ଗ୍ୟାସ ଭିତ୍ତିକ ଶିଳ୍ପ ଓ ପେଟ୍ରୋ ପ୍ରକଳ୍ପ ବିହାର ସମେତ ପୂର୍ବ ଭାରତର ବିକାଶକୁ ଗତିଶୀଳ କରାଇବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବିହାର ବିଧାନ ସଭା ନିର୍ବାଚନ ପୂର୍ବରୁ ବିହାରବାସୀଙ୍କୁ ନିର୍ବାଚନୀ ଭେଟି ସ୍ବରୂପ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପେଟ୍ରୋଲିୟମ୍‍ କ୍ଷେତ୍ରରେ ବିହାରରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ରବିବାର ଲୋକାର୍ପଣ କରିଛନ୍ତି। ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ସେ ଲୋକାର୍ପଣ କରିଥିବା ଏହି ପ୍ରକଳ୍ପଗୁଡ଼ିକ ହେଉଛି, ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ପାଇପ୍‍ଲାଇନ୍‍ ପ୍ରକଳ୍ପର ଦୁର୍ଗାପୁର-ବାଙ୍କା ସେକ୍‍ସନ୍‍ ଏବଂ ପୂର୍ବ ଚମ୍ପାରଣ ଓ ବାଙ୍କାରେ ଗୋଟିଏ ଲେଖାଏଁ ଏଲ୍‍ପିଜି ବଟଲିଂ ପ୍ଲାଣ୍ଟ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗ୍ୟାସ ଭିତ୍ତିକ ଶିଳ୍ପ ଏବଂ ପେଟ୍ରୋ  ପାଇପ୍‍ଲାଇନ୍‍ ପ୍ରକଳ୍ପ ବିହାର ଏବଂ ପୂର୍ବ ଭାରତର ବିକାଶକୁ ଗତି ଦେବ। ଶ୍ରୀ ମୋଦୀ କହିଛନ୍ତି ଯେ ୯୦୦କୋଟି ଟଙ୍କାର ପେଟ୍ରୋ ପ୍ରକଳ୍ପ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଗ୍ୟାସ ପାଇପ୍‍ଲାଇନ୍‍ ସଂଯୋଗ ପରେ ନୂତନ ଶିଳ୍ପ ପ୍ରତିଷ୍ଠା ହେବ | ସେ କହିଛନ୍ତି ଯେ ବାଙ୍କା ଏବଂ ପୂର୍ବ ଚମ୍ପାରାଣର ବଟଲିଂ ପ୍ଲାଣ୍ଟରେ ବର୍ଷକୁ ଏକ କୋଟି ୨୫ ଲକ୍ଷ ସିଲିଣ୍ଡର ଫିଲିଂ କରାଯାଇ ପାରିବ। ବିହାରରେ ଥିବା ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ପ୍ରକଳ୍ପର ଦଶଟି ପ୍ରକଳ୍ପ ମଧ୍ୟରୁ ବିହାର ପାଇଁ ପିଏମ୍ ପ୍ୟାକେଜ୍ ଅଧୀନରେ ସାତୋଟି ପ୍ରକଳ୍ପ ଶେଷ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରଧାନ ମନ୍ତ୍ର ଉର୍ଜା ଗଙ୍ଗା ଯୋଜନା ଅଧୀନରେ ତିନି ହଜାର କିଲୋମିଟର ଗ୍ୟାସ ପାଇପଲାଇନ୍ ମାଧ୍ୟମରେ ସାତୋଟି ରାଜ୍ୟ ସଂଯୋଗ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ଉଜ୍ୱଳା ଯୋଜନା ଅଧୀନରେ ଆଠ କୋଟି ଲୋକଙ୍କୁ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ  ଏହି ଗ୍ୟାସ ସଂଯୋଗ ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣି ପାରିଛି।

ଏହି ୨ଟି ବଟଲିଂ ପ୍ଲାଣ୍ଟ ସ୍ଥାପନ ଦ୍ୱାରା ବିହାରରେ ବୃଦ୍ଧି ପାଉଥିବା ଏଲ୍‍ପିଜି ଚାହିଦାକୁ ମେଣ୍ଟାଯାଇ ପାରିବ ସହ ଏକ ଆତ୍ମନିର୍ଭର ବିହାର ଗଠନ ଦିଗରେ ସହାୟକ ହୋଇପାରିବ। ଏହି ଦୁଇଟି ପ୍ଲାଣ୍ଟରୁ ଦୈନିକ ୮୦ହଜାର ସିଲିଣ୍ଡର ବଟଲିଂ କରାଯାଇ ପାରିବ। ବାଙ୍କାରେ ସ୍ଥାପିତ ହେବାକୁ ଥିବା ପ୍ଲାଣ୍ଟ ମାଧ୍ୟମରେ ବିହାରର ଭାଗଲପୁର, ବାଙ୍କା, ଜାମୁଇ, ଆରାରିଆ, କିଶନଗଞ୍ଜ ଓ କଟିହାର ଜିଲ୍ଲା ଏବଂ ପଡ଼ୋଶୀ ଝାଡ଼ଖଣ୍ଡର ଗୋଡା,ଦେଓଘର, ଦୁମକା, ସାହିବଗଞ୍ଜ ଏବଂ ପାକୁର ଜିଲ୍ଲାବାସୀ ଉପକୃତ
ହୋଇପାରିବେ। ସେହିଭଳି ପୂର୍ବ ଚମ୍ପାରଣରେ ପ୍ରତିଷ୍ଠା ହେବାକୁ ଥିବା ବଟଲିଂ ପ୍ଲାଣ୍ଟ ଦ୍ୱାରା ବିହାରର ପୂର୍ବ ଓ ପଶ୍ଚିମ ଚମ୍ପାରଣ, ମୁଜାଫରପୁର,ସିୱାନ୍‍, ଗୋପାଲଗଞ୍ଜ, ସୀତାମାଢ଼ି ଜିଲ୍ଲା ଏବଂ ଉତ୍ତରପ୍ରଦେଶର କୁଶିନଗର ଜିଲ୍ଲାର ୫ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହୋଇପାରିବେ।

ବାଙ୍କା ପ୍ଲାଣ୍ଟ ୧୩୧କୋଟି ୭୫ଲକ୍ଷ ଟଙ୍କା ଏବଂ ପୂର୍ବ ଚମ୍ପାରଣ ପ୍ଲାଣ୍ଟ ୧୩୬କୋଟି ୪୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରତିଷ୍ଠା
କରାଯାଇଛି। ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଅଧୀନରେ ଏହି ଦୁଇଟି ପ୍ଲାଣ୍ଟ ସ୍ଥାପିତ ହୋଇଛି। ଏହାଦ୍ୱାରା ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ୧ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ୧୯୩ କିଲୋମିଟର ଦୀର୍ଘ ଦୁର୍ଗାପୁର-ବାଙ୍କା ପାଇପ୍‍ଲାଇନ୍‍ ସେକସନ୍‍ ଲାଗି ପ୍ରଧାନମନ୍ତ୍ରୀ ଗତବର୍ଷ ଫେବୃୟାରୀ ୧୭ରେ ଶିଳାନ୍ୟାସ କରିଥିଲେ।

Comments are closed.