ପୁନରୁଦ୍ଧାର ହେଉନି ପ୍ରାଚୀନ ଜଳଭଣ୍ଡାର: ଦୂଷିତ ହେଉଛି ଜଳ, ଦେଖା ଦେଉଛି ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା

ରେଙ୍ଗାଲି କ୍ୟାମ୍ପ : ଯୁଗଯୁଗ ଧରି ଜୀବଜଗତକୁ ଜଳଦାନ କରିଆସୁଥିବା ବନ୍ଧ, କଁଟା, ମୁଡା ଘାଘରା ଆଦି ପାରମ୍ପାରିକ ପ୍ରାଚିନ ଜଳଭଣ୍ଡାର ଗୁଡିକର ଉପଯୁକ୍ତ ରକ୍ଷାଣାବେକ୍ଷଣ ପୁନଃରୁଦ୍ଧାର ତଥା ମରାମତି ହେଉ ନଥିବାରୁ ଅଧିକାଂଶ ବ୍ୟବହାର ଅନୁପଯୋଗୀ ହୋଇପଡିଥିବା ବେଳେ ବହୁ ଜଳାଶୟର ଜଳ ଦୂଷିତ ହୋଇ ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଛି।
ରେଙ୍ଗାଲି ବ୍ଲକ୍‌ର ୧୬ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ୩୩୭ ଟି ବନ୍ଧ, କଁଟା ଏବଂ ପୁଷ୍କରିଣୀ ରହିଛି। ସେଥିମଧ୍ୟରୁ ୯୦ ପ୍ରତିଶତ ଜଳାଶୟ ଗ୍ରୀଷ୍ମ ଋତୁରେ ଜନସାଧାରଣଙ୍କ ବ୍ୟବହାରକୁ ଆସି ପାରୁ ନାହିଁ। ସେଥିରୁ କିଛି ଜଳଶୂନ୍ୟ ହୋଇ ଶୁଖି ଯାଉଥିବା ବେଳେ ବାକି ଜଳାଶୟ ଗୁଡିକ ରେ ବହୁତ କମ୍ ପାଣି ରହୁଥିବା ତଥା ଜଳାଶୟ ରେ ଦଳଭର୍ତ୍ତି ହୋଇ ରହୁଥିବାରୁ ପାଣି ଦୂଷିତ ହୋଇ ମଶାମାଛି ଙ୍କ ବଂଶ ବିସ୍ତାରର କେନ୍ଦ୍ର ପାଳଟିଯାଉଛି। ଅନେକ ଗ୍ରାମରେ କୌଣସି ବିକଳ୍ପ ନଥିବାରୁ ଲୋକେ ଦୂଷିତ ପାଣିରେ ସ୍ନାନ ଶୌଚ କରିବାକୁ ବାଧ୍ୟ ହେଉଛନ୍ତି। ସ୍ୱାଧିନତାର ୭୪ବର୍ଷ ଭିତରେ କେତେ ସରକାର ଆସିଲେ ଗଲେ କିନ୍ତୁ ଏହି ସମସ୍ୟା ର ସ୍ଥାୟୀ ପ୍ରତକାର ଦିଗ ରେ କାହାରି ନିଘା ନାହିଁ। ଏପରିକି ନିର୍ବାଚନରେ ଏହା କୌଣସି ରାଜନୈତିକ ଦଳର ଇସ୍ତାହାରରେ ସ୍ଥାନ ପାଉ ନାହିଁକି ପ୍ରସଙ୍ଗ ବି ହୋଇପାରିୁନାହିଁ ।

 

ସରକାର ଜନସାଧାରଣଙ୍କ ଜଳଚାହିଦା ପୂରଣ କରିବାପାଇଁ ଆଦର୍ଶ ପୁଷ୍କରିଣୀ, ଜଳବିଭାଜିକା ପ୍ରକଳ୍ପ, ଜଳଅମଳ ପ୍ରକଳ୍ପ, ଆଡିବନ୍ଧ, ଚେକ୍ ଡ୍ୟାମ୍‌ପରି ଏକାଧିକ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତ୍ରୁଟିପୂର୍ଣ ପରି ଯୋଜନା ଏବଂ କ୍ରିୟାନ୍ୱୟନରେ ଚରମ ଦୁର୍ନୀତି କରି ସରକାରି ଟଙ୍କା ବାଟମାରଣା ହେଉଥିବାରୁ ସଂପ୍ୃକ୍ତ ଯୋଜନାର ସଫଳ ଲୋକେ ପାଇପାରୁନାହାନ୍ତି। ଯାହାଫଳରେ ଜନସାଧାରଣଙ୍କ ଜଳ ଚାହିଦା ପୂରଣ ହୋଇପାରୁନାହିଁ। ଅପର ପକ୍ଷରେ ସରକାର ପାରମ୍ପାରିକ ଜଳଉତ୍ସ ଗୁଡିକର ପୁନଃରୁଦ୍ଧାର, ରକ୍ଷଣାବେକ୍ଷଣ ଓ ପଙ୍କୋଦ୍ଧାର ପାଇଁ ଫଳପ୍ରସୂ ଯୋଜନା ମଧ୍ୟ କାର୍ଯ୍ୟକାରି କରୁନାହାନ୍ତି। ଫଳରେ କାହିଁ କେଉଁ ଯୁଗରୁ ବର୍ଷବର୍ଷ ଧରି ଜନସାଧାରଣ ଏବଂ ଅନ୍ୟ ଜୀବଜନ୍ତୁମାନଙ୍କୁ ଜଳଦାନ କରିବା ସହିତ ଫସଲକୁ ମରୁଡି ଦାଉରୁ ରକ୍ଷାକରି ଜନସାଧାରଣଙ୍କୁ ଖାଦ୍ୟ ନିରାପତ୍ତା ପ୍ରଦାନ କରି ଅର୍ଥନୈତିକ ଅଭିବ୍ୃଦ୍ଧି ରେ ସହାୟକ ହେଉଥିବା ବନ୍ଧ, କଁଟା, ମୁଡା, ଘାଘରା ଆଦି ଜଳାଶୟର ଅସ୍ତିତ୍ୱ ଏବେ ଘୋର ସଙ୍କଟ ରେ ରହିଛି। ବର୍ଷାଜଳ ସଂରକ୍ଷଣ ର ସର୍ବପ୍ରଥମ ଓ ପ୍ରାଚିନ ପରମ୍ପରା ବୋଲି କୁହାଯାଉଥିବା ଅନେକ ଜଳାଶୟ ଧୀରେଧୀରେ ନିଶ୍ଚିହ୍ନ ହେବାରେ ଲାଗିଛି। ରେଙ୍ଗାଲି ବ୍ଲକ୍‌ରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳୁଛି। ଏହି ବ୍ଲକ୍‌ର ଟାମ୍ପରକେଲା ଗ୍ରାମରେ ଥିବା ପୋଖରିର ଦୀର୍ଘ ୪୦ ବର୍ଷ ହେଲା ପଙ୍କୋଦ୍ଧାର କରାଯାଇନାହିଁ। ତବଡାବାହାଲ ପଞ୍ଚାୟତର ଭୁଏମୁଣ୍ଡା କଟା, ବାରଡୁଙ୍ଗୁରି ଗୌଡପଡା ଗ୍ରାମ ରେ ଥିବା କଁଟା , ଲଇଡା ଗ୍ରାମର ମୁଡୁବନ୍ଧ, ଧୁବାବନ୍ଧ, କେଶରିବନ୍ଧ, ଗୁଡିବନ୍ଧ ଆଦି ଜଳାଶୟର ଦୀର୍ଘ ବର୍ଷ ହେଲା ପୁନଃରୁଦ୍ଧାର କାମ କରାଯାଇନାହିଁ। ତୃଟିପୂର୍ଣ୍ଣ ଯୋଜନା ଯୋଗୁଁ ଲଇଡାରେ ନିର୍ମାଣ ହୋଇଥିବା ଆଦର୍ଶ ପୁଷ୍କରିଣୀ ଶୁଖିଲା ହୋଇ ପଡିଛି। ନିଶାନଭଙ୍ଗା ଗ୍ରାମରେ ଥିବା ବିରାଟ କଟାର ଦୀର୍ଘବର୍ଷ ହେଲା ପୁନଃରୁଦ୍ଧାର ହେଉ ନଥିବାରୁ ଦଳରେ ଭର୍ତ୍ତି ହୋଇ ଫୁଟବଳ ପଡିଆ ଭଳି ଦିଶୁଛି। କଟାର ପାଣିଦୂଷିତ ହୋଇ ଯାଇଥିବାରୁ ଲୋକେ ବ୍ୟବହାର କରି ପାରୁନାହାନ୍ତି। କତରବଗା ଗ୍ରାମରେ ଥିବା ମାନକଟା, ଭୁଲିଆଟିକ୍ରାର ଭୁଲିଆ କଁଟା, ରୁନିମହୁଲ, ବଡମାଲ.ସର୍ଗିପାଲି, କୁସୁମଡିହି ଆଦି ଗ୍ରାମରେ ଥିବା ବନ୍ଧ, କଟାର ଦୀର୍ଘବର୍ଷ ହେଲା ପଙ୍କୋଦ୍ଧାର ହେଉ ନାହିଁ ବୋଲି ସଂପ୍ୃକ୍ତ ଗ୍ରାମର ଅଧିବାସୀମାନଙ୍କ ଠାରୁ ପ୍ରକାଶ। ବ୍ଲକ୍‌ର ରେଙ୍ଗାଲି, ସାଲଡ, ବମାଲୋଇ, ଘିଚାମୁରା ଆଦି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଥିବା ଅଧିକାଂଶ ବନ୍ଧକଁଟା ଗୁଡିକର ସ୍ଥିତି ବିପନ୍ନ ହୋଇ ଅର୍ଦ୍ଧଜୀବିତ ଅର୍ଦ୍ଧମ୍ୃତ ଅବସ୍ଥାରେ ପଡି ରହିଥିବାରୁ ଗ୍ରୀଷ୍ମଋତୁରେ ଅନେକ ଜଳାଶୟ ଶୁଖିଲା ରହୁଛି। ଅପରପକ୍ଷରେ କେତେକରେ ପାଣି ରହୁଥିଲେ ବି ବ୍ୟବହାର ଉପଯୋଗି ହୋଇପାରୁନାହିଁ। ଏହି ସମସ୍ୟା ଧନୀ ଶ୍ରେଣୀର ଲୋକଙ୍କୁ କିଛି ଫରକ୍ ପଡୁ ନଥିବା ବେଳେ ସ୍ନାନ ଶୌଚାଦି ପାଇଁ ବନ୍ଧକଁଟା, ପୋଖରି ଉପରେ ସମ୍ପୂର୍ଣ ଭାବରେ ନିର୍ଭର କରୁଥିବା ଜନସାଧାରଣ ଏବଂ ପଶୁପକ୍ଷୀ ମାନଙ୍କ ପାଇଁ ବହୁତ କଷ୍ଟଦାୟକ ହୋଇପଡୁଛି।

ବର୍ଷାଜଳକୁ ସଂରକ୍ଷଣ କରି ରଖିବାର ପ୍ରାଚୀନ ପରମ୍ପରା ପ୍ରତି ଚରମ ଅବହେଳା ଯୋଗୁ ଜଳଉତ୍ସଗୁଡିକର ଦ୍ରୁତ ଅବକ୍ଷୟ ହୋଇ ନିୟମିତ ବ୍ୟବଧାନରେ ମରୁଡି ସମସ୍ୟା ତଥା ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ଜଲାଶୟ ଶୁଖି ଯାଇ ଲୋକେ ସ୍ନାନ ଶୌଚ ପାଇଁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଥିବାର ଦେଖାଦେଉଛି ଏବଂ ଗ୍ରୀଷ୍ମଋତୁରେ ଜଳସଙ୍କଟ ସମସ୍ୟା ବର୍ଷକୁ ବର୍ଷ ଗମ୍ଭିର ଆକାର ଧାରଣ କରିବାରେ ଲାଗିଛି। ରାଜାରାଜୁଡା ଅମଳରେ ପୁଣ୍ୟ ଅର୍ଜନ ପାଇଁ ପୋଖରି ଖନନ କରାଯାଉଥିଲା। କିନ୍ତୁ ଏବେ ବସ୍ତୁବାଦରେ ଆକ୍ରାନ୍ତ ହୋଇ ପ୍ରାଚୀନ କାଳରୁ ଥିବା ଜଳଉତ୍ସକୁ ପୋତି ଦେଇ ସେଠାରେ ଆଲିଶାନ୍ କୋଠା ନିର୍ମାଣ କରିବାକୁ ଲୋକେ ତିଳେମାତ୍ର କୁଣ୍ଠା ପ୍ରକାଶ କରୁନାହାନ୍ତି। ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ପୋଖରି ସଂସ୍କୃତି ପ୍ରତି ଅବିଚାର ଓ ଅବହେଳା ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳୁଛି। ସରକାର ଏଦିଗରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ସମୟପଯୋଗୀ ଫଳପ୍ରସୂ ଯୋଜନା ମାଧ୍ୟମରେ ପାରମ୍ପାରିକ ଜଳଉତ୍ସଗୁଡିକର ପୁନଃରୁଦ୍ଧାର କରି ସୁରକ୍ଷା ନକଲେ ଆଗାମୀ କିଛି ବର୍ଷ ପରେ ବହୁ ଜଳଉତ୍ସ ଲୋପ ପାଇଯିବା ନିଶ୍ଚିତ ଅଟେ। ଜଳଉତ୍ସ ଗୁଡିକ ବିଳୁପ୍ତିର ଦ୍ୱାର ଦେଶରେ ଉପନୀତ କିନ୍ତୁ କ୍ଷୋଭର ବିଷୟ ଯେ ପାରମ୍ପାରିକ ଜଳଉତ୍ସ ଗୁଡିକର ପୁନଃରୁଦ୍ଧାର ପାଇଁ ସରକାର ଯେଭଲି ଗୁରୁତ୍ୱ ଦେବା କଥା ଦେଉ ନାହନ୍ତି। ବରଂ ଗଭୀର ନଳ କୂପ ଖନନ ପାଇଁ ପ୍ରୋତ୍ସାହନ ଦେବା ଫଳରେ ଭୂତଳ ଜଳସ୍ତରକୁ ଆହୁରି ପାତାଳଗାମୀ କରି ଦିଆଯାଉଛି। ରେଙ୍ଗାଲି ବ୍ଳକ୍ ଏକ ଶିଳ୍ପ ସମ୍ୃଦ୍ଧ ଅଞ୍ଚଳ। ଏହି ବ୍ଳକ୍‌ରେ ଥିବା ବହୁରାଷ୍ଟ୍ରୟ କମ୍ପାନିର ଖଣିଖାଦାନ କଳକାରଖାନାଗୁଡିକର ପାରିପାର୍ଶ୍ବିକ ବିକାଶ ପାଣ୍ଠିରୁ ଅଞ୍ଚଳର ଜରାଜୀର୍ଣ୍ଣ ହୋଇ ପଡିଥିବା ଜଳାଶୟ ଗୁଡିକର ପୁନଃରୁଦ୍ଧାର କରାଯିବା ପାଇଁ ପଦକ୍ଷେପ ନିଆଗଲେ ଏହି ସମସ୍ୟାର ଏକ ପ୍ରକାର ସ୍ଥାୟୀ ପ୍ରତିକାର ହୋଇ ପାରନ୍ତା ବୋଲି ସଚେତନ ନାଗରିକ ମହଲରେ ଦାବି ହେଉଛି।

Comments
Loading...