ଅସହାୟ କୁମୁଦିନୀର ଦୁଃଖ ବୁଝିବ କିଏ ?

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକର ଲଇଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୈଜାପାଲି ଗ୍ରାମର ସ୍ୱାମୀ ପରିତ୍ୟକ୍ତା ମହିଲା କୁମୁଦିନୀ ପ୍ରଧାନ(୫୫) ଦୀର୍ଘ ବର୍ଷ ହେଲା ଅସହାୟ ଜୀବନ ଅତିବାହିତ କରୁଛନ୍ତି। କୁମୁଦିନୀଙ୍କ ରହିବା ପାଇଁ ଘର ନାହିଁ। ପଞ୍ଚାୟତରୁ ମାସିକ ୧୦ କେଜି ଚାଉଳ ତାଙ୍କୁ ମିଳୁଛି। ଘର ନ ଥିବାରୁ ଜ୍ଞାତି ପରିଜନଙ୍କ ଘରେ ବିଭିନ୍ନ ପର୍ୟ୍ୟାୟରେ ଆଶ୍ରୟ ନେଇ ଜୀବନ ଅତିବାହିତ କରୁଛନ୍ତି। ଝିଅ ଥିଲା ବେଳେ ସେବା ଯତ୍ନ କରୁଥିଲା। ଝିଅ ବାହା ହୋଇ ଶାଶୁଘରକୁ ଚାଲି ଗଲା ପରେ କୁମୁଦିନୀ ଏକାକି ଏବଂ ନିଃସଙ୍ଗ ହୋଇ ପଡିଛନ୍ତି। ବୟସ ଥିଲା ବେଳେ କାମ ଧନ୍ଦା କରୁଥିବାରୁ ଭାଇ ଘରେ ଆଶ୍ରୟ ମିଳି ଯାଉଥିଲା। କିନ୍ତୁ ଏବେ ଶରୀର ରୋଗାକ୍ରାନ୍ତ ହେବାରୁ କୌଣସି କାମ ଧନ୍ଦା କରି ପାରୁ ନାହାନ୍ତି। ଫଳରେ କୁମୁଦିନୀଙ୍କୁ କେହି ଆଶ୍ରୟ ଦେବାକୁ ଚାହୁଁ ନାହାନ୍ତି। ପଞ୍ଚାୟତରୁ ମିଳୁଥିବା ଚାଉଳ ଦେଲେ ସାହି ପଡ଼ିଶା ଏବଂ ଜ୍ଞାତି ପରିଜନ ଲୋକେ ମୁଠେ ଖାଇବାକୁ ଦେଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ବାତ ଏବଂ ସ୍ନାୟୁ ଜନିତ ରୋଗ ଯୋଗୁଁ କୁମୁଦିନୀ ବହୁତ କଷ୍ଟ ପାଉଛି ବୋଲି କହିଛନ୍ତି। ମୋର ସାହା ଭରସା କେହି ନାହିଁ। ୫୫ ବର୍ଷ ହୋଇଥିବାରୁ ମୋତେ ଏବେ ବାର୍ଦ୍ଧକ୍ୟ ଭତ୍ତା ମିଳିବ ନାହିଁ ବୋଲି କହି ପଞ୍ଚାୟତ କର୍ତ୍ତୃପକ୍ଷ ଆଉ ୫ବର୍ଷ ପରେ ୬୦ ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ମିଳିବ ବୋଲି କହୁଛନ୍ତି। ଆଉ ୫ ବର୍ଷ ବଞ୍ଚିିବି କି ନାହିଁ କେଜାଣି ବୋଲି କହନ୍ତି ନିରାଶ କୁମୁଦିନୀ। ନିଃସଙ୍ଗ ଏବଂ ଅସହାୟ କୁମୁଦିନୀକୁ ପ୍ରଶାସନ ପକ୍ଷରୁ ସହାୟତ ପ୍ରଦାନ କରାଯିବାକୁ ସଚେତନ ନାଗରିକ ମହଲରେ ଦାବୀ ହେଉଛି।

Comments
Loading...