୯ ନୂତନ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

ବିନିଯୋଗ ହେବ ୨୫୭୦କୋଟି, ୨୭୫୫ ପାଇବେ କର୍ମନିଯୁକ୍ତି

ଭୁବନେଶ୍ବର : ରାଜ୍ୟରେ ୨୫୭୦କୋଟି ୫୪ଲକ୍ଷ ଟଙ୍କା ବିନିଯୋଗରେ ୯ଟି ନୂତନ ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ହେବ। ଏହି ସମସ୍ତ ଶିଳ୍ପ ପ୍ରକଳ୍ପରେ ୨୭୫୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ବୁଧବାର ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି ବୈଠକରେ ଏ ସଂକ୍ରାନ୍ତ ୯ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଧାତବ ଓ ଆନୁଷଙ୍ଗିକ କ୍ଷେତ୍ର, ଉତ୍ପାଦନ, ପ୍ଲାଷ୍ଟିକ, ରାସାୟନିକ ଦ୍ରବ୍ୟ ସମ୍ବନ୍ଧୀୟ, ଖାଦ୍ୟ ପ୍ରକ୍ରିୟାକରଣ ପ୍ରଭୃତି କ୍ଷେତ୍ରରେ ଏହି ସବୁ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏଥିରେ କେନ୍ଦୁଝରର ଯୋଡାରେ ୮୮୨ କୋଟି ଟଙ୍କା ପୁଞ୍ଜିବିନିଯୋଗରେ ବାର୍ଷିକ ୧୫ ମେଟ୍ରିକ ଟନର ପ୍ରକଳ୍ପ, ୩ ମେଟ୍ରିକ ଟନର ଲୌହଧାତୁ ଗ୍ରାଇଡିଂ ୟୁନିଟ ଓ ପାଇପଲାଇନ, ୪୫ କୋଟି ବିନିଯୋଗରେ ଖୋର୍ଦ୍ଧାରେ ଦାଢ଼ିକଟା ବ୍ଲେଡ ଉତ୍ପାଦନ କାରଖାନା, ଗଜପତିରେ ମଦ ପ୍ରସ୍ତୁତି କାରଖାନା, ରାୟଗଡ଼ାରେ କ୍ଷତିକାରକ ବର୍ଜ୍ୟବସ୍ତୁ ଉପଚାର କାରଖାନା ପ୍ରଭୃତି ରହିଛି।

Comments are closed.