ଖୋର୍ଦ୍ଧା ଜିଲାରେ ଜାନୁଆରୀ ୩ରୁ ଖୋଲିବ ଧର୍ମାନୁଷ୍ଠାନ

ଭୁବନେଶ୍ବର: ଖୋର୍ଦ୍ଧା ଜିଲାରେ ମନ୍ଦିର ଓ ଧର୍ମାନୁଷ୍ଠାନ ସର୍ବସାଧାରଣ ଭକ୍ତମାନଙ୍କ ଦର୍ଶନ ପାଇଁ ଜାନୁଆରୀ ୩ରୁ କୋଭିଡ୍‌ ନିୟମ ପାଳନ ପୂର୍ବକ ଖୋଲାଯିବ ବୋଲି ଜିଲାପାଳ ସନତ କୁମାର ମହାନ୍ତି ନିର୍ଦେଶ ଜାରି କରିଛନ୍ତି। ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଓ ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଥିବା ସମସ୍ତ ଧର୍ମାନୁଷ୍ଠାନ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଜିଲାପାଳ ନିର୍ଦେଶନାମାରେ ଉଲ୍ଲେଖ କରିଛନ୍ତି।

 

ଖୋର୍ଦ୍ଧା ଜିଲାରେ କୋଭିଡ-୧୯ ନିୟମ ପାଳନ ପୂର୍ବକ ମନ୍ଦିର ଓ ଧର୍ମାନୁଷ୍ଠାନଗୁଡ଼ିକ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ଓ ଧର୍ମାନୁଷ୍ଠାନମାନଙ୍କରେ ପରିଚାଳନା କମିଟି ପକ୍ଷରୁ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ। ମନ୍ଦିର ଓ ଧର୍ମାନୁଷ୍ଠାନ ପ୍ରବେଶ ପୂର୍ବରୁ ଥର୍ମାଲ୍‌ ସ୍କାନିଂ କରାଯିବ। ସମସ୍ତ ଭକ୍ତ ମାସ୍କ ପିନ୍ଧି ମନ୍ଦିର ଓ ଧର୍ମାନୁଷ୍ଠାନକୁ ଯିବେ। ଦର୍ଶନ ସମରେ ୬ ଫୁଟର ସାମାଜିକ ଦୂରତ୍ବ ରଖାଯବ। ଏହାବ୍ୟୀତ ସମସ୍ତ ଭକ୍ତ ଦର୍ଶନାର୍ଥୀ ଧର୍ମାନୁଷ୍ଠାନ ଓ ମନ୍ଦିର ପରିଚାଳନା କମିଟି ଏବଂ ଗ୍ରାମର ମୁଖ୍ୟ କୋଭିଡ୍‌ ନିୟମ ପାଳନ ପାଇଁ ପଦକ୍ଷେପ ନେବେ। ତେବେ ନିରାପଦ ରହିବା ପାଇଁ ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ରୋଗଗ୍ରସ୍ତ ବ୍ୟକ୍ତି ଏବଂ ୧୦ବର୍ଷରୁ କମ୍‌ ବୟସର ପିଲାଙ୍କୁ ମନ୍ଦିର କିମ୍ବା ଧର୍ମନୁଷ୍ଠାନକୁ ଯିବା ପାଇଁ ବାରଣ କରାଯାଇଛି। ମନ୍ଦର ଓ ଧର୍ମାନୁଷ୍ଠାନରେ କୌଣସି ବ୍ୟକ୍ତି କୋଭିଡ୍‌ ନିୟମ ଉଲ୍ଲଙ୍ଘନ କଲେ ସେମାନଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଏବଂ ମହାମାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ସ୍ଥାନୀୟ ତହସିଲ୍‌ଦାର ଏବଂ ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ତରଫରୁ ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ ଗଠନ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ। ଅପରପକ୍ଷରେ ଭୁବନେଶ୍ବର ଶ୍ରୀଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଭକ୍ତମାନଙ୍କ ଦର୍ଶନ ପାଇଁ ଲିଙ୍ଗରାଜ ମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ସାଧାରଣ ନିୟମ ଓ କାର୍ଯ୍ୟକ୍ରମ ସ୍ଥିର କରାଯିବ ବୋଲି ଜିଲାପାଳ ସନତ କୁମାର ମହାନ୍ତି ନିର୍ଦେଶାନାମା ଜାରି କରିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.