏମାନଙ୍କ ସବୁ କିଛି ଉଡ଼ି ଯାଇ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା । ସେ ସମୟରେ ମଧ୍ୟ ଏନ୍.ଏ.ସି ପକ୍ଷରୁ କିଛି ସହାୟତା ଦିଆଯାଇ ନଥିଲା ଏମାନଙ୍କୁ ।  ରାସ୍ତା କଡ଼ରେ  ଯଦି କେବେ କୌଣସି  ଯାନବାହନ ଦୁର୍ଘଟଣା ଘଟି ଏମାନଙ୍କ ଉପରେ ମାଡିଯାଏ, ତେବେ ଅନେକ ନିରୀହ ଜୀବନ ଚାଲିଯିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ । ଏନ.ଏ.ସି କେବଳ ଟିକସ ନେଇ ଏମାନଙ୍କ ପାଇଁ  କୌଣସି  ସହାୟତା କରୁନଥିବା ନେଇ ଜନ ସାଧାରଣରେ ଚର୍ଚ୍ଚା ହେଉଛି । ସେମାନେ କହନ୍ତି , ଦିନକୁ ୫୦ ଟଙ୍କାରୁ ୧୦୦ ଟଙ୍କା ଲାଭ ହୋଇଥାଏ  । ସେଥିରୁ ୧୦ ଟଙ୍କା ଟ୍ୟାକ୍ସ ଦେଇଥାଉ । ଆମ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବା ପାଇଁ ବାରମ୍ବାର  ଜଣାଇଥିଲେ ମଧ୍ୟ କିଛି କରି ନାହାନ୍ତି । ତେବେ ଆମେ କୁଆଡେ ଯିବୁ । କେମିତି ଆଉ କେତେ ଦିନ ଏପରି ରାସ୍ତା କଡ଼ରେ  ପଡ଼ି ରହିବୁ ।

ତେବେ ଏନ୍.ଏ.ସିର କଣ ଏମାନଙ୍କ ପାଇଁ କିଛି ଦାୟିତ୍ଵ ନାହିଁ । ଏନ୍.ଏ.ସି  ଟ୍ୟାକ୍ସ  ଅସୁଲି କରିବା ଭୁଲୁନାହି କିନ୍ତୁ ଦରକାର ବେଳେ ସବୁ ଭୁଲି  ଯିବାର ରହସ୍ୟ କଣ ? କରୋନା ସମୟରେ  ଉଠା ଦୋକାନୀ  ଭାବରେ  ସରକାରଙ୍କ ଠାରୁ ୩୦୦୦ ଟଙ୍କା ଲେଖାଏଁ ମିଳିଥିଲା , କିନ୍ତୁ ତାହା ମଧ୍ୟ  ଏମାନଙ୍କ ମଧ୍ୟରୁ କିଛି ଲୋକ ଆଜିଯାଏଁ ପାଇନଥିବା ଜଣାପଡ଼ିଛି ।  ଏହି ପରିବା ଦୋକାନ ଠାରୁ ମାତ୍ର ୩୦ ମିଟର ଦୂରରେ ରହିଛି  ଏନ.ଏ.ସି କାର୍ଯ୍ୟାଳୟ । କିନ୍ତୁ ପରିତାପର ବିଷୟ ଯେ ଏମାନଙ୍କ ପାଇଁ ଏନ୍ ଏ ସି ସେଇ ୩୦୦୦ ହଜାର ଟଙ୍କା ପାଇବାର ମଧ୍ୟ କୌଣସି  ପଦକ୍ଷେପ ନେଇ ନାହାନ୍ତି ।

 

Comments are closed.