ରଙ୍ଗ ବିହୀନ ରଙ୍ଗମଟିଆ, ଜଳ ଅଭାବକୁ ରାସ୍ତା ସପନ

ରେଙ୍ଗାଲିକ୍ୟାମ୍ପ: ସକାଳ ହେଲେ ପାଣି ପାଇଁ ଗୋଟିଏ କିଲୋମିଟର ଦୂରରେ ଥିବା ଖୋଲା ପୋଖରୀକୁ ନ ଗଲେ ନ ଚଳେ। ଏହା ସହ ପଥୁରିଆ ପାହାଡି ରାସ୍ତା। ତେବେ ଏଭଳି ପରିସ୍ଥିତିରେ ମହାମାରୀ କରୋନକ୍ଷ ସମୟରେ ‘ଘରେ ରୁହ ସୁରକ୍ଷିତ ରହ’ ବୋଲି ଦିଆଯାଉଥିବା ନାରା ଏଇ ଲୋକଙ୍କ ପାଇଁ କାଳ ହୋଇଛି। ଜୀବନ ଜୀବିକା ନିର୍ବାହ ପାଇଁ ଘରୁ ପଦକ୍ଷକୁ ଗୋଡ଼ ନ କାଢ଼ିଲେ ପାଣି ମୁନ୍ଦାଏ ବି ପିଇବା ପାଇଁ ମିଲେନି। ଦୀର୍ଘ ୫୦ବର୍ଷ ପରେ ଦୁଇ ଦିନ ହେବ ବିଦ୍ୟୁତ୍ ସଂଯୋଗ ହୋଇଛି। କରୋନକା ହେଉ ବା ଆଉ କିଛି ରୋଗ ବା ଜ୍ଵର ହେଲେ ଆମ୍ବୁଲାନ୍ସ ପହଞ୍ଚି ପାରେନି ଏଇ ଗାଆଁ କୁ।ଏମିତି ଦୁର୍ଦ୍ଦିନରେ କାଳ କାଟୁଛନ୍ତି ରଙ୍ଗମଟିଆ ଗାଆଁ ର ଲୋକମାନେ। ବରଗଡ଼ ଜିଲା ଅତାବିରା ବ୍ଲକ ଲହଣ୍ଡା ପଞ୍ଚାୟତର ଚକ୍ଷନ୍ଦିଲି ଡୁଙ୍ଗୁରି ପାହାଡ ତଳେ ଅବସ୍ଥିତ ଏଇ ରଙ୍ଗମଟିଆ ଗାଆଁ। ଅତାବିରାରୁ ମାତ୍ର ୧୭/୧୮ କିଲୋମିଟର। ସରକାରଙ୍କ ବିକାଶ ଯୋଜନା ଯେଉଁଠି ବାଟବଣା। ଦୀର୍ଘ ୫୦ବର୍ଷ ଧରି ୩୫ରୁ୪୦ ଟି ବିପିଏଲ ପରିବାର ଏଠି ରହିଆସିଛନ୍ତି। ହେଲେ ଆଜି ଯାଏଁ ଗାଁକୁ ରାସ୍ତା ଟିଏ ତିଆରି ହୋଇପାରିନି। ପାନୀୟ ଜଳ ପାଇବା ପାଇଁ ଯେମିତି ସମସ୍ତଙ୍କ ଲାଗି ଆହ୍ବାନ କରୁଛି। ଗୋଟିଏ ନଳକୂଅ ରହିଛି ଯାହା ବ୍ୟବହାର ଅଯୋଗ୍ୟ। ପାଖରେ ଗୋଟିଏ ଖୋଲା କୂଅ ରହିଛି ଗ୍ରୀଷ୍ମ ଦିନେ ସେଇ କୁଅର ପାଣି ବି ଶୁଖିଯାଏ। ପିଇବା ପାଣି ପାଇବା ପାଇଁ ଗୋଟିଏ ମାତ୍ର ଉତ୍ସ ଗୋଟିଏ କିଲୋମିଟର ଦୂରରେ ଥିବା ପୋଖରୀକୁ ଯିବାକୁ ପଡ଼େ। ଯେଉଁଠି ମଣିଷ ସହିତ ପଶୁ ପକ୍ଷୀ ବି ଗାଧୋଇ ଥାଆନ୍ତି। ଏହିଭଳି ମହାମାରୀ କରୋନା ସମୟରେ ସ୍ୱଚ୍ଛ ଓ ସୁସ୍ଥ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ସହର ମାନଙ୍କରେ ପ୍ରତି ଘରେ ସରକାର ପାଣି ପାଇପ ସଂଯୋଗ କରୁଛନ୍ତି। ହେଲେ ଏମାନଙ୍କ ଜୀବନ ବଞ୍ଚିବା ପାଇଁ ଜଳ ଆଜି ବଇରୀ ସାଜିଛି। ପାଣି ମଇଳା କି ସଫା ଦେଖିବାର ଆବଶ୍ୟକତା ନ ଥାଏ ଏଠି। ଜୀବନ ବଞ୍ଚିଲେ ହେଲା। ଆଉ ରାସ୍ତା କଥା ତ ସାତ ସପନ।

 

ପାହାଡିଆ ରାସ୍ତା। ବର୍ଷାଦିନେ କାଦୁଅ ହେବା ସହ ଖାଲ ମାନଙ୍କରେ ପାଣି ଜମି ପାଦରେ ଚାଲିଯିବା ବି କଷ୍ଟକର ହୋଇପଡେ। ଧାନ ଅମଳ ସମୟରେ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପାହାଡ଼ ତଳେ ଗାଆଁ ଟି ଥିବାରୁ ସନ୍ଧ୍ୟା ହେଲେ ଭାଲୁ ତଥା ବଡ ବଡ଼ ଅଜଗର ସାପ ବି ଓହ୍ଲାଇ ଆସିଥାନ୍ତି ରାସ୍ତାକୁ।ପ୍ରତି ସମୟରେ ଜୀବନ ପ୍ରତି ବିପଦ ରହିଛି। ମୃତ୍ୟୁ କୁ ହାତ ମୁଠାରେ ଧରି ଯେମିତି ଏମାନେ ପଦକ୍ଷକୁ ବାହାରନ୍ତି ନିଜର ଜୀବିକା ନିର୍ବାହ ପାଇଁ। କୌଣସି କାରଣରୁ କାହାର ଦେହ ଅସୁସ୍ଥ ହେଲେ ଆମ୍ବୁଲାନ୍ସ ବି ଯାଇ ପାରେନି ଏଠାକୁ। ଏମିତି ଦୁର୍ଦ୍ଦିନରେ ଜୀବନ ଅତିବାହିତ କରୁଥିବା ଆଦିବାସୀ ଅଧ୍ୟୁଷିତ ଏଇ ଗାଆଁ ରେ ଶିକ୍ଷା କଥା ନ କହିବା ଭଲ। କୁନି କୁନି ପିଲାମାନେ ଅଙ୍ଗନୱାଡି ଯିବାକୁ ହେଲେ ଗୋଟିଏ କିଲୋମିଟର ଯିବାକୁ ପଡ଼େ ଆଉ ବଡ ସ୍କୁଲ୍ ଯିବା ପାଇଁ ଚାରି କିଲୋମିଟର। ଏମିତି ବିପଦ ସଙ୍କୁଳ ରାସ୍ତାରେ ପିଲାଙ୍କୁ ବା ବାପା ମା ଛାଡ଼ିବେ କେଉଁ ଭରସାରେ। ତେଣୁ ପାଠପଢ଼ା ପୁରା ଠପ୍ ପଡ଼ିଛି। ଅନେକ ଥର ଖବର କାଗଜରେ ଏଠିକାର ସମସ୍ୟା ଗୁଡ଼ିକ ସରକାରଙ୍କ ଦୃଷ୍ଟିକୁ ଆଣିବା ପରେ ଗତ ଦୁଇଦିନ ହେବ ବିଜୁଳି ସଂଯୋଗ ହୋଇଛି। ନ ହେଲେ ସୂର୍ୟ୍ୟ ଅସ୍ତ ପରେ ଅମା ଅନ୍ଧକାର ଭିତରେ ନିସ୍ତବ୍ଧଧରେ ଏଇ ଗାଆଁଟି ସତେ ଯେମିତି କୁଆଡେ ହଜିଯାଉଥିଲକ୍ଷ । ଗ୍ରାମ୍ୟ ବିକାଶ ଯୋଜନା ନାଁ ରେ ଗ୍ରାମ ଗୁଡ଼ିକର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।ତେବେ ଏଇ ବିକାଶ କାହା ପାଇଁ? ଯେଉଁଠି ଗାଆଁ ଅଛି ହେଲେ ରାସ୍ତା ନାହିଁ ଆଉ ମଣିଷ ରହନ୍ତି କିନ୍ତୁ ଜଳ ନାହିଁ।ବଞ୍ଚିବାର ମୌଳିକ ସୁବିଧାରୁ ବି ଲୋକେ ବଞ୍ଚିତ।

ସେମାନେ କହନ୍ତି…
ସମାରି ଭୁଏ: ଆମେ ଆଜି ମରିବାକୁ ବସିଲୁଣି ହେଲେ କେବେ ହେଲେ ଜୀବନରେ ଭଲ ପିଇବା ପାଣି ଟିକେ ବି ପାଇପାରିନୁ। ସରକାର କେବେ ହେଲେ ଆମର ଦୁଃଖ ବୁଝିଲେ ନାହିଁ। କେତେ ଦୁଃଖରେ ଜୀବନ ବିତୁଛି। ସରକାର ଆମ ପାଇଁ ସିମେଣ୍ଟ ରାସ୍ତା ଟିଏ ବି କରି ଦେଉନାହିଁ।
ପଦ୍ମା ଭଇଁସା: କରୋନା ହେଉ କି ଯାହା ହେଉ ଘରେ ରହିଲେ ଆମେ ପାଣି ମୁନ୍ଦାଏ ବି ପାଇବୁ ନାହିଁ। ଆଉ ଖାଇବା କଥା ଦୁରେ ଥାଉ। ଜାଣିଶୁଣି ମଇଳା ପାଣି ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛି।

Comments are closed.