‘ସମାଜ’ ପକ୍ଷରୁ ତିଗିରିଆ ବନ୍ୟାଞ୍ଚଳରେ ରିଲିଫ ବଣ୍ଟନ, ୬ଶହ ପରିବାରକୁ ଦିଆଗଲା ଶୁଖିଲା ଖାଦ୍ୟ ପୁଡ଼ିଆ

ତିଗିରିଆ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ଦୈନିକ ଖବର କାଗଜ ‘ସମାଜ’ ପକ୍ଷରୁ ବୁଧବାର ତିଗିରିଆ ବ୍ଲକର ବନ୍ୟାବିପନ୍ନ ବିଭିନ୍ନ ଗ୍ରାମବାସୀଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି। ଏହି ଶୁଖିଲା ଖାଦ୍ୟ ପୁଡ଼ିଆରେ ଚୁଡ଼ା, ଚିନି, ବିସ୍କୁଟ, ମହମବତୀ ଓ ଦିଆସିଲ ପ୍ରଦାନ କରାଯାଇଛି । ସମାଜ ରିଲିଫ କମିଟି ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ  ଉପସଭାପତି ଏବଂ ସମାଜର ପ୍ରକାଶକ ଓ ମୁଦ୍ରାକାର ପଣ୍ଡିତ ନିରଞ୍ଜନ ରଥଙ୍କ ପ୍ରତ୍ୟେକ୍ଷ ଉପସ୍ଥିତିରେ ଏହି ରିଲିଫ ବଣ୍ଟନ କରାଯାଇଥିଲା।
ତିଗିରିଆ ଅଞ୍ଚଳରେ ବୁଧବାର ବନ୍ୟାଜଳ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା କମିନି। ଏବେ ମଧ୍ୟ ଶହଶହ ଲୋକଙ୍କ ଘରେ ବନ୍ୟାଜଳର ଲହଡ଼ି ମାଡ଼ୁଛି। ଲୋକେ ଛାତ ଉପରେ ଜରିଟାଣି ରହୁଛନ୍ତି । ବ୍ଲକର ବନ୍ୟାରେ ଜଳବନ୍ଦୀ ଏବଂ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥିବା ବଡ଼ନାଉପୁଟ ପଞ୍ଚାୟତର ଖଣ୍ଡହତା ଓ ଶାଳିଜଙ୍ଗା ଏବଂ ଗଦାଧରପୁର ପଞ୍ଚାୟତର କୋଇଲକନ୍ୟା ଓ ରଘୁରାମପୁର ଗ୍ରାମରେ ବନ୍ୟାବିପନ୍ନ ୬୦୦ ପରିବାରକୁ ଶୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଥିଲା। ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମରେ ଜିମସାର କର୍ମଚାରୀ ନିଗମାନନ୍ଦ ସ୍ୱାଇଁ, ଦେବାନନ୍ଦ ମହାନ୍ତି, ସୁକାନ୍ତ କୁମାର ବାରିକ, ଭାସ୍କର ଚନ୍ଦ୍ର ସ୍ୱାଇଁ, ସାମ୍ବାଦିକ ଶ୍ୱେତକାନ୍ତ ବେହେରା ଓ ପ୍ରଭାତ କୁମାର ସ୍ୱାଇଁଙ୍କ ସହିତ ଗୋପବନ୍ଧୁ ନର୍ସିର୍ଂ କଲେଜର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଛାତ୍ରୀମାନେ ବନ୍ୟାଜଳକୁ ଖାତିର ନକରି ପାଣି ଭିତରେ ଚାଲିଚାଲି ଖାଦ୍ୟ ପୁଡ଼ିଆ ବୋହିନେଇ ବିପନ୍ନ ପରିବାରଗୁଡ଼ିକୁ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତିଗିରିଆ ପଞ୍ଚାୟତ ସମିତିର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ ଏବଂ ତାପସ ପ୍ରଧାନ ଉପସ୍ଥିତ ରହି ସହଯୋଗ କରିବା ସହିତ ଗୋପବନ୍ଧୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ସମାଜ ଅନୁଷ୍ଠାନ ବନ୍ୟା ବିପନ୍ନଙ୍କୁ ଏଭଳି ସହାୟତା ତଥା ସେବାକାର୍ଯ୍ୟ ଜାରି ରଖିଥିବାରୁ ଗଭୀର କୃତଜ୍ଞତା ପ୍ରକାଶ କରିବା ସହିତ ସାଧୁବାଦ ଜଣାଇଥିଲେ। ରିଲି‘ ବଣ୍ଟନ କରାଯାଇଥିବା ପ୍ରତ୍ୟେକ ଗ୍ରାମରେ ଗ୍ରାମ ସଭାପତି ତଥା ଅନ୍ୟ ମୁରବୀ ଶ୍ରେଣୀର ବ୍ୟକ୍ତିମାନେ ଉପସ୍ଥିତ ରହି ସମାଜ ଅନୁଷ୍ଠାନର ବଦାନ୍ୟତାକୁ ସାଧୁବାଦ ଜଣାଇଥିଲେ।
ହଟିନି ଜଳବନ୍ଦୀ, ଘରେ ବଢ଼ିପାଣି, ବଢ଼ୁଛି ଦୁର୍ଦଶା
ବୁଧବାର ତିଗିରିଆ ଅଞ୍ଚଳରେ ବନ୍ୟା ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ଏଥିରେ ମନ୍ଥର ଗତି ଲାଗି ରହିଛି। ଏବେବି ବ୍ଲକର ପୁରୁଣା ତିଗିରିଆ ପଞ୍ଚାୟତ ଅନ୍ତର୍ଗତ ଚଷାଆଁରା ସହିତ ବଡ଼ନାଉପୁଟ, ହାଟମାଳ ଏବଂ ଗଦାଧରପୁର ପଞ୍ଚାୟତର ଜନସାଧାରଣ ଜଳବନ୍ଦୀରେ ରହି ବାହ୍ୟ ଜଗତରୁ ବିଛିନ୍ନ ରହିଛନ୍ତି। ସର୍ବାଧିକ ଭାବେ ବଡ଼ନାଉପୁଟ ପଞ୍ଚାୟତର ଖଣ୍ଡହତା ଏବଂ ଗଦାଧରପୁର ପଞ୍ଚାୟତର କୋଇଲକନ୍ୟା, ରଘୁରାମପୁର ଏବଂ ଗଦାଧରପୁର ଗ୍ରାମ ଭିତରେ ବନ୍ୟାଜଳ ଭରି ରହିଛି। ଶହଶହ ଲୋକଙ୍କ ବାସଗୃହରେ ବନ୍ୟାଜଳ ପ୍ରବେଶ କରି ରହିଥିବାରୁ ଲୋକେ ଛାତ ଉପରେ ଜରିଟାଣି ରହିଥିବା ଦେଖିବାକୁ ମିଳିଛି।

ମଝିରେ ମଝିରେ ବର୍ଷା ହେଉଥିବାରୁ ବିପନ୍ନଙ୍କ ଦୁର୍ଦଶା ବଢ଼ିଚାଲିଛି। ବିପନ୍ନଙ୍କୁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ସହିତ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇ ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ତେବେ ବନ୍ୟା ପରିସ୍ଥିତି ଏବେବି ଜଟିଳ ରହିଥିବା ବେଳେ ଆସନ୍ତାକାଲି ଏହି ଅଞ୍ଚଳ ମହାନଦୀରେ ପୁନର୍ବାର ହିରାକୁଦର ନିଷ୍କାସିତ ହେଉଥିବା ଅଧିକ ସଂଖ୍ୟକ ‘ାଟକର ଜଳ ପ୍ରବାହିତ ହେବାକୁ ଥିବା ବେଳେ ଲୋକଙ୍କ ମନରେ ଆତଙ୍କର ବାତାରଣ ରହିଛି। ଗୁରୁବାର ସନ୍ଧ୍ୟା ପରଠାରୁ ହୁଳୁହୁଳା ପୋଲ ଉପର ଦେଇ ପୁଣି ମହାନଦୀର ବନ୍ୟାଜଳ ତିଗିରିଆ ଅଞ୍ଚଳର ଆଭ୍ୟନ୍ତରୀଣ ଅଞ୍ଚଳକୁ ପ୍ରବାହିତ ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ବନ୍ୟାଜଳ ଅଧିକ ବୃଦ୍ଧି ପାଇବା ଆଶଙ୍କା ରହିଛି। ତେବେ ବିଭିନ୍ନ ଗ୍ରାମରେ ପାନୀୟ ଜଳ ସମସ୍ୟା ରହିଥିବା ଦେଖିବାକୁ ମିଳିଛି। ବିଭିନ୍ନ ଭୂତଳକୂପ ପ୍ରକଳ୍ପ ଏବଂ ନଳକୂପ ବନ୍ୟାଜଳରେ ବୁଡ଼ି ରହିଥିବାରୁ ଲୋକେ ପାନୀୟ ଜଳପାଇଁ ଦହଗଞ୍ଜ ହେଉଛନ୍ତି। ପ୍ରଶାସନ ପକ୍ଷରୁ ବିପନ୍ନ ପରିବାରଗୁଡ଼ିକୁୁ ପାନୀୟ ଜଳ ଯୋଗାଇବା ବ୍ୟବସ୍ଥା ପାଇଁ ଦାବି ହେଉଛି।
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କର୍ମକର୍ତ୍ତାଙ୍କ ବନ୍ୟାଞ୍ଚଳ ସ୍ୱାସ୍ଥ୍ୟସେବା ତଦାରଖ
ବୁଧବାର କଟକ ଜିଲ୍ଲା ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ତିଗିରିଆ ବ୍ଲକ ବନ୍ୟାଞ୍ଚଳ ସ୍ୱାସ୍ଥ୍ୟସେବା ତଦାରଖ ଦାୟିତ୍ୱରେ ରହିଥିବା ଅଧିକାରୀ ଡାକ୍ତର ଲୋକନାଥ ପାତ୍ର ବନ୍ୟାଞ୍ଚଳ ପରିଦର୍ଶନରେ ଆସି ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବ୍ଲକର ବନ୍ୟାଞ୍ଚଳରେ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ତଦାରଖ କରିଛନ୍ତି। ଏଥିରେ ଜଳବନ୍ଦୀରେ ଥିବା ବନ୍ୟାବିପନ୍ନଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର,ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ପାଖରେ ଜରୁରୀ ଔଷଧ ମହଜୁଦ, ଭ୍ରାମ୍ୟମାଣ ଚିକିତ୍ସାଦଳ ପ୍ରତିଷେଧକ ପରିର୍ଦଶନ, ବନ୍ୟାଞ୍ଚଳ ଆସନ୍ନ ପ୍ରସବା, ବୟୋଜ୍ୟୋଷ୍ଠ ରୋଗାକ୍ରାନ୍ତ, ସାପକାମୁଡ଼ା ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଆଦି ସମ୍ପର୍କରେ ତଦାରଖ ତଥା ସମୀକ୍ଷା କରିବା ସହିତ ସମସ୍ତ ସ୍ୱାସ୍ଥ୍ୟକର୍ମୀମାନେ ସଜାଗ ହୋଇ ଲୋକଙ୍କୁ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ବିଶ୍ୱବିକାଶ ରାଉତରାୟଙ୍କ ସହିତ ଜନସ୍ୱାସ୍ଥ୍ୟ ଅଧିକାରୀ ବିଦ୍ୟୁତ୍ ପ୍ରଭା ନନ୍ଦ, ସ୍ୱାସ୍ଥ୍ୟ ପରିଦର୍ଶକ ତ୍ରିଲୋଚନ ବାରିକ, ପରିସଂଖ୍ୟାନ ସହାୟକ ମନମୋହନ ଦାଶ, ବ୍ଲକ ତଥ୍ୟ ପରିଚାଳକ ସଞ୍ଜୟ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ।

Comments are closed.