ବାସ୍ତବ ଜୀବନର ତାରଜନ; ଜଙ୍ଗଲରେ ବିତାଇଛନ୍ତି ୪୧ ବର୍ଷ

ହାନୋଇ: ମଣିଷ ଜଙ୍ଗଲରେ ବାସକରି ଜଙ୍ଗଲି ପଶୁ ପକ୍ଷୀଙ୍କ ସହିତ ବନ୍ଧୁତା କରିବା, ସେମାନଙ୍କ ଭଳି ଗଛ ଡାଳରେ ଡେଇଁ ଡେଇଁ ବୁଲିବା ଏବଂ ମଣିଷ ଦେଖି ଡରିବା ଭଳି ‘ତାରଜନ’ କାହାଣୀ ଆମେ ପଢିଛୁ । ଏହାକୁ ନେଇ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି । ଏବେ ଏଭଳି ଜଣେ ବ୍ୟକ୍ତିଙ୍କ କଥା ଏଠାରେ କୁହାଯାଉଛି, ଯାହାଙ୍କୁ ବାସ୍ତବ ଜୀବନର ତାରଜନ ବୋଲି ଲୋକେ କହୁଛନ୍ତି । ଦୀର୍ଘ ୪୧ ବର୍ଷ ସେ ଜଙ୍ଗଲ ମଧ୍ୟରେ ବିତାଇଛନ୍ତି । ଜଙ୍ଗଲି ପଶୁ ପକ୍ଷୀଙ୍କ ଗହଣରେ କାଳାତିପାତ କରିଛନ୍ତି । ଜଙ୍ଗଲରୁ ନିଜ ପାଇଁ ଖାଦ୍ୟ ସଂଗ୍ରହ କରିଛନ୍ତି । ବାହାର ଦୁନିଆ କଥା ସଂପର୍କରେ ସେ ସଂପୂର୍ଣ୍ଣ ଅଜ୍ଞ । ଏପରିକି ପୃଥିବୀରେ ମହିଳାମାନେ ଅଛନ୍ତି ବୋଲି ଧାରଣା ମଧ୍ୟ ତାଙ୍କର ନାହିଁ ।
ଏହି ବାସ୍ତବ ଜୀବନର ତାରଜନ ହେଉଛନ୍ତି ଭିଏତନାମର ହୋ ଭାନ୍‍ ଲାଙ୍ଗ । ୧୯୭୨ ମସିହାରେ ଭିଏତନାମ ଯୁଦ୍ଧ ସମୟରେ ଆମେରିକାର ଏକ ବୋମା ମାଡରେ ତାଙ୍କ ମା’ ଓ ଦୁଇ ଭାଇ ଭଉଣୀଙ୍କର ମୃତ୍ୟୁଘଟିବା ପରେ ସେ ଭୟରେ କ୍ୱାଙ୍ଗ ନଗାଇ ପ୍ରଦେଶର ତେ ତ୍ରା ଜିଲାରେ ଥିବା ଘଞ୍ଚ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ । ତାଙ୍କ ସହିତ ତାଙ୍କ ବାପା ଓ ଜଣେ ଭାଇ ମଧ୍ୟ ଯାଇଥିଲେ । ସେବେଠାରୁ ସେମାନେ ଆଉ ଜଙ୍ଗଲରୁ ବାହାରି ନାହାନ୍ତି । ଦୀର୍ଘ ଚାରି ଦଶନ୍ଧିରୁ ଅଧିକ କାଳ ସେମାନେ ଜଙ୍ଗଲ ମଧ୍ୟରେ ବିତାଇଛନ୍ତି । ଏହି ସମୟ ମଧ୍ୟରେ ସେମାନେ ପାଞ୍ଚଜଣ ଲୋକଙ୍କୁ ଜଙ୍ଗଲ ଭିତରେ ଦେଖିବାକୁ ପାଇ ସେମାନଙ୍କ ନିକଟରୁ ପ୍ରତିଥର ଦୌଡି ପଳାଇ ଯାଇଛନ୍ତି । ତିନିଜଣ ଯାକ ଜଙ୍ଗଲରେ ମିଳୁଥିବା ମହୁ, ଫଳ ଏବଂ ଜଙ୍ଗଲି କୀଟପୋକ ଖାଇ ବଞ୍ଚିଛନ୍ତି । ନିଜ ପାଇଁ ଜଙ୍ଗଲ ଭିତରେ ଡାଳ ପତ୍ରର କୁଡିଆ କରି ସେହିଠାରେ ରହିଛନ୍ତି ।
ତେବେ ୨୦୧୫ରେ ଆଲଭାରୋ ସେରେଜୋ ନାମକ ଜଣେ ଫଟୋଗ୍ରାଫର ଏମାନଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହାପରେ ସେମାନଙ୍କୁ ଜଙ୍ଗଲ ଭିତରେ ନିର୍ବାସିଜ ଜୀବନରୁ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଏକ ଗ୍ରାମକୁ ଅଣାଯାଇଥିଲା । ସେଠାରେ ପୁରୁଷଙ୍କ ସହିତ ମହିଳାମାନେ ମଧ୍ୟ ରହୁଥିଲେ । ତେବେ ଲାଙ୍ଗଙ୍କ ବାପା ସଭ୍ୟତାକୁ ଫେରିବାକୁ ଆଦୌ ରାଜିନଥିଲେ । କାରଣ ଭିଏତନାମ ଯୁଦ୍ଧ ସରିଯାଇଛି ବୋଲି ସେ ବିଶ୍ୱାସ କରିପାରୁନଥିଲେ । ଫଟୋଗ୍ରାଫରଙ୍କ କହିବା ଅନୁଯାୟୀ ଜଙ୍ଗଲ ମଧ୍ୟରେ ସେମାନେ ଯେତେବେଳେ କୌଣସି ଲୋକକୁ ଦେଖୁଥିଲେ ସେତେବେଳେ ସେଠାରୁ ବହୁ ଦୂରକୁ ଦୌଡି ପଳାଉଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲାଙ୍ଗ ପୁରୁଷ ଓ ମହିଳାଙ୍କ ମଧ୍ୟରେ କି ପାର୍ଥକ୍ୟ ରହିଛି ତାହା ଜାଣନ୍ତି ନାହିଁ । ମହିଳାମାନଙ୍କୁ ମଧ୍ୟ ସେ ମହିଳା ବୋଲି ଜାଣିପାରୁନାହାନ୍ତି । ଲାଙ୍ଗଙ୍କ ଭାଇ ତ୍ରି କହିଛନ୍ତି ତାଙ୍କ ଭାଇ ଜଣେ ପୁରୁଷ ଶରୀର ଧାରୀ ବାଳକ ଭଳି । ଅନେକ କଥା ସେ ଏବେ ମଧ୍ୟ ବୁଝିପାରନ୍ତି ନାହିଁ । କାରଣ ସେ ତାଙ୍କର ସଂପୂର୍ଣ୍ଣ ଜୀବନ ଜଙ୍ଗଲ ଭିତରେ କଟାଇଛନ୍ତି । ତେଣୁ ତାଙ୍କ ମସ୍ତିଷ୍କ ଏକ ପିଲା ଭଳି ରହିଯାଇଛି । ଭଲ ଓ ମନ୍ଦ କଣ ତାହା ସେ ଜାଣନ୍ତି ନାହିଁ । ଯଦି ତାଙ୍କୁ ଏକ ଛୁରୀ ଦେଇ କାହାକୁ ହତ୍ୟା କରିବାକୁ କୁହାଯାଏ ତେବେ ସେ ତାହା ତୁରନ୍ତ କରିଦେବେ । ଅବଶ୍ୟ ଜଙ୍ଗଲ ଭିତରୁ ଉଦ୍ଧାର କରାଯିବା ପରେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ପ୍ରୟାସ କରାଯାଉଛି । ଲାଙ୍ଗଙ୍କ ମତରେ ଆଧୁନିକ ଦୁନିଆଁରେ ବହୁ ଶବ୍ଦ ପ୍ରଦୂଷଣ ହେଉଛି । ତେବେ ଗୃହପାଳିତ ପ୍ରାଣୀଙ୍କୁ ଦେଖି ସେ ଖୁସି ହେଉଛନ୍ତି ।

Comments are closed.