ଶ୍ରମମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

ସଭା ସ୍ଥଳରୁ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଉଠାଇ ନେଲା ପୁଲିସ

ରେଙ୍ଗାଲି; ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ପୃଥକ୍‍ ପୃଥକ୍‍ ଭାବରେ ରେଙ୍ଗାଲି ବ୍ଳକ୍‍ ୮ଟି ଗ୍ରାମ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନ କରିଛନ୍ତି। ସୁଶାନ୍ତ ସିଂହ ପ୍ରଥମେ ଝାଙ୍କରପାଲି ଗ୍ରାମ ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତର ହିତାଧିକାରୀମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ନିମନ୍ତ୍ରିତ ହୋଇଥିବା ଜିଲ୍ଲାପରିଷଦ ସଭ୍ୟା ଉତ୍ପଲା ଧୁରୁଆ କୁଆଡେ ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦ କରି ମନ୍ତ୍ରୀଙ୍କ ଉପରେ ଅଣ୍ଡା ମାଡ କରିବେ ବୋଲି ସୁଚନା ପାଇ ପୁଳିସ ସଭାସ୍ଥଳରୁ ଉତ୍ପଲାଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିବାର ଜଣାପଡିଛି। ଏସଂକ୍ରାନ୍ତରେ ଉତ୍ପଲା ଧୁରୁଆଙ୍କୁ ପଚରା ଯିବାରୁ ମନ୍ତ୍ରୀଙ୍କ ଉପରେ ଅଣ୍ଡା ମାଡ କରିବା କିମ୍ବା ପ୍ରତିବାଦ କରିବା ତାଙ୍କର ଆଦୌ ଉଦ୍ଦେଶ୍ୟ ନଥିଲା। ଏହା ଏକ ସରକାରୀ କାର୍ଯ୍ୟକ୍ରମ ମୋତେ ଅତିଥି ରୂପେ ନିମନ୍ତ୍ରିତ କରାଯାଇଥିବାରୁ ଏହି ଅବସରରେ ମୁଁ ମନ୍ତ୍ରୀଙ୍କୁ ମୋ ଅଞ୍ଚଳର ରାସ୍ତାଘାଟ ତଥା ଅନ୍ୟାନ୍ୟ ସମସ୍ୟା ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରିବାକୁ ଆସିଥିଲି। କିନ୍ତୁ ଦୁଃଖର ବିଷୟ ଯେ ମନ୍ତ୍ରୀ ଆସିବା ଆଗରୁ ସର୍ବସାଧାରଣଙ୍କ ଉପସ୍ଥିତିରେ ମୁଁ ନିମନ୍ତ୍ରିତ ଅତିଥି ହୋଇଥିବା ସତ୍ୱେ ମୋତେ ଅପମାନିତ କରି ପୁଲିସ ସଭା ସ୍ଥଳରୁ ଉଠାଇ ନେଇ ଥାନାରେ ଅଟକ ରଖିଛି। ଏହା ସମ୍ପୁର୍ଣ ଅଗଣାତାନ୍ତ୍ରିକ ବୋଲି ଉତ୍ପଲା ଧୁରୁଆ କ୍ଷୋଭ ପ୍ରକାଶ କରିଛନ୍ତି।

ଝାଙ୍କରପାଲି ପଞ୍ଚାୟତ ର କାର୍ଯ୍ୟକ୍ର ସମାପ୍ତି ପରେ ମନ୍ତ୍ରୀ ଶ୍ରୀ ସିଂହ କିନାଲୋଇ ଅଭିମୁଖେ ଆସୁଥିବା ବେଳେ ଜୁନାଡିହି ଛକରୁ ରାଜେଶ ପୃଷ୍ଟି, ସପ୍ନିଲ ପ୍ରଧାନ, ଛନ୍ଦା ଚରଣ ରଣା ପ୍ରମୁଖଙ୍କ ନେତୃତ୍ୱରେ ଲଇଡା ଅଞ୍ଚଳର ଶତାଧିକ ବିଜେଡି କର୍ମୀ ମନ୍ତ୍ରୀଙ୍କୁ ସ୍ୱାଗତ କରି ବାଇକ୍‍ ରାଲିରେ ପାଛୋଟି ନେଇଥିଲେ। କିନାଲୋଇ ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ ଶଙ୍କର ପ୍ରସାଦ ସାହୁ, ସରପଞ୍ଚ କୁମୁଦିନି ନାଏକ, ସମିତି ସଭ୍ୟା ଅନିତା ବେହେରା ମଞ୍ଚାସୀନ ଥିଲେ। ଏହାପରେ କିନାଲୋଇ ଗ୍ରାମ ପଞ୍ଚାୟତରେ ବିଡିଓ ଶଙ୍କର ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚ ଦିଲ୍ଲିପ କୁମାର ନାଏକ, ସମିତି ସଭ୍ୟା ପୁଷ୍ପଲତା ପଟେଲଙ୍କ ଉପସ୍ଥିତିରେ ମନ୍ତ୍ରୀ ସୁଶାନ୍ତ କୁମାର ସିଂହ ହିତାଧିକାରିମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଥିଲେ।

ରେଙ୍ଗଲୋଇ ଗ୍ରାମ ପଞ୍ଚାୟତରେ ବିଡିଓ ଏବଂ ସ୍ଥାନିୟ ସରପଞ୍ଚ ପ୍ରମୋଦିନି ନାଏକ, ସମିତି ସଭ୍ୟା ସୁରଭି ମୁଣ୍ଡାଙ୍କ ଉପସ୍ଥିତିରେ ହିତାଧିକାରୀ ମାନଙ୍କୁ ଶ୍ରମ ମନ୍ତ୍ରୀ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ। ଶେଷରେ ଲଇଡା ଗ୍ରାମପଞ୍ଚାୟତର ବାଳକ ହାଇସ୍କୁଲ ପରିସରରେ ସରପଞ୍ଚ ଯୁଗଳ କିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସିଂହ ପଞ୍ଚାୟତର ହିତାଧିକାରୀମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ। ଲଇଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ଆଶିଷ ମାଝି, ବିଡିଓ ଶଙ୍କର ପ୍ରସାଦ ସାହୁ ସମବେତ ହିତାଧିକାରୀ ଏବଂ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ କାର୍ଡର ଉପକାରିତା ଉପରେ ବୁଝାଇଥିଲେ। ସମସ୍ତ କାର୍ଯ୍ୟକ୍ରମରେ ବିଜୁ ଜନତାଦଳ ଜିଲ୍ଲା ସମ୍ପାଦକ ଏମ୍‍.ବି ସତ୍ୟମ୍‍, ପୂର୍ବତନ ବିଧାୟକ ରମେଶ ପଟୁଆ, ଟିଙ୍କୁ ନାଏକ, ପିଣ୍ଟୁ ସାହୁ,,କବିର ଶରଣ ନାଏକ, ବାବୁଲି ବେହେରା, ଅବନୀ ରଞ୍ଜନକର,ସୁଶାନ୍ତ ପ୍ରଧାନ, ବିଶ୍ୱଜିତ ନାଏକ, ରାଜେଶ ସାହୁ ପ୍ରମୁଖ ବିଭିନ୍ନ ଅଞ୍ଚଳର ବହୁ ସଂଖ୍ୟକ ବିଜେଡି ନେତା ଏବଂ କର୍ମୀ ଉପସ୍ଥିତ ଥିଲେ।

ଅପର ପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଖିଣ୍ଡା, ଠେଲକୋଲୋଇ, ବମାଲୋଇ ଏବଂ ଘିଚାମୁରା ପଞ୍ଚାୟତରେ ଆୟୋଜିତ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ସଂପୃକ୍ତ ପଞ୍ଚାୟତର ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ବନ୍ଧିତ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ ଏବଂ ସମବେତ ଜନସାଧାରଣଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ସ୍ନାର୍ଟ କାର୍ଡର ଉପେଯାଗିତା ଉପରେ ବକ୍ତବ୍ୟ ରଖିଥିଲେ। ଏସବୁ କାର୍ଯ୍ୟକ୍ରମରେ ସଂପୃକ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ଇଞ୍ଜିନିୟର ଶ୍ରୀକାନ୍ତ ମାଝି ମଞ୍ଚାସୀନ ଥିବା ବେଳେ ଅଞ୍ଚଳ ର ହିତାଧିକାରୀ ଜନସାଧାରଣ ଏବଂ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ।

Comments are closed.