ରେଙ୍ଗାଲି-ସପନେ ରାସ୍ତାରେ ଓଭର ବ୍ରିଜ୍‍ ନିର୍ମାଣ ପାଇଁ ସର୍ଭେ, ଡିସେମ୍ବର ସୁଦ୍ଧା ସରିବ ରାସ୍ତା କାମ

ରେଙ୍ଗାଲି: ରେଙ୍ଗାଲିରୁ ସପନେ ସେତୁକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ରେଲ ଲାଇନ୍‍ ଉପରେ ଓଭର ବ୍ରିଜ ନିର୍ମାଣ ପାଇଁ ପୂର୍ତ୍ତ ଏବଂ ରେଲବାଇ ବିଭାଗ ପକ୍ଷରୁ ଯୁଗ୍ମ ସର୍ଭେ କାମ ସମ୍ପନ୍ନ କରାଯାଇଛି। ୫୦ମିଟର ଲମ୍ବ ବ୍ରିଜ୍‍ ଏବଂ ଉଭୟ ପାର୍ଶ୍ବରେ ୨ଶହ ମିଟର ଲେଖାଏଁ ମୋଟ ୪ଶହ ମିଟର ର ଏପ୍ରୋଚ୍‍ ରାସ୍ତା ନିର୍ମାଣ ର ପରିକଳ୍ପନା କରାଯାଇଥିବାର ଜଣାପଡିଛି। ଓଭର ବ୍ରିଜ୍‍ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର ହେଲେ ନିର୍ମାଣ କାମ ଆରମ୍ଭ କରାଯିବ ବୋଲି କୁହାଯାଉଛି। ରେଙ୍ଗାଲିରୁ ସପନେ ସେତୁକୁ ସଂଯୋଗ କରୁଥିବା ୮ କିଲୋମିଟର ରାସ୍ତା କାମ ଆସନ୍ତା ଡିସେମ୍ବର ସୁଦ୍ଧା ସମ୍ପୂର୍ଣ ହୋଇଯିବା ବୋଲି ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ କହିଛନ୍ତି। ସପନେ ସେତୁ ପଟରୁ ଆରମ୍ଭ ହୋଇ ଥିବା ଆଧିକାଂଶ ରାସ୍ତା କାମ ସରି ଯାଇଥିବା ବେଳେ ରେଙ୍ଗାଲି ପଟକୁ ଆସୁଥିବା ପ୍ରାୟ ଦେଢ କିଲୋମିଟର ରାସ୍ତା କାମ ବର୍ଷା ଯୋଗୁଁ ଅଟକି ଯାଇ ଅସମ୍ପୂର୍ଣ ଅବସ୍ଥା ରେ ରହିଯାଇଛି। ବର୍ଷା ପରେ ଅସମ୍ପୂର୍ଣ ଥିବା ରାସ୍ତା କାମ ସମ୍ପୂର୍ଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସୂଚିତ ଯେ ରେଙ୍ଗାଲିରୁ ସପନେ ସେତୁକୁ ସଂଯୋଗ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେଲା ପରେ ଏହି ରାସ୍ତା ଦେଇ ଲଖନପୁର, ତିଳିଆ, ଚାରପାଲି-ବରପାଲି, କୁମ୍ଭାରବନ୍ଧ, ବନ୍ଧବାହାଲ, ବେଳପାହାଡ ଇବ୍‍ ଥର୍ମାଲ୍‍, କନକତୋରା, ରାୟଗଡ ଆଦି ଅଞ୍ଚଳକୁ କମ୍‍ ଖର୍ଚ୍ଚ ଏବଂ କମ୍‍ ସମୟ ମଧ୍ୟରେ ଯାତ୍ରୀବାହୀ ବସ୍‍, ମାଲବାହୀ ଟ୍ରକ୍‍ ଏବଂ ଅନ୍ୟ ଯାନବାହାନ ଯାତାୟାତର ସୁବିଧା ଉପଲବ୍‍ଧ ହୋଇପାରିବ।

Comments are closed.