୧୪ ମାସରେ ୩୫ ହଜାର କୋଟି ଟଙ୍କାର ଋଣ ସୁଝିଲେ ଅନୀଲ ଅମ୍ବାନୀ

ନୂଆଦିଲ୍ଲୀ : ରିଲାଏନ୍ସ ଗ୍ରୁପ ୧୪ ମାସ ମଧ୍ୟରେ ୩୫ ହଜାର କୋଟି ଟଙ୍କାର ଋଣ ସୁଝିଛି ବୋଲି ମଙ୍ଗଳବାର ଗ୍ରୁପର ଅଧ୍ୟକ୍ଷ ଅନୀଲ ଅମ୍ବାନୀ ପ୍ରକାଶ କରିଛନ୍ତି। ନିବେଶକଙ୍କୁ ଭରସା ଦେଇ ଅନୀଲ ଅମ୍ବାନୀ କହିଛନ୍ତି ଯେ ଗୋଟିଏ ବର୍ଷ ମଧ୍ୟରେ ରିଲାଏନ୍ସ ଗ୍ରୁପ୍‍ ୨୪,୮୦୦ କୋଟି ଟଙ୍କାର ମୂଳଧନ ଏବଂ ୧୦,୬୦୦ କୋଟି ଟଙ୍କାର ସୁଧ ପରିଶୋଧ କରିଛି। ସମୟନୁକ୍ରମେ କମ୍ପାନୀ ତାର ଅନ୍ୟ ଋଣ ସୁଝିବ।
ରିଲାଏନ୍ସ ଗ୍ରୁପ ନାମରେ ମିଥ୍ୟା ଗୁଜବ ପ୍ରଚାର କରାଯାଉଥିବାରୁ ସେୟାର ବଜାରରେ ତାର ଅଂଶଧନ ମୂଲ୍ୟ ହ୍ରାସ ପାଇଥିଲା। ଏବେ କମ୍ପାନୀର ଅଂଶଧନ ମୂଲ୍ୟରେ ସୁଧାର ଆସିଛି। ରିଲାଏନ୍ସ ଗ୍ରୁପ କମ୍ପାନୀଗୁଡ଼ିକ ମଧ୍ୟରୁ ରିଲାଏନ୍ସ କ୍ୟାପିଟାଲ, ରିଲାଏନ୍ସ ପାୱାର ଏବଂ ରିଲାଏନ୍ସ ଇନ୍‍ଫ୍ରାର ଋଣ ପରିଶୋଧ କରାଯାଇଛି। ବିଭିନ୍ନ ଅଦାଲତରେ ବିଭିନ୍ନ ମାମଲା ଦୀର୍ଘଦିନ ହେବ ବିଚାରଧୀନ ହୋଇ ପଡ଼ିରହିବାରୁ ଗ୍ରୁପକୁ ୩୦ ହଜାର କୋଟି ଟଙ୍କା ମିଳିବାରେ ୬ରୁ ୧୦ ବର୍ଷ ଡେରି ହୋଇସାରିଛି ବୋଲି ଅନୀଲ ସୂଚନା ଦେଇଛନ୍ତି।
ଏପଟେ ରିଲାଏନ୍ସ ଗ୍ରୁପକୁ ଆର୍ଥିକ କମ୍ପାନୀ କିମ୍ବା କୌଣସି ବ୍ୟାଙ୍କରୁ ସହାୟତା ମିଳିନାହିଁ। ୩୫ ହଜାର କୋଟି ଟଙ୍କା ଜମା କରିବା ପରେ ବି ବୀମା କମ୍ପାନୀ, ମ୍ୟୁଚାଲ ଫଣ୍ଡ କମ୍ପାନୀ, ଘରୋଇ ଆର୍ଥିକ ନେଣଦେଣ କମ୍ପାନୀ, ଅଣ ବ୍ୟାକିଂ କମ୍ପାନୀ ଅର୍ଥ ଦେବାକୁ ମନା କରିଦେଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.