ଧରା ପଡିଲେ ନକଲି କୀଟନାଶକ ଓ ସାର ବିକ୍ରେତାକାରୀ

ରେଙ୍ଗାଲି  : ଗୋଟିଏ ପଟେ ମଣ୍ଡିରୁ ଧାନ ଉଠି ନପାରିବାରୁ ଚାଷୀ ସମସ୍ୟା ଘେରରେ ଥିବାବେଳେ ପୁଣି ଆଜି ନକଲି କୀଟନାଶକ ଓ ସାର ପ୍ରଲୋଭନ ଦେଖାଇ ଚାଷୀଙ୍କୁ ଶୋଷଣ କରିବାର ପ୍ରୟାସ କରାଯାଇଛି। ଯାହା ଚାଷୀଙ୍କ ପାଇଁ ଚଡ଼କ ହୋଇଛି। ଏମିତି ଅଭାବନୀୟ ଘଟଣା ଘଟିଛି ଅତାବିରା ବ୍ଲକ ଦୁଲମ୍‌ପୂର ପଞ୍ଚାୟତ ଭାଲୁଡୁଙ୍ଗୁରି ଗାଆଁରେ। ଗତକାଲି ରାଜସ୍ଥାନରୁ ଦୁଇଜଣ ଠକ ଆସି ଚାଷୀଙ୍କୁ ଠକିବାର ପ୍ରୟାସ କରିଥିଲେ ଓ କିଛି ପରିମାଣରେ ସଫଳ ବି ହୋଇଥିଲେ। ଏହି ଦୁଇଜଣ ଠକ ଚାଷୀମାନଙ୍କୁ ଠକୁଥିବା ଜାଣିବା ପରେ ସେମାନଙ୍କୁ ଅଟକ ରଖି ପୁଲିସ ଖବର ଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ନଜିମ୍ ଖାଁ ଓ ଅକ୍ରମ୍ ଖାଁ ନାମକ ଦୁଇଜଣ ଠକ୍ ଆସି ଏକ ନକଲି କମ୍ପାନୀର କିଛି କୀଟନାଶକ ଓ ସାର ବିକ୍ରୀ ପାଇଁ ଆସିଥିଲେ। ସେମାନେ ଭାଲୁଡୁଙ୍ଗୁରିର କିଛି ଚାଷୀମାନଙ୍କୁ କହୁଥିଲେ କି ସେମାନେ ଆଣିଥିବା ସାର ଓ କୀଟନାଶକ ପୁରାପୁରି ଜୈବିକ ଉତ୍ପାଦନ(ଅର୍ଗାନିକ୍ ପ୍ରଡକ୍ଟ) ଅଟେ। ୫୦କିଲୋଗ୍ରାମ ପ୍ୟାକେଟ୍ ପ୍ରତି ମାତ୍ର ୧୨୦୦ଟଙ୍କା ଯାହାକୁ ପ୍ରୟୋଗାତ୍ମକ ଭିତ୍ତିରେ କମ୍ପାନୀ ତାଙ୍କୁ ସବ୍‌ସିଡି ଦରରେ ଦେଉଛି। ଏହା ବ୍ୟତୀତ ଆସନ୍ତା ରବି ଫସଲରେ ଉତ୍ପାଦିତ ଧାନକୁ ସରକାରଙ୍କ ଠାରୁ ସେମାନେ ଅଧିକ ଦରରେ କିଣିବେ ବୋଲି ମଧ୍ୟ ଚାଷୀମାନଙ୍କୁ ପ୍ରଲୋଭନ ଦେଖାଇଥିଲେ। ଯାହା ଫଳରେ ସେମାନେ ପ୍ରଲୋଭିତ ହୋଇଥିଲେ ଏବଂ ଅନେକ ଚାଷୀ ୨୫/୩୦ହଜାର ଟଙ୍କା ଦେଇ କୀଟନାଶକ ଓ ସାର କିଣିଥିଲେ। ଚାଷୀମାନଙ୍କଠାରୁ ଟଙ୍କା ନେଇ ସେହି ଠକ ବିକ୍ରେତାମାନେ ଚାଲିଯାଇଥିଲେ। ଏହାପରେ ଚାଷୀମାନେ ଔଷଧ ପ୍ୟାକେଟ୍ ଖୋଲି ଦେଖିଲା ବେଳକୁ ସେଭିତରେ କେବଳ ରାଖଡ୍ ଭର୍ତ୍ତି ହୋଇଥିଲା। ଏହା ପରେ ଉକ୍ତ ଚାଷୀମାନେ ଭିଏଡବ୍ଲ୍ୟୁକୁ ଡକାଇ କିଣିଥିବା ଔଷଧ ପକେଟ୍ ଗୁଡିକୁ ଦେଖାଇ ଏହାର ପ୍ରଡକ୍ଟ ବିଷୟରେ ପଚାରିଥିଲେ। କିନ୍ତୁ କମ୍ପାନୀ କୌଣସି ରେଜିଷ୍ଟ୍ରି ଭୁକ୍ତ ହୋଇନଥିବା ଭି ଏ ଡବ୍ଲୁ ଜଣକ କହିଥିଲେ। ଏହା ଜାଣିବା ପରେ ଚାଷୀମାନେ ଠକ ଦୁଇଜଣଙ୍କୁ ଆଉ କିଛି ଚାଷୀ ଔଷଧ କିଣିବେ ବୋଲି କହି ପୁଣି ଡ଼କାଇଥିଲେ। ସେମାନେ ଆସିବା ପରେ ସେମାନଙ୍କୁ ଭଳୁଡୁଙ୍ଗୁରି ଗାଁରେ ବାନ୍ଧି ଅଟକାଇ ରଖିଥିଲେ ଏବଂ ସେମାନଙ୍କ ସବୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ବିପଦ ପରିସ୍ଥିତି ଦେଖି ସେମାନେ ସବୁ ସତ କଥା ମାନି ଯାଇଥିଲେ।
ଖବର ପାଇ ଗୋଡଭଗା ଫାଣ୍ଡି ଅଧିକାରୀ ବାଲୁଙ୍କେଶ୍ୱର ନାଏକ ଘଟଣାସ୍ଥଳରେ ପହଞ୍ଚି ଠକ ବିକ୍ରେତାମାନଙ୍କୁ ଫାଣ୍ଡିକୁ ଆଣିଥିଲେ। କିନ୍ତୁ ପୁଲିସର କହିବା ଅନୁସାରେ ସେଠାରେ ଜଣକର ଛାତିରେ ଯନ୍ତ୍ରଣା ହେବା ଯୋଗୁଁ ଉଭୟଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲ। ତେବେ କାହାର ପ୍ରରୋଚନାରେ ବାହାର ରାଜ୍ୟରୁ ଏଭଳି ଠକ ବିକ୍ରେତାମାନେ ଆସି ଏହି ଅଞ୍ଚଳର ଚାଷୀଙ୍କୁ ଶୋଷଣ କରିବାର ସାହସ କରୁଛନ୍ତି ତାହାର ସତ୍ୟାସତ୍ୟ ବାହାର କରିବା ପାଇଁ ପୋଲିସ ତଥା ପ୍ରଶାସନକୁ ଚାଷୀମାନେ ଦାବି କରିଛନ୍ତି।

Comments are closed.