ଗ୍ୟାସ୍ କମ୍ପାନୀର ଜମି ଲିଜ୍ ଖାରଜ କରିବାକୁ ଜିଲ୍ଲାପାଳଙ୍କ ଠାରେ ଦାବୀ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ ଅନ୍ତର୍ଗତ ଜଙ୍ଗଳା ମୌଜାର ଜନବସତି ଥିବା ଲାରିପାଲି ଛକ ପାଖରେ ଖାତା ନଂ୪୪୧, ପ୍ଳଟ ନଂ ୧୫୪୯/୫୮୫୨ରେ ଥିବା ୭୧ ଡେସମିଲ୍ ସରକାରୀ ଜମିକୁ ରେଙ୍ଗାଲି ତହସିଲଦାର ବିପିସିଏଲ୍ ନାମକ ଏକ ଗ୍ୟାସ୍ କମ୍ପାନୀକୁ ଲିଜରେ ଦେଇଥିବାରୁ ଜଙ୍ଗଳା ମୌଜାର ଜନସାଧାରଣ ଏବଂ ନିର୍ବାଚିତ ଜନପ୍ରତିନିଧି ଏହାର ତୀବ୍ର ବିରୋଧ କରିଛନ୍ତି। ରେଙ୍ଗାଲି ବିଧାୟକ ନାଉରି ନାଏକ, ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆ, ଜିଲ୍ଲା ପରିଷଦ ସଭ୍ୟ ତିରୋଜ ହେଡ଼େଞ୍ଜା, ଜଙ୍ଗଳା ସରପଞ୍ଚ ଇଂ ଗାନ୍ଧି ବେହେରା ସମେତ ଜଙ୍ଗଳା ମୌଜାର ଜନସାଧାରଣ ବିପିସିଏଲ୍ କମ୍ପାନୀକୁ ଦିଆଯାଇଥିବା ଜମି ଲିଜ୍ ବାତିଲ୍ କରିବାକୁ ଜିଲ୍ଲାପାଳଙ୍କ ଠାରେ ଲିଖିତ ଦାବୀ କରିଛନ୍ତି।

ଲାରିପାଲି ଛକ ଅଞ୍ଚଳରେ ଆଦିବାସୀ ସଂପ୍ରଦାୟର ଲୋକେ ଦୀର୍ଘ ବର୍ଷ ହେଲା ଜନବସତି ସ୍ଥାପନ କରି ରହୁଛନ୍ତି ଏବଂ ସ୍ଥାୟୀ ଦୋକାନ ବଜାର ମଧ୍ୟ ରହିଛି। ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସୁରକ୍ଷା ତଥା ହିତ ଦୃଷ୍ଟିରୁ ଛକ ପାଖରେ ଗ୍ୟାସ୍ କମ୍ପାନିକୁ ଦିଆଯାଇଥିବା ଜମି ଲିଜ୍ ଖାରଜ କରାଯାଇ ଛକ ଅଞ୍ଚଳରୁ ୧ କିଲୋମିଟର ଦୂର ଅନ୍ୟ କୌଣସି ସ୍ଥାନରେ ଲିଜ୍ ଦିଆଯାଉ ବୋଲି ଦାବୀପତ୍ରରେ କୁହାଯାଇଛି।

Comments are closed.