କେନାଲକୁ ବାଇକ୍ ଖସି ଜଣେ ମୃତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ବାବେବିରା ଗ୍ରାମର ମହୁଲ ଡୁଙ୍ଗୁରି ଠାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଉକ୍ତ ଗ୍ରାମର ବିବେକାନନ୍ଦ ସ୍ୱାଇଁଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।
ସୂଚନାନୁଯାୟୀ, ସୋମବାର ନିଜର ଏକ ମାତ୍ର ତିନି ବର୍ଷର ଝିଅକୁ ଲାଦେରପାଲି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପ୍ରଥମ କରି ନର୍ସରୀରେ ନାମ ଲେଖାଇ ଝିଅକୁ ବିଦ୍ୟାଳୟରେ ଛାଡ଼ିବାକୁ ଯାଇଥିଲେ। ମାତ୍ର ଆଉ ଫେରିନଥିଲେ। ଗତକାଲି ସକାଳ ସମୟରେ ତାଙ୍କର ରକ୍ତାକ୍ତ ମୃତଦେହକୁ ଉଦ୍ଧାର କରାଯାଇଛି। ସୂଚନା ଯୋଗ୍ୟ, ବିବେକାନନ୍ଦ ଏକ ଟେଣ୍ଟ ହାଉସରେ କାମ କରନ୍ତି। ଝିଅକୁ ସ୍କୁଲରେ ଛାଡି ଦେଇ ସେ ଟେଣ୍ଟ ହାଉସର କିଛି କାମ ପାଇଁ ଦେକୁଲବା ଯାଇଥିଲେ। କିନ୍ତୁ ରାତିରେ ଘରକୁ ଫେରି ନଥିଲେ। ଏମିତି ସେ ଅନେକ ଥର କାମ ପାଇଁ ବାହାରକୁ ଯାଇ ଦିନେ ଦୁଇଦିନ ବାହାରେ ରହୁଥିଲେ । ତେଣୁ ରାତିରେ ନ ଫେରିବାରୁ ପରିବାର ଲୋକେ ମଧ୍ୟ ବ୍ୟସ୍ତ ହେ।ଇ ନଥିଲେ।
ମାତ୍ର ବିବେକାନନ୍ଦ ଫେରିବା ସମୟରେ ପତ୍ରାପକ୍ଷଲିରୁ ରେମୁଣ୍ଡା ଆଡ଼କୁ ଯାଇଥିବା ଶାଖା କେନାଲ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ଶାଖା କେନାଲ ଭିତରେ ବାଇକ୍ ସହ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି। ସକାଳେ ଆଖପାଖ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ସହ ବାଇକକୁ କେନାଲ ଭିତରୁ ଉଦ୍ଧାର କରି ତଦନ୍ତ ଆରମ୍ଭ କଲାପରେ ପରିଚୟ ପାଇ ପରିବାର ବର୍ଗଙ୍କୁ ଖବର ଦେଇଥିଲେ। ପରିବାର ବର୍ଗ ପହଞ୍ଚିବା ପରେ ପୁଲିସ ଶବକୁ ହସ୍ତାନ୍ତର କରିଥିଲେ ।

Comments are closed.