କଫ ସିରପ ସହ ମଦ ଜବତ, ୫ ଗିରଫ ଓ କୋର୍ଟ ଚାଲାଣ

ରେଙ୍ଗାଲିକ୍ୟାମ୍ପ: ନୂତନ ଭାବେ ଅତାବିରା ଥାନା ଅଧିକାରୀଙ୍କ ଦାୟିତ୍ଵ ନେବା ପରେ ଏବେ ଅସାମାଜିକ ତଥା ନିଶା କାରବାରରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ପାଇଁ କାଳ ହୋଇଛି। ଗତକାଲି ପୋଲିସ ତିନିଜଣ ନିଶା କାରବାର କରୁଥିବା ଅଭିଯୁକ୍ତଙ୍କ ଠାରୁ ସିଲ୍ ହୋଇଥିବା ୩୪ଟି ବୋତଲ କଫସିରପ ଓ ଦୁଇଜଣ ବେଆଇନ ମଦ ବେପାରୀଙ୍କ ଠାରୁ ୫୦ ଲିଟର ଆଇଡ ଲିକର ସହ ଗୋଟିଏ ଷ୍ଟ୍ରିପ ଆଲ୍ପ୍ରାକ୍ସ ଟାବେଲେଟ୍ ୦.୫ ଏମ୍ ଜି ଜବତ କରି ପୃଥକ୍ ପୃଥକ୍ ଭାବେ ଦୁଇଟି କେସ ରୁଜୁ କରିଛି।

ଏଥିସହିତ ଲିପ୍ତ ଥିବା ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ବିରୋଧରେ ଥାନାରେ କେସ ନମ୍ବର ୧୩୫ ଓ କେସ ନମ୍ବର ୧୩୬ରେ ଦୁଇଟି କେସ ରୁଜୁ କରି ଭାରତୀୟ ପେନାଲ କୋର୍ଟର ଧାରା ୨୭୪/୨୭୫/୩୪ କ୍ରମେ କଫ୍ ସିରପ ମାମଲାରେ ଅତାବିରା ଥାନା ପାହାଡ଼ ଶ୍ରିଗିଡ଼ାର ମାନସ ପଣ୍ଡା, ନିକୁଞ୍ଜ ସେଠ ଓ ବୈଜୁ ପାଣ୍ଡେ ତଥା ମଦ ମାମଲାରେ ଓଡ଼ିଶା ଅବକାରୀ ଧାରା ୫୨(କ)ରେ ବାଟିମୁଣ୍ଡାର ବିରଞ୍ଚି ବାଗ ଓ ବୀର ନାମକ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବହୁ ଦିନରୁ ନିଶା କାରବାରରେ ଲିପ୍ତ ଥିବା ଅସାମାଜିକ ବ୍ୟକ୍ତିଙ୍କୁ ଧରିବା ପାଇଁ ପୋଲିସ ଚାରିଆଡେ ଜାଲ ବିଛାଇ ଥିଲା। ଗତ କାଲି ଏମାନଙ୍କ ବିଷୟରେ ସୂଚନା ପାଇ ଥାନା ଅଧିକାରୀ ଦିଲିପ୍ ବେହେରା ସଦଲବଳ ସହ ଘେରି ଖସି ପଳାଉଥିବା ବେଳେ ଧରିଥିଲେ। ଏମିତି ଅତାବିରା ପୋଲିସର କାର୍ଯ୍ୟ ତତ୍ପରତା ଏବେ ଲlଗିରହି ଗୋଟିଏ ପରେ ଗୋଟିଏ ଅଭିଯାନରେ ସଫଳତା ଲlଭକରୁଛି। ଅଞ୍ଚଳରେ ବଢୁଥିବା ମଦ, ସଟା, ଜୁଆ ଆଦି କାରବାରକୁ ବନ୍ଦ କରିବା ପାଇଁ ଏବେ ଥାନା ଅଧିକାରୀ ୩ ଜଣିଆ ଟିମ୍ ଗଠନ କରି ଅଭିଯାନ ଚଳାଇଛନ୍ତି। ତେବେ ଏହି ଅଭିଯୁକ୍ତମାନଙ୍କ ସହ ସଂଶ୍ଳିଷ୍ଟ ଥିବା ଅନ୍ୟ ବ୍ୟକ୍ତି ତଥା ଏସବୁ ଜିନିଷ ଏମାନେ କେଉଁଠାରୁ ଆଣୁଥିଲେ ଏହିସବୁ ମୂଳ ଉତ୍ପାଟନ କରିବା ପାଇଁ ପୋଲିସ ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି।

Comments are closed.