ଶ୍ୟାମ୍‍ ମେଟାଲିକ୍ସ ଗୁଳିକାଣ୍ଡ ଘଟଣା: ମୃତକ ପରିବାରକୁ ୪ଲକ୍ଷ ସହାୟତା, ୫ ଅଟକ

ରେଙ୍ଗାଲି; ଗୁରୁବାର ଅପରାହ୍ନରେ ରେଙ୍ଗାଲି ନିକଟସ୍ଥ ପଣ୍ଡଲୋଇ ଠାରେ ଥିବା ଶ୍ୟାମ୍‍ ମେଟାଲିକ୍ସ କାରଖାନା ସୁରକ୍ଷାକର୍ମୀଙ୍କ ଗୁଳିରେ ମୃତ୍ୟୁ ବରଣ କରିଥିବା ଅନୁରାଗ ଭୂୟାଁ (୧୮) ନାମକ ଯୁବକର ପରିବାରକୁ କମ୍ପାନୀ ପକ୍ଷରୁ ୪ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିବା ଜଣାପଡିଛି। ଆଜି ମୃତକର ମାଆ ତଥା ପରିବାରବର୍ଗ ସହିତ ପୁଲିସ ଉପସ୍ଥିତିରେ କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା କରି ୫୦ ହଜାର ଟଙ୍କା ମୃତକର ଅନ୍ତିମ ସଂସ୍କାର, ଅନ୍ତେଷ୍ଟିକ୍ରିୟା କାର୍ଯ୍ୟ ସକାଶେ ଦିଆଯାଇଥିବା ବେଳେ ମୃତକର ବାପା, ମାଆଙ୍କ ନାମରେ ବ୍ୟାଙ୍କ୍‍ ପାସ୍‍ ବୁକ୍‍ ନଥିବାରୁ ବାକି ସାଢେ ୩ଲକ୍ଷ ପାସ୍‍ ବୁକ୍‍ ଖୋଲାହେଲା ପରେ ବ୍ୟାଙ୍କ୍‍ ଆକାଉଣ୍ଟରେ ଜମା କରାଯିବ ବୋଲି କମ୍ପାନୀ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିବା ପ୍ରକାଶ।

ଗୁଳିକାଣ୍ଡ ଘଟଣାର ସରଜମିନ ତଦାରଖ ଓ ତଦନ୍ତ ପାଇଁ ସଦର ଏସ୍‍.ଡି.ପି.ଓ ପ୍ରଦୀପ କୁମାର ସାହୁ, ରେଙ୍ଗାଲି ଥାନା ଆଇଆଇସି ଧବଲେଶ୍ୱର ସାହୁଙ୍କ ସହିତ ସଦଳବଳେ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ସାଇନ୍‍ଟିଫକ୍‍ ଟିମ୍‍ ଘଟଣାସ୍ଥଳକୁ ପହଞ୍ଚି ଗୁଳିକାଣ୍ଡ ଘଟିଥିବା ସ୍ଥାନରୁ ପରୀକ୍ଷଣ ପାଇଁ ରକ୍ତ ଭିଜା ମାଟି ନମୁନା ସଂଗ୍ରହ କରିଥିବା ଦେଖିବାକୁ ମିଳିଥିଲା। ତେବେ ଆପାତତଃ ଏହି ଗୁଳିକାଣ୍ଡ ଘଟଣା ୪ଲକ୍ଷ ଟଙ୍କାରେ ଦଫାରଫା ହୋଇଗଲା ବୋଲି ସଚେତନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି।

ଅପରପକ୍ଷରେ ମୃତ ଅନୁରାଗର ବାପା ଧିରମନ ଭୁୟାଁ ତାଙ୍କ ପୁଅକୁ ଗୁଳିକରି ହତ୍ୟା କରାଯାଇଛି ବୋଲି ଦେଇଥିବା ଏତଲା ଅଧାରରେ ଏକ ମାମଲା ଋଜୁ କରାଯାଇଥିବା ବେଳେ କମ୍ପାନୀ ପକ୍ଷରୁ ଦିଆଯାଇଥିବା ଏତଲାକୁ ଅଧାର କରି ଚୋରୀ, ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ମାଡପିଟ କରିଥିବା ସଂକ୍ରାନ୍ତରେ ମଧ୍ୟ ମାମଲା ରଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଧବଲେଶ୍ୱର ସାହୁ ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ଗତକାଲି ଠାରୁ ସୁରକ୍ଷାକର୍ମୀ ଅଟକ ରଖାଯାଇ ପଚରାଉଚୁରା ଜାରି ରହିଥିବା ବେଳେ ଚୋରୀ କରିବା ଉଦ୍ଦେଶ୍ୟରେ କାରଖାନାର ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରି ମାଡ ପିଟ କରି ବନ୍ଧୁକ ଛଡାଇନେବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ୪ଜଣଙ୍କୁ ଅଟକ ରଖାଯାଇ ପଚରା ଉଚୁରା ଜାରି ରହିଥିବା ପ୍ରକାଶ। ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ଏବଂ ଗୁଳି ଜବତ କରାଯାଇଛି।

Comments are closed.