ଆରବିଆଇ ରିଟେଲ ଡାଇରେକ୍ଟ ଏବଂ ସମନ୍ୱିତ ଲୋକପାଳ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ରିଟେଲ ଡାଇରେକ୍ଟ ଯୋଜନା ଏବଂ ସମନ୍ୱିତ ଲୋକପାଳ ଯୋଜନା ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ଏହି ଦୁଇ ଗ୍ରାହକ କୈନ୍ଦ୍ରିକ ଯୋଜନାକୁ ପ୍ରଧାନମନ୍ତ୍ରୀ ଭର୍ଚୁଆଲ ପଦ୍ଧତିରେ ଶୁଭାରମ୍ଭ କରିଥିଲେ । ଏହି ଦୁଇ ଯୋଜନା ସରକାରୀ ପ୍ରତିଭୂତିରେ ଖୁଚୁରା ନିବେଶକଙ୍କ ଅଂଶଗ୍ରହଣରେ ବୃଦ୍ଧି ଘଟାଇବାକୁ ଲକ୍ଷ୍ୟ ରଖିଛି । କାର୍ଯ୍ୟକ୍ରମ ଆରମ୍ଭରେ ପ୍ରକାଶ କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ଆରବିଆଇ ନିଜର ସେବାଗୁଡିକର ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଯୁକ୍ତି ଓ ନବସୃଜନର ସମ୍ମିଶ୍ରଣ ଘଟାଉଛି । ଆର୍ଥିକ ଅନ୍ତର୍ଭୁକ୍ତିକୁ ଅଧିକ ନିବିଡ କରିବା ଏବଂ ଲୋକ କୈନ୍ଦ୍ରିକ ପଦକ୍ଷେପଗୁଡିକ ଗ୍ରହଣ କରିବା ଉପରେ ଆରବିଆଇର ବିକାଶମୂଳକ ଭୂମିକା ଦୃଷ୍ଟିନିବଦ୍ଧ କରୁଛି । ଆରବିଆଇର ରିଟେଲ ଡାଇରେକ୍ଟ ଯୋଜନା ଖୁଚୁରା ନିବେଶକଙ୍କ ପାଇଁ ସରକାରୀ ପ୍ରତିଭୂତିରେ ଜନସାଧାରଣଙ୍କ ବର୍ଦ୍ଧିତ ଅଂଶଗ୍ରହଣ ପାଇଁ ଉଦ୍ଦିଷ୍ଟ । ଏହା କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଦ୍ୱାରା ଜାରି କରାଯାଉଥିବା ପ୍ରତିଭୂତିରେ ସିଧାସଳଖ ନିବେଶ କରିବାକୁ ଏକ ନୂଆ ସୁଯୋଗ ସୃଷ୍ଟି କରୁଛି । ନିବେଶକମାନେ ଏହାଦ୍ୱାରା ଆରବିଆଇରେ ଅନ୍‍ଲାଇନରେ ସେମାନଙ୍କର ପ୍ରତିଭୂତି ଆକାଉଣ୍ଟ ଖୋଲି ତାହାକୁ ମାଗଣାରେ ପରିଚାଳନା କରିବାର ସୁବିଧା ପାଇପାରିବେ । ସେହିଭଳି ଆରବିଆଇର ସମନ୍ୱିତ ଲୋକପାଳ ଯୋଜନା ଆରବିଆଇ ଦ୍ୱାରା ନିୟନ୍ତ୍ରିତ ସଂସ୍ଥାଗୁଡିକ ବିରୁଦ୍ଧରେ ଆସୁଥିବା ଗ୍ରାହକଙ୍କ ଅଭିଯୋଗଗୁଡିକର ସମାଧାନ ବ୍ୟବସ୍ଥାରେ ପୁନଃ ଉନ୍ନତି ଆଣିବାକୁ ଉଦ୍ଦିଷ୍ଟ । ଏହାଦ୍ୱାରା ଏକ ରାଷ୍ଟ୍ର- ଜଣେ ଲୋକପାଳ ଏବଂ ଗୋଟିଏ ପୋର୍ଟାଲ, ଗୋଟିଏ ଇମେଲ୍‍ ଏବଂ ଗ୍ରାହକ ସେମାନଙ୍କ ଅଭିଯୋଗ ଦାଖଲ କରିବାକୁ ଗୋଟିଏ ଠିକଣା ଯୋଗାଇ ଦିଆଯିବ ।

Comments are closed.