କରୋନା ମୁକାବିଲାରେ ଓଡିଶା ରେଡକ୍ରସ କାର୍ଯ୍ୟ ପ୍ରଶଂସନୀୟ 

ଭୁବନେଶ୍ବର: ସମ୍ପ୍ରତି କୋଭିଡି-୧୯ ପରି ଏକ ବିଶ୍ୱମହାମାରୀର ପ୍ରକୋପରେ ଯେତେବେଳେ ସାରା ପୃଥିବୀ ଆତଙ୍କିତ ହୋଇ ସମସ୍ତେ ତାଲାବନ୍ଦର କଟକଣା ଭିତରେ ସମୟ ବିତାଉଛନ୍ତି, ସେତିକିବେଳେ ଭାରତୀୟ ରେଡକ୍ରସର ଓଡିଶା ରାଜ୍ୟ ଶାଖା ତରଫରୁ ବିଭିନ୍ନ ମାନବିକ ସେବା କାର୍ଯ୍ୟ ଘଣ୍ଟା ଘଣ୍ଟା ଧରି ଯୋଗାଇ ଦିଆଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମ ଓ ନିର୍ଦେଶାନାମା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିୟମାନୁସାରେ ରେଡ୍‌କ୍ରସ ସ୍ବେଚ୍ଛାସେବୀ ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା, ସ୍ୱଚ୍ଛତା, ହାତ ସଫେଇ ଓ ମାସ୍କ ପରିଧାନ ଆଦି କାର୍ଯ୍ୟ କିପରି ସୁଚାରୁ ରୁପେ କରାଯିବ ସେ ସମ୍ବନ୍ଧରେ ସଚେତନ କରୁଛନ୍ତି।  ଏହି ସ୍ବେଚ୍ଛାସେବୀମାନେ ଅପରପକ୍ଷରେ ଯେଉଁମାନେ ଅଭାବ ଅନଟନ ଭିତରେ ଦିଇ ଓଳି ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି, ସେମାନଙ୍କ ପାଖରେ ରନ୍ଧା ଖାଦ୍ୟ ନେଇ ବିତରଣ କରୁଛନ୍ତି।  ବୃଦ୍ଧା, ବୃଦ୍ଧ, କୁନି କୁନି ପିଲା ତଥା ସମାଜର ଦୁର୍ବଳ ଶ୍ରେଣୀର ମଣିଷମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମାନସିକ ଆଶ୍ୱସନା ଦେଉଛନ୍ତି। ସେହିପରି ଗର୍ଭବତୀ ମହିଳା,  ଥାଲସେମିଆ ରୋଗୀ ଓ ଅନ୍ୟାନ୍ୟ ସଙ୍କଟାପନ୍ନ ରୋଗରେ ପୀଡିତ ଥିବା ରୋଗୀମାନଙ୍କୁ ତୁରନ୍ତ ରକ୍ତ ଯୋଗାଇ ଦେଉଛନ୍ତି। ତାଲାବନ୍ଦର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ମାତ୍ରାଧିକ କଟକଣା ସତ୍ତ୍ବେ ସାମାଜିକ ଦୂରତା ଓ ଶୃଙ୍ଖଳା ରକ୍ଷା ଅନୁପାଳନ ସହ କେତେକ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି ଓ ରକ୍ତ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି। ଚାଷୀ ଓ ଖାଉଟିଙ୍କ ମଧ୍ୟରେ ସମ୍ପର୍କ ଯୋଗାଯୋଗର ସେତୁ ସୃଷ୍ଟି କରିବାରେ ମଧ୍ୟ ରେଡକ୍ରସର ପ୍ରୟାସ ପ୍ରଶଂସନୀୟ। ଏଥିରେ ସ୍ୱେଚ୍ଛାସେବୀ,  ପରାମର୍ଶଦାତା, ଆଜୀବନ ସଦସ୍ୟ, କନିଷ୍ଠ ରେଡକ୍ରସର ଓ ରାଜ୍ୟ ଶାଖାର ବିଭିନ୍ନ କର୍ମକର୍ତ୍ତା ଗଣ ସାମିଲ ହୋଇ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସ୍ୱାବ ପରୀକ୍ଷାରେ ସହେଯାଗ ପାଇଁ ସଚେତନ ସୃଷ୍ଟି କରୁଛନ୍ତି। ଏହା ସହିତ ବିଭିନ୍ନ କ୍ୱାରେଣ୍ଟାଇନ କେନ୍ଦ୍ରକୁ ଯାଇ ସେଠାରେ ଥିବା ଅନ୍ତେବାସୀଙ୍କୁ ପ୍ରଶାସନ ସହ ମିଶି ସେବା ଯୋଗାଇ ଦେଉଛନ୍ତି। ଯୁବ ଓ କନିଷ୍ଠ ଛାତ୍ର ସ୍ୱେଚ୍ଛାସେବୀ ଚିତ୍ରାଙ୍କନ ମାଧ୍ୟମରେ କରୋନା ସଚେତନତାର ବାର୍ତ୍ତା ଦେବାର କାର୍ଯ୍ୟ ସବୁରି ମହଲରେ ବେଶ ପ୍ରଶଂସିତ ହେଉଛି।

Comments are closed.