ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ କୋଭିଡ୍-୧୯ ଆନ୍ତର୍ଜାତୀୟ ୱେବିନାର

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଜୀବ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ କୋଭିଡ୍-୧୯ର ଆହ୍ୱାନ ଓ ସୁଯୋଗ ସମ୍ପର୍କିତ ଏକ ଆନ୍ତର୍ଜାତୀୟ ୱେବିନାର ଅନୁଷ୍ଠିତ ହୋଇଯାଇଛି। କରୋନା ପରବର୍ତ୍ତୀ ସମସ୍ୟା, ସୁଯୋଗ ଓ ଆହ୍ୱାନ ସମ୍ପର୍କରେ ଆଲୋଚନା କରାଯିବା ସହ ବିଶ୍ବବ୍ୟାପୀ ଏହାର ମୁକାବିଲା ପାଇଁ ଗବେଷଣା ଚାଲିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ତିନୋଟି ମହାଦେଶର ୪ଜଣ ବକ୍ତା ଏଥିରେ ଭାଗନେଇ ମହାମାରୀ ବିଷୟରେ ଅନେକ ତଥ୍ୟ ଓ ଏହାର ମୁକାବିଲାର କୌଶଳ ସମ୍ପର୍କରେ ଆଲୋକପାତ କରିଥିଲେ। ଦକ୍ଷିଣ ଆଫ୍ରିକାର ଉତ୍ତର ପଶ୍ଚିମ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ତଥା ପ୍ରସିଦ୍ଧ ପରିବେଶ ବିଜ୍ଞାନୀ ଡ ଇଷ୍ଟାଭ୍ୟାନ ହେଡେନ ନିଜସ୍ୱ ବକ୍ତବ୍ୟରେ କରୋନାର ମୁକାବିଲା ତଥା ଏହା ସମ୍ପର୍କିତ ଖାଦ୍ୟ, ପରିବେଶ, ସ୍ୱାସ୍ଥ୍ୟ ଆଦି ବିଷୟରେ ଆଲୋଚନା କରିଥିଲେ। ଅନ୍ୟତମ ବକ୍ତା ଭାବରେ ତ୍ରିପୁରା ବିଶ୍ୱବିଦ୍ୟାଳୟର ଡ଼. ହରଜିତ ନାଥ, କାନାଡ଼ାର ୟର୍କ ବିଶ୍ୱବିଦ୍ୟାଳୟର ପ୍ରଫେସର ସାରା ମାଗଦଉଲି ଓ ଭୁବନେଶ୍ୱର ଏମ୍ସର ଡ଼ ଜୟନ୍ତ ମିତ୍ର ବକ୍ତବ୍ୟପ୍ରଦାନ କରିଥିଲେ। କୁଳପତି ପ୍ରଫେସର ପଦ୍ମଜା ମିଶ୍ର ଏଭଳି ଆଲୋଚନାଚକ୍ରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ଼ ସସ୍ମିତା ମହାନ୍ତି ସ୍ୱାଗତ ଅଭିଭାଷଣ ରଖିଥିଲେ। ସଂଯୋଜକ ତଥା ବିଭାଗୀୟ ମୁଖ୍ୟ ପ୍ରଫେସର ଚଣ୍ଡି ଚରଣ ରଥ ୱେବିନାର ପରିଚାଳନା କରିଥିଲାବେଳେ ବିଭାଗୀୟ ଅଧ୍ୟାପିକା ନବନୀତ କାଉର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଖା ସିଂ, ଶକ୍ତିକାନ୍ତ ରଥ, ମୁକ୍ତାମୟୀ କୁମ୍ଭାର ଓ ଯମୁନା ଟୁଡୁ ୱେବିନାର ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏଥିରେ ଦେଶର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଶତାଧିକ ଶିକ୍ଷକ ଓ ବିଦ୍ୟାର୍ଥୀ ଯୋଗଦେଇଥିଲେ।

Comments are closed.