କଲେଜ ଛକରୁ ଠିପି ବନ୍ଦ ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଦାବୀ

ରେଙ୍ଗାଲି: ସମ୍ବଲପୁର ରାଜ୍ୟ ରାଜପଥ ର ରେଙ୍ଗାଲି କଲେଜ ଛକ ରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ରେଙ୍ଗାଲି ସରପଞ୍ଚ ଲକ୍ଷ୍ମୀ ଓରାମ ଆଜି ଜିଲ୍ଲାପାଳଙ୍କ ନିକଟରେ ଦାବୀ ପତ୍ର ପ୍ରଦାନ କରିଛନ୍ତି। କଲେଜ ଛକରେ ଥିବା ମଦ ଦୋକାନର ୩୦ ମିଟର ଦୂରରେ ତହସିଲ ଅଫିସ, ୫୦ ମିଟର ଦୂରତା ରେ ଶିକ୍ଷା ନୀରିକ୍ଷକ କାର୍ଯ୍ୟାଳୟ, ୩ଶହ ମିଟର ଦୂରରେ ଆଦର୍ଶ ବିଦ୍ୟାଳୟ, ୭ଶହ ମିଟର ଦୂରରେ ଶିଶୁ ବିଦ୍ୟାମନ୍ଦିର, ସମ୍ମୁଖରେ ବିଦ୍ୟୁତ ଏସଡିଓ ଅଫିସ, ପାର୍ଶ୍ବରେ ଡାକ୍ତରଖାନା, ଶିବ ମନ୍ଦିର, ରାମ ସାଗର ପୋଖରୀ ରହିଛି।

ଏଭଳି ଜନ ସମାଗମ ସ୍ଥଳରେ ବିଦେଶୀ ମଦ ଦୋକାନ ରହିବା ଫଳରେ ମଦୁଆମାନଙ୍କ ଦୌରାତ୍ମ୍ୟରେ ଛାତ୍ର, ଛାତ୍ରୀ, ମହିଳା ଏବଂ ଜନସାଧାରଣ ଅତିଷ୍ଠ ହୋଇ ପଡୁଛନ୍ତି। ଗତ କିଛି ଦିନ ତଳେ ଦୁଇ ମଦ୍ୟପ ଗୋଷ୍ଠି ମଧ୍ୟରେ ମାଡପିଟ, ଆକ୍ରମଣ ପ୍ରତିଆକ୍ରମଣ ହୋଇ ମୋଟର ସାଇକେଲ ପୋଡି ଦେବା ଭଳି ଘଟଣା ଘଟିଛି। ଏଭଲି ଅପ୍ରୀତିକର ଘଟଣା ପ୍ରାୟ ଘଟୁଥିବାରୁ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଗ୍ରାମ ପଞ୍ଚାୟତ ବୈଠକରେ ସର୍ବ ସମ୍ମତିକ୍ରମେ ପ୍ରସ୍ତାବ ଗୃହିତ ହୋଇ ଏଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାର ଅବକାରୀ ଅଧିକ୍ଷକଙ୍କୁ ଦାବୀ କରାଯାଇ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏଣୁ ଜନସାଧାରଣଙ୍କ ସୁରକ୍ଷା ତଥା ନିରାପତ୍ତା ଦୃଷ୍ଟିରୁ ଜିଲ୍ଲାପାଳ ଏଥି ପ୍ରତି ଗୁରୁତ୍ବ ଦେଇ ବିଦେଶୀ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ସରପଞ୍ଚ ଶ୍ରୀମତୀ ଓରାମ ଦାବୀ କରିଛନ୍ତି।

Comments are closed.