କଳିଙ୍ଗ ପ୍ରସ୍ତୁତ ; ପହଞ୍ଚିଲେ ସବୁଦଳ, ମ୍ୟାଚ୍‌କୁ ଅପେକ୍ଷା

ଭୁବନେଶ୍ବର : ୩ ବର୍ଷ ପରେ ଭୁବନେଶ୍ବରରେ ଆୟୋଜନ ହେବାକୁ ଯାଉଛି ଆଉ ଏକ ହକି ବିଶ୍ବକପ୍‌। ୨୦୧୮ ପୁରୁଷ ହକି ବିଶ୍ବକପ୍‌ ପରେ ଏବେ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଯାଉଛି। ଚଳିତ ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍‌ ହକି ଗ୍ରାଉଣ୍ଡରେ ଖେଳାଯିବ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର ୧୨ଶ ସଂସ୍କରଣ। ଏଥିପାଇଁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ହକି ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତି ଶେଷହୋଇଛି। ଏବେ କେବଳ ମ୍ୟାଚ୍‌କୁ ହକିପ୍ରେମୀଙ୍କ ଅପେକ୍ଷା।
୧୬ ଦଳକୁ ନେଇ ଆୟୋଜିତ ଏହି କ୍ରୀଡ଼ା ମହାକୁମ୍ଭ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତି ଶେଷହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରତିଯୋଗିତାକୁ ସଫଳ ପରିଚାଳନା ଓ କରୋନାମୁକ୍ତ କରିବା ନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛି। ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଥିବା ଇଜିପ୍‌ଟ ଶେଷ ଦଳ ଭାବେ ସୋମବାର ଭୁବନେଶ୍ୱରରେ ପାଦଦେଇଛି। ଏଥିସହିତ ସମସ୍ତ ଦଳ ଭୁବନେଶ୍ୱରରେ ପହଚିଂ ସାରିଥିବା ବେଳେ ଏବେ ପ୍ରତିଯୋଗିତାକୁ ଅପେକ୍ଷା। ଇଜିପ୍‌ଟ ପୁଲ୍‌ ‘ଡି’ରେ ଜର୍ମାନୀ, ପାକିସ୍ତାନ ଓ ଆର୍ଜେଣ୍ଟିନା ସହିତ ସ୍ଥାନପାଇଛି। ଇଜିପ୍‌ଟ ପ୍ରଥମ ମ୍ୟାଚ ୨୫ରେ ଆର୍ଜେଣ୍ଟିନା ସହିତ ଖେଳି ଅଭିଯାନ ଆରମ୍ଭ କରିବ। ଅନ୍ୟପକ୍ଷରେ ପ୍ରତିଯୋଗିତା ଲାଗି ବିିଭିନ୍ନ ଦଳ ପ୍ରସ୍ତୁତି ଓ ରଣନୀତି ଆରମ୍ଭ କରି ଦେଇଛନ୍ତି। ଭାରତ ସମେତ ଏକାଧିକ ଦଳ ଅଭ୍ୟାସ ମ୍ୟାଚ ଖେଳି ନିଜକୁ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି। ରବିବାର ଓ ସୋମବାର ଦୁଇଦିନ ବିଭିନ୍ନ ଦଳ ଅଭ୍ୟାସ ମ୍ୟାଚ ଖେଳିଥିଲେ। ବୁଧବାର ଖେଳାଯିବାକୁ ଥିବା ୫ଟି ଲିଗ୍‌ ମ୍ୟାଚ ଲାଗି ଭାରତ ସମେତ ଅନ୍ୟ ୯ଟି ଦଳ ପ୍ରସ୍ତୁତି ଓ ରଣନୀତି ଚୂଡାନ୍ତ କରିଥିବା ବେଳେ ଏବେ ପଡ଼ିଆରେ ପ୍ରଦର୍ଶନକୁ ଅପେକ୍ଷା ରହିଛି।

Comments are closed.