ଚୀନ ଫେରନ୍ତା ଜାପାନ ଓ ଦକ୍ଷିଣ କୋରିଆ କମ୍ପାନୀ ଲାଗି ଭାରତରେ ’ରେଡ଼୍ କାର୍ପେଟ’

ଲକ୍ଷ୍ନୌ: କରୋନା ଯୋଗୁଁ ବିଶ୍ବରେ ଚୀନ୍ ନିନ୍ଦିତ ହୋଇଛି । ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଚୀନକୁ ଅସୁରକ୍ଷିତ ବୋଲି ଘୋଷଣା କରି ନିଜ ନିଜ କମ୍ପାନୀ ଚୀନରେ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପୂର୍ବରୁ ତ ବାଣିଜ୍ୟ ଯୁଦ୍ଧ ଯୋଗୁଁ ଆମେରିକୀୟ ଓ ଲାଟିନ ଆମେରିକୀୟ କମ୍ପାନୀଗୁଡ଼ିକ ଚୀନକୁ ଧରାଛୁଆଁ ଦେଉ ନଥିଲେ, ଏବେ କରୋନା ସଙ୍କଟ ପରେ ଦୁଇ ଏସୀୟ ରାଷ୍ଟ୍ର ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟ ଚୀନରେ ନିଜର ନିବେଶ ହ୍ରାସ କରିବାକୁ ଯୋଜନା କରିଥିବା ସୂଚନା ମିଳିଲାଣି । ଏପରିକି ଜାପାନ ଓ ଦକ୍ଷିଣ କୋରିଆର କିଛି କମ୍ପାନୀ ଚୀନରେ ସେମାନଙ୍କର ନିବେଶ ପ୍ରତ୍ୟାହାର କରିଥିବା ଟୋକିଓ ଟାଇମ୍ସ ପ୍ରକାଶ କରିଛି । ଆଉ ଏହି କମ୍ପାନୀଗୁଡ଼ିକୁ ଆକର୍ଷଣ କରିବା ପାଇଁ ଭାରତ ଆରମ୍ଭ କରିଛି ଯୋଜନା । ପ୍ରଥମ ରାଜ୍ୟ ଭାବରେ ଉତ୍ତରପ୍ରଦେଶ ସରକାର ଏଥିଲାଗି ଚେଷ୍ଟା ଓ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି କମ୍ପାନୀ ଗୁଡ଼ିକୁ ସ୍ୱାଗତ କରିବା ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସୁକ୍ଷ୍ମ, ଅଣୁ ଓ ମଧ୍ୟମ ତଥା ଏମଏମଏମଇ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ ଓ ରାଜ୍ୟ ଶିଳ୍ପ ମନ୍ତ୍ରୀ ସତୀଶ ମହାନ୍ନାଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଛି । ବିଦେଶୀ ଶିଳ୍ପସଂସ୍ଥାଗୁଡ଼ିକୁ ଉତ୍ତରପ୍ରଦେଶରେ ନିବେଶ ସୁଯୋଗ ଦେବା ଏବଂ ଏଥିଲାଗି ଏକ ବିସ୍ତୃତ କାର୍ଯ୍ୟଯୋଜନା ପ୍ରସ୍ତୁତି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

ଉତ୍ତରପ୍ରଦେଶରେ ପୁଞ୍ଜିନିବେଶ ନିମନ୍ତେ ଯୋଗୀ ସରକାରଙ୍କ ନିମନ୍ତେ କୌଣସି ବିଶେଷ ବାଧକ ନାହିଁ । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦି ସରକାର ବିଦେଶୀ ପୁଞ୍ଜିନିବେଶ ନିମନ୍ତେ ଦ୍ବାର ଖୋଲି ଦେଇଛନ୍ତି । ଏହାଛଡ଼ା ଉତ୍ତରପ୍ରଦେଶ ଏକ ବିଜେପି ଶାସିତ ରାଜ୍ୟ ହୋଇଥିବାରୁ ଏଫଡ଼ିଆଇ କ୍ଷେତ୍ରରେ ସେପରି ସମସ୍ୟା ହେବାର ଆଶଙ୍କା ନାହିଁ । ଏହା ସତ୍ତ୍ବେ ରାଜ୍ୟରେ ବାଣିଜ୍ୟିକ ନୀତିକୁ ଅଧିକ ସରଳୀକରଣ କରିବା ସହ ଶିଳ୍ପସଂସ୍ଥା ପାଇଁ ସହଜ ବାଟ ନିର୍ଧାରଣ ପାଇଁ ବାଟ ଖୋଜା ଚାଲିଛି । ଅନ୍ୟପକ୍ଷରେ ନିବେଶ କରିବାକୁ ଇଚ୍ଛାପ୍ରକାଶ କରୁଥିବା କମ୍ପାନୀଗୁଡ଼ିକ ନିମନ୍ତେ ବିିଭିନ୍ନ ଟିକସ ରିହାତି ପରି ଲୋଭନୀୟ ଯୋଜନା କରାଯାଇଥିବା ଜଣାପଡ଼ିଛି । ଏ ନେଇ ବିସ୍ତୃତ ଖସଡ଼ା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ଯୋଗୀ ସରକାରର  ମନ୍ତ୍ରୀ ସିଦ୍ଧାର୍ଥ ନାଥ ଏପରି ଖବରକୁ ଅସ୍ବୀକାର କରି ନାହାନ୍ତି । ସେ କହିଛନ୍ତି କିଛି  ଖାଦ୍ୟ ପ୍ରକ୍ରିୟାକରଣ, ଅଟୋମୋବାଇଲ ଓ ପୋଷାକ ନିର୍ମାଣ କମ୍ପାନୀ ଉତ୍ତରପ୍ରଦେଶରେ ପୁଞ୍ଜିନିବେଶ ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଟିକସ ଛାଡ଼ ପାଇଁ ଯାହା ସମ୍ଭବ ପ୍ରୟାସ କରାଯାଇପାରେ ତାହା କରାଯିବ ବୋଲି କହିଛନ୍ତି ସତୀଶ ମାହାନ୍ନା ।

Comments are closed.