୩୦ କିଲୋମିଟର ଆସିଲେ, ଟିକା ନ ପାଇ ଫେରିଲେ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇ ରାଜ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଛି। ରେଙ୍ଗାଲି ବ୍ଳକରେ କରୋନା ସ୍ଥିତି ଅତି ଗମ୍ଭିର ଆକର ଧାରଣ କରିଛି। ଏଭଳି ସ୍ଥିତିରୁ ରକ୍ଷା ପାଇବାକୁ ଲୋକେ କରୋନା ଟୀକା ନେବା ପାଇଁ ବ୍ୟଗ୍ର ଥିବା ବେଳେ ଲୋକଙ୍କ ଚାହିଦା ଅନୁସାରେ ଟୀକା ଦେବାରେ ସରକାର ବିଫଳ ହୋଇଥିବାରୁ ଲୋକେ ଟୀକା ନପାଇ ହତାଶ ହୋଇ ପଡୁଛନ୍ତି। ୩୦ କିଲୋମିଟର ଦୂରରୁ ଆସି ଟୀକା ନପାଇ ଲୋକେ ହନ୍ତସନ୍ତ ଏବଂ ଖର୍ଚ୍ଚାନ୍ତ ହେଉଥିବାର ଦେଖିବାକୁ ମିଳୁଛି। ଏହି ବ୍ଳକର ଲଇଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ବହୁତ ଦିନର ବ୍ୟବଧାନରେ ମାତ୍ର ୧ଶହ ଜଣଙ୍କ ପାଇଁ କରୋନା ଟୀକା ଯୋଗାଇ ଦିଆଯାଇଥିଲା। ଯାହା ଚାହିଦାକୁ ଦେଖିଲେ ସମୁଦ୍ର କୁ ଶଙ୍ଖେ ସଦୃଶ।

ସୋମବାର ଟୀକା ନେବା ପାଇଁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧ଶହ ରୁ ଅଧିକ ଆଗ୍ରହୀ ଲୋକେ ସକାଳ ୮ଟା ରୁ ଲାଇନ୍‍ ଲଗାଇଥିଲେ। ଲଇଡାରୁ ୩୦ ଲିଲୋମିଟର ଦୂରରେ ଥିବା ଟାମ୍ପରକେଲା ଅଞ୍ଚଳରୁ ଟୀକା ନେବାକୁ ୧୦ ଜଣ ପୁରୁଷ ଏବଂ ମହିଲା ଗାଡି ଭଡା କରି ଲଇଡାକୁ ଆସିଥିଲେ। ଲଇଡା ଗୋଷ୍ଠି ସ୍ୱସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଲା ବେଳକୁ ଟିକା ଶେଷ ହୋଇଯାଇଥିଲା। ଫଳରେ ପ୍ରଚଣ୍ଡ ଖରାରେ ୩୦ କିଲୋମିଟର ଦୂରତାରୁ ଟୀକା ନେବାକୁ ଆସି ଥିବା ୧୦ ଜଣ ପୁରୁଷ/ମହିଳା ଅର୍ଥହାନି ଏବଂ ପ୍ରାଣପୀଡା ଭୋଗ କରି ନିରାଶରେ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ।

Comments are closed.