ରେଙ୍ଗାଲି ଜଳସେଚନ ପ୍ରକଳ୍ପ ଜମି ଅଧିଗ୍ରହଣ ମାମଲା ; ଫଳଗଛ ପାଇଁ ମିଳିବ କ୍ଷତିପୂରଣ

ଦେୱାନୀ ଅଦାଲତ ରାୟକୁ କାଏମ ରଖିଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ : ରେଙ୍ଗାଲି ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମ୍ପର୍କିତ ଏକ ମାମଲାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ରାୟକୁ ଖାରଜ କରି ଦେୱାନୀ ଅଦାଲତ ରାୟକୁ ସର୍ବୋଚ୍ଚ ନ୍ୟାୟାଳୟ କାଏମ ରଖିଛନ୍ତି। ନିଜ ଜମି ଉପରେ ଥିବା ଫଳଗଛ ପାଇଁ ପୀଡ଼ିତ ବିସ୍ଥାପିତ ଜଣକ କ୍ଷତିପୂରଣ ପାଇବା ପାଇଁ ହକ୍‍ଦାର ବୋଲି ସର୍ବୋଚ୍ଚ ନ୍ୟାୟାଳୟ ରାୟରେ ଦର୍ଶାଇଛନ୍ତି। ଜମି ଅଧିଗ୍ରହଣ ବିଜ୍ଞପ୍ତି ଜାରି ଦିନଠାରୁ କ୍ଷତିପୂରଣ ରାଶି ପ୍ରଦାନ ଲାଗି ବିଚାରପତି ଆର ସୁଭାଷ ରେଡ୍ଡି ଓ ବିଚାରପତି ହୃଷୀକେଶ ରାୟଙ୍କ ଖଣ୍ଡପୀଠ ଓଡ଼ିଶା ସରକାରଙ୍କୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ପ୍ରକଳ୍ପ ନିର୍ମାଣ ବାବଦରେ ଆନନ୍ଦଚନ୍ଦ୍ର ବେହେରା (ମୃତକ)ଙ୍କ ୨୦.୨୩ ଡେସିମିଲ ଜମି ଅଧିଗ୍ରହଣ ଲାଗି ଜମି ଅଧିଗ୍ରହଣ ଅଧିକାରୀ ୧୯୭୯ ଅକ୍‍ଟୋବର ୧୧ରେ ମୂଲ୍ୟ ନିର୍ଦ୍ଧାରଣ କରିଥିଲେ। ଏଥିରେ ସନ୍ତୁଷ୍ଟ ନହୋଇ ଆନନ୍ଦଚନ୍ଦ୍ର ଦେବଗଡ଼଼ ଦେୱାନୀ ଅଦାଲତ (ସିନିଅର ଡିଭିଜନ)ରେ ଜମି ଅଧିଗ୍ରହଣ ଆଇନ ୧୮୯୪ର ଧାରା ୧୮ ଅନୁଯାୟୀ ମାମଲା ରୁଜୁ କରିଥିଲେ। ଅଦାଲତ ନିଜ ରାୟରେ ୧୬ ଏକର ୪୪ ଡେସିମିଲ ଚାଷ ଜମି ପାଇଁ ଏକରପିଛା ୨୦ ହଜାର ଟଙ୍କା ଏବଂ ବକେୟା ୩ ଏକର ୭୯ ଡେସମିଲ ଜମିରେ ରହିଥିବା ବାସଗୃହ ଓ ଫଳଗଛର ବାର୍ଷିକ ଉତ୍ପାଦନକୁ ହିସାବକରି ସମୁଦାୟ ୬ଲକ୍ଷ ୪୭ହଜାର୬୮୦ଟଙ୍କା ଧାର୍ଯ୍ୟ କରିଥିଲେ। ଫଳଗଛରୁ ମିଳୁଥିବା ୧୬ ବର୍ଷର ଆୟ ରାଶିକୁ ଦେଓଗଡ଼଼ ଦେୱାନୀ ଅଦାଲତ ହିସାବକୁ ନେଇଥିଲେ। ଏହାକୁ ବିରୋଧ କରି ୨୦୦୦ ମସିହାରେ ଦେବଗଡ଼଼ ଜମି ଅଧିଗ୍ରହଣ ଅଧିକାରୀ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୦୭ରେ ଉଚ୍ଚ ନ୍ୟାୟାଳୟ ମାମଲାର ବିଚାର କରି ଭିନ୍ନ ଭିନ୍ନ କ୍ଷତିପୂରଣ ରାଶି ନିର୍ଦ୍ଧାରଣ ବଦଳରେ ସମସ୍ତ ଜମି ପାଇଁ ଏକର ପିଛା ୨୦ ହଜାର ଟଙ୍କା ଧାର୍ଯ୍ୟ କରିଥିଲେ। ପୀଡ଼ିତ ଜଣକ ଉଚ୍ଚ ନ୍ୟାୟାଳୟ ରାୟକୁ ବିରୋଧ କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବା ପରେ ମାମଲାର ଶୁଣାଣି କରି ବିଚାରପତି ଆର ସୁଭାଷ ରେଡ୍ଡି ଓ ବିଚାରପତି ହୃଷୀକେଶ ରାୟଙ୍କ ଖଣ୍ଡପୀଠ ଦେଓଗଡ଼଼ ଦେୱାନୀ ଅଦାଲତ ରାୟକୁ କାଏମ ରଖିଛନ୍ତି। ନ୍ୟାୟାଳୟରେ ଆବେଦନକାରୀ ଆନନ୍ଦଚନ୍ଦ୍ରଙ୍କ ତରଫରୁ ଆଇନଜୀବୀ ତେଜସ୍ୱୀ କୁମାର ପ୍ରଧାନ ଓ ମନୋରଞ୍ଜନ ପାଇକରାୟ ମାମଲା ପରିଚାଳନା କରୁଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ରେଙ୍ଗାଲି ଜଳସେଚନ ପ୍ରକଳ୍ପ ପାଇଁ ହୋଇଥିବା ଜମି ଅଧିଗ୍ରହଣରେ ଫଳଗଛ ଲାଗି କ୍ଷତିପୂରଣ ରାଶି ଏବଂ ଏକର ପିଛା ସର୍ବନିମ୍ନ ୨୦ ହଜାର ଟଙ୍କା କ୍ଷତିପୂରଣ ରାଶି ମିଳିବା ବାଟ ଫିଟିଛି।

Comments are closed.