ଉତ୍କଟ ପାନୀୟ ଜଳ ସଙ୍କଟରେ ବୁଗୁବୁଗା ଖଲିଆପାଲିର ୮୦ ପରିବାର

ରେଙ୍ଗାଲିକ୍ୟାମ୍ପ: ଜଳ ହିଁ ଜୀବନ। ବର୍ତ୍ତମାନର ଗ୍ରୀଷ୍ମ ତାତିରେ ପାଣି ନ ପିଇ ମଣିଷ ଦିନଟିଏ ବଞ୍ଚି ପାରିବ ନାହିଁ। ପାନୀୟ ଜଳ ମଣିଷର ମୌଳିକ ଆବଶ୍ୟକତା ବୋଲି ସରକାର ସମସ୍ତ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ କୁ ପ୍ରାଥମିକତା ଦେଉଛନ୍ତି। ହେଲେ ଅତାବିରା ବ୍ଲକ ବୁଗୁବୁଗକ୍ଷ ପଞ୍ଚାୟତ ଖଲିଆପାଲି ଗ୍ରାମରେ ଥିବା ୮୦ ପରିବାର ଏଥିରୁ ବଞ୍ଚିତ। ଏହି ଗ୍ରାମର ଉପର ପଡ଼ାରେ ରହୁଥିବା ୮୦ ପରିବାର ପାନୀୟ ଜଳ ପାଇଁ ପଡ଼ାରେ ଥିବା ଗୋଟିଏ ମାତ୍ର ନଳକୂପ ଉପରେ ଭରସା କରନ୍ତି। କିନ୍ତୁ ସେହି ନଳକୂପଟି ୧୫ ଦିନ ହେଲା ଅଚଳ ହୋଇ ପଡ଼ିଛି। ପାନୀୟ ଜଳ ପାଇଁ ସେମାନଙ୍କୁ ଅନ୍ୟ ପକ୍ଷକୁ ଖରାରେ ଯିବାକୁ ପଡୁଛି ଅଥବା ଖୋଲା ଜାଗାର ଦୂଷିତ ଜଳ ପିଇବାକୁ ପଡୁଛି। ନଳକୂପ ଅଚଳ ହେବାର ଅଭିଯୋଗର ୨୪ ଘଣ୍ଟା ଭିତରେ ତାର ମରାମତି କରାହେବ ବୋଲି ସରକାରଙ୍କ ନିର୍ଦେଶ ରହିଛି। ଆଜିକୁ ୧୫ ଦିନ ହେଲା ଅଚଳ ହୋଇ ପଡ଼ିରହିଛି ଏହି ନଳକୂପ। ଏହାର ମରାମତି ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ପଡ଼ା ବାସୀ ଅନେକ ଥର ଅଭିଯୋଗ କରିସାରିଥିଲେ ସୁଦ୍ଧା ସେ ଶୁଣୁ ନଥିବା ଆଭିଯୋଗ ହେଉଛି।

 

ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ତାତିର ପ୍ରକୋପ ଦିନଙ୍କୁ ଦିନ ମଣିଷ ଜୀବନକୁ ଅସ୍ତବ୍ୟସ୍ତ କରିଛି। ସାଧାରଣ ମଣିଷ ଠାରୁ ସଭ୍ରାନ୍ତ ଶ୍ରେଣୀ ପର୍ୟ୍ୟନ୍ତ ସମସ୍ତେ ଏହି ବିଶ୍ୱତାପନର ତକ୍ଷତିରେ ପ୍ରଭାବିତ। ସକାଳ ଆଠଟା ରେ ମଧ୍ୟ ଘରୁ ବାହାରିବା ଦୁଃସହ ହୋଇପଡୁଛି। ଅନ୍ୟପଟେ ପାନୀୟ ଜଳ ଯୋଗାଣ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। କିନ୍ତୁ ଏହି ପଡ଼ାବାସୀ ଏମିତି ଗ୍ରୀଷ୍ମ ଦିନରେ ପାଣି ପାଇଁ ଡହକ ବିକଲ ହେଉଛନ୍ତି, ତଥାପି ଗୋଟିଏ ନଳକୂପର ମରାମତି ଏତେଦିନ ଯାଏ ହୋଇପାରି ନାହିଁ। ସରପଞ୍ଚ କେବଳ ଆଶ୍ୱାସନା ଦେଇ ଦିନ ଗଡ଼ାଇ ଚାଲିଛନ୍ତି। ତେଣୁ ପଡ଼ାବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଯଦି ତୁରନ୍ତ ଏହି ନଳକୂପ ମରାମତି କରା ନଯାଏ, ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ପଡ଼ାବାସୀ ଚେତାବନୀ ଦେଇଛନ୍ତି।

Comments are closed.