ପ୍ରବଳ ବର୍ଷା ସମ୍ଭାବନା – ୫ ଜିଲାକୁ ରେଡ୍‌ ୱାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଆନ୍ଧ୍ର ‌ପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଏବେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ, ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଗତ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି। ଲଘୁଚାପର ପ୍ରଭାବ ଆହୁରି ୪୮ଘଣ୍ଟା ରହିବ। ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖ ପର୍ୟ୍ୟନ୍ତ ବର୍ଷା ଲାଗିରହିବାର ସମ୍ଭାବନା ରହିଛି। ଏଥିପାଇଁ ୫ଟି ଜିଲାକୁ ରେଡ଼ ୱାର୍ଣ୍ଣିଂ ସହିତ ଅନ୍ୟାନ୍ୟ ଜିଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସ୍ବତନ୍ତ୍ର ବୁଲେଟିନରେ କୁହାଯାଇଛି ଯେ ଆସନ୍ତାକାଲି ପୂର୍ବାହ୍ନ ୯ଟା ସୁଦ୍ଧା ଢ଼େଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ପୁରୀ -ଏହି ୫ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ଏହି ୫ଟି ଜିଲାକୁ ରେର୍ଡ଼ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଖୋର୍ଦ୍ଧାରୋଡ଼ରେ କିଛି କ୍ଷୟକ୍ଷତି ଘଟିବାର ଆଶଙ୍କା ଥିବାରୁ ସଡ଼କ ଯୋଗାଯୋଗ ବି ବ୍ୟାହତ ହେବାର ସମ୍ଭାବନା ରହିଛି।

ଏହାବାଦ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ନୟାଗଡ଼, ଦେବଗଡ଼ ଓ ଅନୁଗୋଳ ଆଦି ୧୦ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟ ୫ଟି ଜିଲା ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, କନ୍ଧମାଳ ଓ ଗଜପତିରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏଠାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସେହିପରି ୨୫ ସକାଳୁ ୨୬ ସକାଳ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସହିତ ଅନ୍ୟ କେତେକ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏଠାରେ ମଧ୍ୟ ୟେଲୋ ୱାର୍ଣ୍ଣିଂ କରାଯାଇଛି। ଯେଉଁସବୁ ଜିଲାକୁ ରେଡ଼, ଅରେଞ୍ଜ ଓ ୟେଲୋ ସତର୍କ ସୂଚନା ଜାରି କରାଯାଇଛି ସେଠାରେ ଜିଲା ପ୍ରଶାସନକୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରଖିବା ନିମନ୍ତେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ପାଣିଘେରରେ ଥିବା ଲୋକଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରିବା ସହିତ ସେଠାରେ ପର୍ୟ୍ୟାପ୍ତ ଖାଦ୍ୟ, ପାନୀୟ ଜଳ, ଆଲୋକ, ସ୍ବାସ୍ଥ୍ୟ ଓ ପରିମଳ ସୁବିଧା ଯୋଗାଇଦେବାକୁ କୁହାଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ସବୁ ଜିଲାର ଜରୁରୀକାଳୀନ କେନ୍ଦ୍ର ୨୪ଘଣ୍ଟା ଖୋଲା ରଖିବାକୁ ନିର୍ଦେଶ ଦିଆଯାଇଛି।

ଗଣମାଧ୍ୟମକୁ ଏସଆରସି କହିଛନ୍ତି ଯେ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ତେବେ କୌଣସି ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ଛତିଶଗଡ଼ରେ ବର୍ଷା ହେଉଥିବାରୁ ଏବେ ହୀରାକୁଦ ଜଳଭଣ୍ଡାରର ୮ଟି ଗେଟ ଖୋଲାଯାଇଛି।

Comments are closed.