ଜୋରରେ ବୁଡି ୨ ଭାଇଙ୍କ ଅକାଳ ମୃତ୍ୟୁ

ରେଢ଼ାଖୋଲ: ମୃତ୍ୟୁ କେତେବେଳେ ଆଉ କେଉଁ ବାଟରେ ଆସିଥାଏ କାହାରିକୁ ଜଣାନଥାଏ। ମା’ ସହିତ ଗାଧୋଇବାକୁ ଯାଇ ପାଣିରେ ବୁଡି ଦୁଇ ଭାଇଙ୍କ ଅକାଳ ମୃତ୍ୟୁ ହୋଇଛି। ଏଭଳି ଏକ ଦୁଃଖଦ ଅଘଟଣ ଘଟିଛି ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଚୁଡାପୁଡୁଗ ଗ୍ରାମରେ। ମୃତକ ଦ୍ୱୟ ହେଲେ ଅଜିତ ଖଡିଆ(୭) ଓ ଅମିତ ଖଡିଆ(୫)ବର୍ଷର ବୋଲି ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ ମଙ୍ଗଳବାର ମଧ୍ୟାହ୍ନରେ ଚୁଡାପୁଡୁଗ ଗ୍ରାମର ଦୁଃଖ ଖଡିଆଙ୍କ ଦୁଇପୁଅ ଅଜିତ ଓ ଅମିତ ନିକଟସ୍ଥ ସୁରୁବାଲି ଜୋରକୁ ମା ସୁନୀତାଙ୍କ ସହିତ ଗାଧୋଇବାକୁ ଯାଇଥିଲେ।କିନ୍ତୁ ମାଙ୍କ ସହିତ ଶିଶୁ ଦ୍ୱୟ ଗାଧୋଉଥିବା ବେଳେ କୌଣସି କାରଣରୁ ପାଣିରେ ବୁଡିଯାଉଥିବା ଦେଖି ମା ସୁନୀତା ଚିତ୍କାର କରିଥିଲେ। ପାଖରେ ଥିବା ଗାଧୋଉଥିବା ଲୋକମାନେ ଆସି ଶିଶୁଦ୍ୱୟଙ୍କୁ ମୁମୁର୍ଶୁ ଅବସ୍ଥାରେ ଉଦ୍ଧାରକରି ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନକୁ ଆଣି ଭର୍ତ୍ତି କରିଥିଲେ। ହେଲେ ଉଭୟ ଶିଶୁଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ।

ଏନେଇ ଖବର ପାଇ ଚାରମାଳ ପୁଲିସ ରେଢ଼ାଖୋଲ ଡାକ୍ତରଖାନକୁ ପହଞ୍ଚି ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ କରି ଶବବ୍ୟବଚ୍ଛେଦ କରାଇ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଥିବା ନେଇ ଥାନା ଅଧିକାରୀ ବସନ୍ତ କୁମାର ଦଳାଇ ସୁଚନା ଦେଇଛନ୍ତି। ସେପଟେ ମୃତ ଶିଶଦ୍ୱୟର ପିତା ଚେନ୍ନାଇର ଏକ ପ୍ଲାଷ୍ଟିକ କାରଖାନାରେ ଦାଦନ ଭାବେ କାର୍ଯ୍ୟ କରୁଥିବା ବେଳେ ଏକ ସାଙ୍ଗରେ ଦୁଇ ପୁଅକୁ ହରାଇ ମା ସୁନୀତା ଭାଙ୍ଗିପଡିଛନ୍ତି। ସେହିପରି ପଞ୍ଚାୟତ କର୍ତ୍ତୃପକ୍ଷ ତରଫରୁ ଅନ୍ତିମ ସଂସ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ତୁରନ୍ତ ଯୋଗାଇ ଦିଆଯାଇଥିବା ବେଳେ କାଗଜପତ୍ର ହେଲା ପରେ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ସହାୟତା ରାଶି ପ୍ରଦାନ କରାଯିବ ବୋଲି ଭାରାପ୍ରାପ୍ତ ଉପଜିଲ୍ଲାପାଳ ପରିକ୍ଷୀତ ସାହୁ କହିଛନ୍ତି।

Comments are closed.