ସମାଜ ପ୍ରଭାବ – ଜବରଦଖଲ ମୁକ୍ତ ହେଲା ଯବାନଙ୍କ ପାଇଁ ସଂରକ୍ଷିତ ଜମି

ରେଙ୍ଗାଲି: ବିଗତ ଦିନରେ ଦୈନିକ ‘ସମାଜ’ ଯବାନ ସଂରକ୍ଷିତ ଜମି ଜବର ଦଖଲ ଏବଂ ଉଚ୍ଛେଦ କେବେ ସଂକ୍ରାନ୍ତରେ ଖବର ଲଗାତାର ପକାଶିତ ହେଲା ପରେ ବନ ବିଭାଗ ପକ୍ଷରୁ ବୁଧବାର ଫଳପ୍ରସୂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହି ଜମି ଉପରେ ବେଆଇନ୍‍ ଭାବରେ ନିର୍ମାଣ ହୋଇଥିବା ଘର ଭାଙ୍ଗି ଜବର ଦଖଲ ଉଚ୍ଛେଦ କରଯାଇଥିବା ଦେଖିବାକୁ ମିଳିଛି। ୧୦ ବର୍ଷ ପୂର୍ବେ ଏହି ଜମି ସେନାବାହୀନିର ସେବା ନିବୃତ୍ତ ଯବାନମାନଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଏବେ ଏହା ଜଙ୍ଗଲ ଏବଂ ପରିବେଶ ବିଭାଗ ଅଧିନରେ କ୍ଷତିପୂରକ ଜଙ୍ଗଲ ସୃଷ୍ଟି ପାଇଁ ରହିଛି। ଏହି ଜମିରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ରେଙ୍ଗାଲି ପୁରଣାବସ୍ତି ତଥା ଆଖପାଖ ଗ୍ରାମର ଜନସାଧାରଣ ବିଗତ ଦିନରେ ବାରମ୍ବାର ଦାବୀ କରି ଆସୁଥିଲେ।

ସମାଜରେ ଖବର ପ୍ରକାଶିତ ହେଲା ପରେ ସମ୍ବଲପୁର ଡିଏଫଓ ତହସିଲଦାରଙ୍କ ସହିତ ମିଶି ଏହାର ସରଜମିନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଙ୍ଗାଲି ବନାଞ୍ଚଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଏବଂ ବାନଞ୍ଚଳ ଅଧିକାରୀ ହରିହର ପାତ୍ରଙ୍କ ତତ୍ତ୍ୱାଧାନରେ ବୁଧବାର ଫରେଷ୍ଟର ପ୍ରଣତି ମିଶ୍ରଙ୍କ ନେତୃତ୍ୱରେ ଫରେଷ୍ଟର ପ୍ରବୀଣ ସିଂ, ସତ୍ୟନରାୟଣ କାଲୋ, ବନରକ୍ଷୀ ଅଜିତ ସାହୁ ତଥା ରେଙ୍ଗାଲି ରେଞ୍ଜ ଟିମ୍‍ ଜବର ଦଖଲ ସ୍ଥଳରେ ପହଞ୍ଚି ଜେସିବି ମେସିନ୍‍ ଲଗାଇ ବେଆଇନ୍‍ ଭାବରେ ନିର୍ମିତ ଘର ଭାଙ୍ଗି ଜବର ଦଖଲ ଉଚ୍ଛେଦ କରିଥିଲେ।

ଜବରଦଖଲ ଉଚ୍ଛେଦ ସମୟରେ ରେଙ୍ଗାଲି ପୁରୁଣାବସ୍ତି ଏବଂ ରାମାପଡା ଗ୍ରାମ ର ବହୁ ସଂଖ୍ୟକ ମହିଲା/ପୁରୁଷ ଉପସ୍ଥିତ ଥିଲେ। ବନବିଭାଗ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ଜନସାଧାରଣ ରେ ପ୍ରଶଂସା ଏବଂ ସ୍ୱାଗତ କରଯାଇଛି। ଏହି ଜମି କ୍ଷତି ପୂରକ ଜଙ୍ଗଲ ସୃଷ୍ଟି ପାଇଁ ବନ ବିଭାଗ କୁ ଦିଆଯାଇଥିବା ରୁ ବନୀକରଣ ଦ୍ୱାରା ବୃକ୍ଷ ଚାରା ରୋପଣକରାଯାଇ ଜଙ୍ଗଲ ସୃଷ୍ଟି କରାଯାଉ ବୋଲି ଦାବୀ ହେଉଛି।

Comments are closed.