ବାଙ୍ଗାଲୋର ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିବାର ସମ୍ଭାବନା

ବେଙ୍ଗାଲୁରୁ : ଚଳିତ ଆଇପିଏଲ୍‌ରେ କ୍ରମାଗତ ୬ଷ୍ଠ ପରାଜୟ ଭୋଗିଛି ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ଚଳିତ ଆଇପିଏଲ୍‌ରେ ତା’ର ପ୍ରଥମ ୬ଟିଯାକ ମ୍ୟାଚ୍ ହାରି ଆର୍‌ସିବି ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିବା ଆଶଙ୍କାରେ ପଡ଼ିଯାଇଛି। ରବିବାର ତା’ର ୬ଷ୍ଠ ଲିଗ୍‌ ମ୍ୟାଚ୍‌ରେ ଆର୍‌ସିବିକୁ ୪ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍‌ସ ପରାସ୍ତ କରିଛି। ଆର୍‌ସିବି ତା’ର ବାକିଥିବା ୮ଟିଯାକ ଲିଗ୍ ମ୍ୟାଚ୍ ଜିତିଲେ ମଧ୍ୟ ଏହାର ପ୍ଲେଅଫ୍ ଖେଳିବା ନିଶ୍ଚିତ ନୁହେଁ। ଅଧିନାୟକ ବିରାଟ କୋହଲିଙ୍କ ୪୧ ରନ୍‌ର ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୮ ୱିକେଟରେ ୧୪୯ ରନ୍ କରି ପାରିଥିଲା। ପରେ ଅଧିନାୟକ ଶ୍ରେୟାସ ଆୟର ଲଢ଼ୁଆ ଅର୍ଦ୍ଧଶତକ ହାସଲ କରିବାରୁ ୧୮.୫ ଓଭରରେ ୬ ୱିକେଟ ହରାଇ ଦିଲ୍ଲୀ କ୍ୟାପିଟାଲ୍‌ସ ଜିତିଥିଲା।
ଦିଲ୍ଲୀ କ୍ୟାପିଟାଲ୍‌ସ ସମ୍ମୁଖରେ ୧୫୦ ରନ୍‌ର ବିଜୟଲକ୍ଷ୍ୟ ଥିବା ବେଳେ ଏହା ପ୍ରଥମ ଓଭରରେ ଅଭିଜ୍ଞ ଶିଖର ଧାୱନ (୦)ଙ୍କ ୱିକେଟ ହରାଇଥିଲା। ପରେ ଯୁବ ପ୍ରତିଭା ପୃଥ୍ବୀ ସ’ ଓ ଅଧିନାୟକ ଶ୍ରେୟାସ ଆୟର ୨ୟ ୱିକେଟ ପାଇଁ ୮ ଓଭରରେ ୬୮ ରନ୍ ଯୋଡ଼ି ସ୍ଥିତି ମଜ୍‌ଭୁତ କରି ପାରିଥିଲେ। ପୃଥ୍ବୀ କଳାତ୍ମକ ବ୍ୟାଟିଂକରି ୨୨ ବଲ୍‌ରୁ ୫ଟି ଚୌକା ସହ ୨୮ ରନ୍‌କରି ଆଉଟ ହୋଇଥିଲେ। ପରେ ଆୟର ଓ କଲିନ୍ ଇନ୍‌ଗ୍ରାମ୍ ୩ୟ ୱିକେଟ ପାଇଁ ୩୯ ରନ୍ ଯୋଗକରି ଆର୍‌ସିବିକୁ ସଙ୍କଟ ଆଡ଼କୁ ଠେଲି ଦେଇଥିଲେ। ଦକ୍ଷିଣ ଆଫ୍ରିକାର ଇନ୍‌ଗ୍ରାମ୍ ୨୧ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୨ ରନ୍ କରିଥିଲେ। ପରେ ଶ୍ରେୟାସ ଆୟର ଓ ଋଷଭ ପନ୍ତ୍ ୩୭ ରନ୍ ଯୋଡ଼ିବା ପରେ ମ୍ୟାଚ୍‌କୁ ଫେରିବା ଲାଗି ଆର୍‌ସିବିର ଶେଷ ଆଶା ମଧ୍ୟ ମଉଳି ଯାଇଥିଲା। ପନ୍ତ୍ ୧୪ ବଲ୍‌ରୁ ୨ଟି ଚୌକା ସହ ୧୮ ରନ୍ କରିଥିଲେ। ଶେଷଆଡ଼କୁ ଦିଲ୍ଲୀ କ୍ୟାପିଟାଲ୍‌ସ ୨ ରନ୍‌ରେ ୩ଟି ୱିକେଟ ହରାଇଥିଲେ ହେଁ ସେତେବେଳେକୁ ଏହା ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣକୁ ନେଇ ସାରିଥିଲା। ଦିଲ୍ଲୀ କ୍ୟାପିଟାଲ୍‌ସର ରନ୍ ପିଛାର ନେତୃତ୍ବ ନେଇଥିବା ଅଧିନାୟକ ଶ୍ରେୟାସ ଆୟର ୫୦ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୬୭ ରନ୍ ସ୍କୋର୍‌ କରିଥିଲେ। ନବଦୀପ ସୈନି ୨ଟି ୱିକେଟ ପାଇଥିଲେ। କାଗିସୋ ରାବାଡ଼ା ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଦିଲ୍ଲୀ କ୍ୟାପିଟାଲ୍‌ସ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ର ଧିମା ପିଚ୍‌ରେ ରନ୍ ସ୍କୋର୍ କରିବାରେ ବେଶ୍ ଅସୁବିଧା ଅନୁଭବ କରିଥିଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବ୍ୟାଟ୍‌ସମ୍ୟାନ୍। ମୋଇନ୍ ଅଲୀଙ୍କୁ ଛାଡ଼ି ଦଳର ଅନ୍ୟ ସମସ୍ତ ପ୍ରତିଷ୍ଠିତ ବ୍ୟାଟ୍‌ସମ୍ୟାନ୍ ଦ୍ରୁତ ସ୍କୋର୍ କରିବାରେ ବିଫଳ ହୋଇଥିଲେ। ଫଳରେ ୬ ଓଭରର ପାୱରପ୍ଲେରେ ଆର୍‌ସିବି ମାତ୍ର ୪୦ ରନ୍‌କରି ୨ଟି ୱିକେଟ ହରାଇଥିଲା। ପାର୍ଥିବ ପଟେଲ ୯ ବଲ୍‌ରୁ ୯ ରନ୍ କରିଥିଲେ। ପାୱରପ୍ଲେରେ ବ୍ୟାଟିଂ କରିବା ସତ୍ତ୍ବେ ସୁପରଷ୍ଟାର ଏବି ଡି’ଭିଲିଅର୍ସ ୧୬ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୭ ରନ୍ କରି ପାରିଥିଲେ। ଅଷ୍ଟ୍ରେଲୀୟ ମାର୍କସ ଷ୍ଟୋଇନିସ୍ ଆହୁରି ଦୟନୀୟ ବ୍ୟାଟିଂ କରିଥିଲେ। ସେ ୧୭ ବଲ୍‌ରୁ ୧୫ ରନ୍ କରିଥିଲେ। ୧୨ ଓଭର ଶେ​‌ଷ​‌େ​‌ର ଆର୍‌ସିବି ମାତ୍ର ୭୨ ରନ୍ କରିଥିଲା। ତେବେ ମୋଇନ୍‌ ଅଲୀ କ୍ରିଜ୍‌କୁ ଆସିବା ପରେ ରନ୍‌ଗତି କିଛି ବଢ଼ିଥିଲା। ମୋଇନ୍‌ଙ୍କ ସହ ଅଧିନାୟକ କୋହଲି ୨୩ ବଲ୍‌ରେ ୩୭ ରନ୍ ଯୋଡ଼ିଥିଲେ। ଶେଷ ୮ ଓଭରରୁ ଆର୍‌ସିବି ୭୭ ରନ୍ ନେବାରୁ କିଛିଟା ସମ୍ମାନ ରଖି ପାରିଥିଲା। ମୋଇନ୍ ୧୮ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୩୨ ରନ୍ କରିଥିଲେ। କୋହଲି ଏପରି ଧିମା ବ୍ୟାଟିଂ କରିଥିଲେ ହେଁ ୧୭ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ଏକଦା ୨୯ ବଲ୍‌ରୁ ୨୮ ରନ୍ କରିଥିଲେ। ୧୭ଶ ଓଭର​‌େ​‌ର କ୍ରମାଗତ ୨ଟି ଛକା ମାରିବାର ପରବର୍ତ୍ତୀ ଓଭରରେ କୋହଲି ଆଉଟ ହୋଇଥିଲେ। ସେ ୩୩ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୪୧ ରନ୍ କରିଥିଲେ। ଯୁବ ବ୍ୟାଟ୍‌ସମ୍ୟାନ୍ ଅକ୍ଷଦୀପ ନାଥ ୧୨ ବଲ୍‌ରୁ ୪ଟି ଚୌକା ସହ ୧୯ ରନ୍ କରିଥିଲେ। ଟିମ୍ ସାଉଦି ୯ ରନ୍‌ରେ ଅପରାଜିତ ଥିଲେ। ଫାଷ୍ଟବୋଲର କାଗିସୋ ରାବାଡ଼ା ପୁଣି ଚମତ୍କାର ବୋଲିଂକରି ୪ଟି ୱିକେଟ ପାଇଥିବା ବେଳେ କ୍ରିସ୍ ମରିସ୍ ୨ଟି ୱିକେଟ ପାଇଥିଲେ।

Comments are closed.